କାଠମାଣ୍ଡୁ : ନେପାଳରେ ପ୍ରକୃତିର ଗୋଟିଏ ବିପଦରୁ ଲୋକେ ଏଯାଏଁ ମୁକୁଳିପାରି ନାହାନ୍ତି, ଏତିକି ବେଳେ ପୁଣି ଆସିଛି ଆଉ ଏକ ବଡ଼ ଝଟକା। ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ଛାରଖାର ହୋଇଥିବା ନେପାଳରେ ଏବେ ଅନୁଭୂତ ହୋଇଛି ୫.୩ ତୀବ୍ରତାର ଭୂକମ୍ପ। ମଙ୍ଗଳବାର ରାତିରେ ହୋଇଥିବା ଏହି ଭୂକମ୍ପରେ ଅନେକ ଅଞ୍ଚଳରେ ଭୂକମ୍ପନ ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତ ନେଇ ଏଯାଏଁ ରିପୋର୍ଟ ମିଳିନାହିଁ ।

ମିଳିଥିବା ସୂଚାନୁଯାୟୀ, ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ମଙ୍ଗଳବାର ରାତି ପ୍ରାୟ ୯ଟା ୫୩ ମିନିଟ୍ରେ ୫.୩ ତୀବ୍ରତାର ଭୂକମ୍ପ ହୋଇଥିଲା। ନେପାଳର 'ନ୍ୟାସନାଲ ଏଅର୍ଥକ୍ୱେକ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର' ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଲୋମାନଥାଙ୍ଗ ଅଞ୍ଚଳ, ଯାହା କାଠମାଣ୍ଡୁଠାରୁ ପ୍ରାୟ ୩୭୫ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ। ଏହି ଭୂକମ୍ପର ଝଟକା ମନାଙ୍ଗ, ଡୋଲ୍ପା ଏବଂ ମ୍ୟାଗ୍ଦି ଭଳି ପଡ଼ୋଶୀ ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଥିଲା। ତେବେ ଭୂକମ୍ପ ପରେ ଏପର୍ଯ୍ୟନ୍ତ ବଡ଼ ଧରଣର ଧ୍ୱଂସ କିମ୍ବା ମୃତାହତ ଖବର ମିଳିନାହିଁ। ଅଧିକାରୀମାନେ ପରିସ୍ଥିତିର ମୂଲ୍ୟାୟନ କରୁଛନ୍ତି।

ତେବେ ସବୁଠାରୁ ଚିନ୍ତାର କଥା ହେଉଛି ନେପାଳ ଏବେ ବି ଭୟଙ୍କର ବନ୍ୟାର ଧ୍ୱଂସଲୀଳାରୁ ବାହାରିପାରିନାହିଁ । ଗତ ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମା ନିକଟରେ ଘଟିଥିବା ଗ୍ଲେସିଅର ଭୂସ୍ଖଳନ ସମ୍ବନ୍ଧୀୟ ଘଟଣା ପରେ ଭୟଙ୍କର ବନ୍ୟା ଆସିଥିଲା। ଏଥିରେ ଘର, ରାସ୍ତା, ପୋଲ ଓ ଜଳବିଦ୍ୟୁତ ପ୍ରକଳ୍ପକୁ ବ୍ୟାପକ କ୍ଷତି ହୋଇଛି। ନେପାଳର ବିପର୍ଯ୍ୟୟ ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର। ଭୟଙ୍କର ବନ୍ୟା ପରେ ଶତାଧିକ ଲୋକ ନିଖୋଜ ଥିବାବେଳେ, ଜଳବିଦ୍ୟୁତ ପ୍ରକଳ୍ପର ଟନେଲରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି ।

Also Read : ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ବଡ଼ ଖୁଲାସା ! FIRରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ...

ପୁଣି ଏହାରି ମଧ୍ୟରେ ଏବେ ମୁସ୍ତାଙ୍ଗରେ ଭୂକମ୍ପ ଝଟକା ଅନୁଭୂତ ହେବା ନୂଆ ଚିନ୍ତା ସୃଷ୍ଟି କରିଛି। ଆଉ ଏକ ଘଟଣାରେ ପର୍ବତ ଜିଲ୍ଲାର କିମରୁଙ୍ଗ ନଦୀ ଭୂସ୍ଖଳନ ଯୋଗୁଁ ଅବରୋଧ ହୋଇଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ନଦୀ ଅବରୋଧ ଭାଙ୍ଗିଲେ ହଠାତ୍ ବନ୍ୟା ଆସିବାର ଆଶଙ୍କା ରହିଛି। ଅର୍ଥାତ୍, ବନ୍ୟା, ଭୂସ୍ଖଳନ ପରେ ଏବେ ଭୂକମ୍ପ ପ୍ରକୃତିର ଲଗାତାର ଝଟକାରେ ନେପାଳ। ଯାହା ଫଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ମଧ୍ୟରେ ପ୍ରଶାସନ ପାଇଁ ଏହା ଏକ ନୂଆ ଚ୍ୟାଲେଞ୍ଜ ହୋଇଛି।