ପାଟନା : ଟ୍ରେନରେ ଫାଷ୍ଟ ଏସି କୋଚରେ ଯାତ୍ରା କରୁଥିଲେ ଜଣେ ୨୫ ବର୍ଷୀୟା ଯୁବତୀ। ଦେଖିବାକୁ ସାଧାରଣ ଯାତ୍ରା ଭଳି ଲାଗୁଥିଲା। କିନ୍ତୁ ବ୍ୟାଗ୍ ଯାଞ୍ଚ ବେଳେ ସାମ୍ନାକୁ ଆସିଲା ଏକ ବଡ଼ ରହସ୍ୟ। ବ୍ୟାଗ୍ ଭିତରୁ ମିଳିଲା ପ୍ରାୟ ୧.୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଣ୍ଡେଡ୍ ବିଦେଶୀ ମଦ। ଏହାପରେ ଯୁବତୀଙ୍କୁ ଗିରଫ କରାଯାଇଛି। ଘଟଣାଟି ବିହାରର ସମସ୍ତିପୁର ଜିଲ୍ଲା ସହ ଜଡ଼ିତ। ପୁଲିସ ସୂଚନା ଅନୁସାରେ, ନେହା ଝା ନାମକ ଜଣେ ୨୫ ବର୍ଷୀୟ ଗ୍ରାଜୁଏଟ ଟ୍ରେନରେ ମଦ ଚୋରାଚାଲାଣ ଅଭିଯୋଗରେ ଗିରଫ କରାଯାଇଛି। 

ସୂଚନା ଅନୁସାରେ, ଦିଲ୍ଲୀରୁ ଜୟନଗର ଯାଉଥିବା ସ୍ୱାଧୀନତା ସେନାନୀ ଏକ୍ସପ୍ରେସ୍ର ଫାଷ୍ଟ ଏସି କୋଚରେ ନେହା ତାଙ୍କ ଜଣେ ନିକଟ ସମ୍ପର୍କୀୟ ଇଶାନ କୁମାରଙ୍କ ସହ ଯାତ୍ରା କରୁଥିଲେ। ଟ୍ରେନରେ RPF କର୍ମଚାରୀମାନେ ଯାଞ୍ଚ କରୁଥିବା ସମୟରେ ଉଭୟଙ୍କ ବ୍ୟାଗ୍ରୁ ବିଦେଶୀ ମଦ ମିଳିଥିବା ପୁଲିସ କହିଛି। ଏହାପରେ ନେହା ଓ ଇଶାନଙ୍କୁ ହେପାଜତକୁ ନିଆଯାଇଥିଲା। ପରେ ଉଭୟଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଉଭୟଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ସେମାନଙ୍କୁ ସମସ୍ତିପୁର ଜିଲ୍ଲା ଜେଲରେ ରଖାଯାଇଛି। 

ତଦନ୍ତକାରୀଙ୍କ ଅନୁସାରେ, ଜବତ ହୋଇଥିବା ମଦ କେବଳ ବ୍ୟକ୍ତିଗତ ବ୍ୟବହାର ପାଇଁ ନଥିଲା। ଏହାକୁ ଦରଭଙ୍ଗାରେ କିଛି ଗ୍ରାହକଙ୍କୁ ଯୋଗାଇ ଦେବା ପାଇଁ ନିଆଯାଉଥିବା ସନ୍ଦେହ କରାଯାଉଛି। ପୁଲିସ ଦାବି କରିଛି ଯେ, ଏହି କଥିତ ନେଟୱର୍କରେ ଡାକ୍ତର ଓ ବ୍ୟବସାୟୀଙ୍କ ଭଳି ଧନୀ ଗ୍ରାହକମାନେ ମଧ୍ୟ ଥାଇପାରନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ନେଇ ତଦନ୍ତ ଜାରି ରହିଛି। ପୁଲିସ କହିଛି ଯେ, ନେହାଙ୍କ ଏହା ପ୍ରଥମ ଗିରଫ। କିନ୍ତୁ ତାଙ୍କ ପରିବାରର କିଛି ସଦସ୍ୟ ପୂର୍ବରୁ ମଦ ସମ୍ପର୍କିତ ମାମଲାରେ ଗିରଫ ହୋଇଥିବା ତଦନ୍ତକାରୀମାନେ ଦାବି କରିଛନ୍ତି। ନେହା ସମସ୍ତିପୁର ଜିଲ୍ଲାର ବାରି ଗାଁର ବାସିନ୍ଦା। ସେ L.N. Mithila University ଅଧୀନ ଏକ କଲେଜରୁ ଗ୍ରାଜୁଏସନ୍ କରିଥିବା ଜଣାପଡ଼ିଛି। ଉଚ୍ଚଶିକ୍ଷା ପାଇଁ ସେ ଦରଭଙ୍ଗାରେ ରହୁଥିଲେ।

also read -ଗୁଆହାଟିରେ ନବବିବାହିତାଙ୍କ ନିର୍ମମ ହତ୍ୟା, ଫ୍ରିଜରୁ ବାହାରିଲା କଟା ମୁଣ୍ଡ ! ଥାନରେ ଆତ୍ମସମର୍ପନ କଲା ସ୍ୱମୀ

ଅନ୍ୟପଟେ ଗିରଫ ହୋଇଥିବା ଇଶାନ କୁମାର ଜଣେ B.Tech ଗ୍ରାଜୁଏଟ୍ ଏବଂ ସେ ନେହାଙ୍କ ବଡ଼ ଭଉଣୀଙ୍କ ସ୍ୱାମୀଙ୍କ ଭାଇ ବୋଲି ପୁଲିସ କହିଛି। ପୁଲିସର ଦାବି ଅନୁସାରେ, ନେହାଙ୍କ ଭାଇ-ଭାଉଜଙ୍କ ମଧ୍ୟରୁ ଜଣେ ବର୍ତ୍ତମାନ ଛପରା ଜିଲ୍ଲା ଜେଲ୍ରେ ଏକ ନିଷେଧାଜ୍ଞା ଆଇନ ମାମଲାରେ ରହିଛନ୍ତି। ତାଙ୍କ ଗିରଫ ପରେ ନେହା ଇଶାନଙ୍କ ସହାୟତାରେ କଥିତ ମଦ ଯୋଗାଣ ନେଟୱର୍କ ଚଳାଇଥିବା ପୁଲିସ ସନ୍ଦେହ କରୁଛି। GRP ଇନ୍ସପେକ୍ଟର ବୀରବଲ କୁମାରଙ୍କ କହିବା ଅନୁସାରେ, ନେହା ପୁଲିସର ଯାଞ୍ଚରୁ ବଞ୍ଚିବା ପାଇଁ ଫାଷ୍ଟ ଏସି କୋଚ୍ରେ ଯାତ୍ରା କରୁଥିବା ସନ୍ଦେହ ରହିଛି। ତାଙ୍କର ଏହି ବେଆଇନ ମଦ କାରବାର ସହ ଦୀର୍ଘ ସମୟରୁ ସମ୍ପର୍କ ଥାଇପାରେ ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି। ନେହା ଓ ଇଶାନଙ୍କ ମୋବାଇଲ୍, ସମ୍ପର୍କ ଏବଂ ସମ୍ଭାବ୍ୟ ଗ୍ରାହକଙ୍କ ବିଷୟରେ ମଧ୍ୟ ତଦନ୍ତ କରାଯାଉଛି। 

ବିହାରରେ ଏପ୍ରିଲ ୨୦୧୬ରୁ ମଦ ନିଷେଧ ଲାଗୁ ହୋଇଛି। ଏହାସତ୍ତ୍ୱେ ପଡ଼ୋଶୀ ରାଜ୍ୟରୁ ଟ୍ରେନ୍ ମାଧ୍ୟମରେ ମଦ ଚୋରାଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସୁଥିବା ପୁଲିସ କହିଛି। ଅଧିକାରିକ ତଥ୍ୟ ଅନୁସାରେ, ୨୦୨୬ ଅଗଷ୍ଟ ୧ରୁ ୩୧ ତାରିଖ ମଧ୍ୟରେ ବିହାର ପୁଲିସ ଅବୈଧ ମଦ ବିରୋଧରେ ପ୍ରାୟ ୧.୧୨ ଲକ୍ଷ ଚଢ଼ାଉ କରିଥିଲା। ଏହି ସମୟରେ ପ୍ରାୟ ୭.୧୦ ଲକ୍ଷ ଲିଟର ମଦ ଜବତ କରାଯାଇଥିବା ବେଳେ ପ୍ରାୟ ୧୧,୩୦୦ ଜଣଙ୍କୁ ଗିରଫ କରାଯାଇଛି। ପ୍ରାୟ ୧୦,୦୦୦ଟି ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି। ଏବେ ସମସ୍ତିପୁର ଟ୍ରେନ୍ ମାମଲାରେ ଜବତ ମଦ କେଉଁଠାରୁ ଆସିଥିଲା, ଏହା କାହା ପାଖକୁ ଯିବାର ଥିଲା ଏବଂ ଏହି କଥିତ ନେଟୱର୍କରେ ଆଉ କେତେଜଣ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି।