ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ଜାରି ଆନ୍ଦୋଳନ ଭିତରେ ଶୁକ୍ରବାର କେନ୍ଦ୍ର ସରକାର ଉଭୟ ମୋର୍ଚ୍ଚାରେ ସକ୍ରିୟତା ଦେଖାଇଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ଓ କ୍ୟାବିନେଟ୍ କମିଟି ଅନ୍ ଇକୋନମିକ୍ ଆଫେୟର୍ସର ବୈଠକ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏହି ବୈଠକରେ ପ୍ରଶ୍ନପତ୍ର ଲିକ୍ ସଂପର୍କିତ ଡ୍ରାଫ୍ଟ ବିଲ୍ ଉପରେ ଚର୍ଚ୍ଚା ହୋଇଛି ଏବଂ ଏହାରୁ ମଞ୍ଜୁରି ଦିଆଯାଇଛି ।

ଅନ୍ୟପଟ ଆନ୍ଦୋଳନରତ କକରୋଚ୍ ଜନତା ପାର୍ଟିର ପ୍ରତିନିଧି ଏବଂ କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ନୂଆଦିଲ୍ଲୀ ସ୍ଥିତ କନଷ୍ଟିଟ୍ୟୁସନାଲ୍ କ୍ଲବ୍ ଅଫ୍ ଇଣ୍ଡିଆରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ସହ କକପୋଚ୍ ଜନତା ପାର୍ଟିର ପ୍ରତିନିଧି ଆଲୋଚନା କରି ନିଜ ଦାବି ରଖିଛନ୍ତି ।

କ୍ୟାବିନେଟ୍ ବୈଠକରେ ପବ୍ଲିକ୍ ଏକ୍ଜାମିନେସନ୍ (ପ୍ରିଭେନସନ ଅଫ୍ ଅନଫେୟାର ମିନ୍ସ) ଆକ୍ଟ, ୨୦୨୪କୁ ଆଧିକ କଠୋର କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସରକାର ଆସନ୍ତା ସପ୍ତାହରେ ମୌସୁମୀ ଅଧିବେଶନରେ ଏହି ସଂଶୋଧିତ ବିଧେୟକକୁ ସଂସଦରେ ଉପସ୍ଥାପନା କରିବାକୁ ପ୍ରସ୍ତୁତି କରୁଛନ୍ତି । ପେପର୍ ଲିକ୍ ମାଫିଆଙ୍କ ବିରୁଦ୍ଧରେ କଠୋର ପ୍ରାବଧାନ ରହିବ । ଏକ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟକୁ ଆଇନଗତ ସମର୍ଥନ ଯୋଗାଇ ଦିଆଯିବ, ଏବଂ ଫାଷ୍ଟ-ଟ୍ରାକ୍ କୋର୍ଟକୁ ତିନି ମାସ ମଧ୍ୟରେ ତଦନ୍ତ କରି ରାୟ ପ୍ରଦାନ କରିବାକୁ କ୍ଷମତା ଦିଆଯିବ। ଏହା ବ୍ୟତୀତ, ପେପର ଲିକ୍ ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଏବଂ ୧୦ କୋଟି ଜରିମାନା ଦଣ୍ଡ ହେବ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ "ପେପର ଲିକ୍ ଏକ ଛୋଟ ଘଟଣା ନୁହେଁ ।" ସେ କହିଥିଲେ ଯେ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାରର ଭବିଷ୍ୟତ ସହିତ ଜଡିତ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ସରକାର ଏକ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ।

ସରକାରଙ୍କ ରଣନୀତି ସ୍ପଷ୍ଟ; ଗୋଟିଏ ପଟେ, ଆନ୍ଦୋଳନରତ ଛାତ୍ରଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ପାଇଁ ପ୍ରୟାସ କରାଯାଉଛି, ଅନ୍ୟପଟେ, ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏକ କଠୋର ଆଇନଗତ ଢାଞ୍ଚା ଚୂଡ଼ାନ୍ତ କରାଯାଉଛି।