ଭୁବନେଶ୍ୱର: ପ୍ରେମ, ପରକୀୟା ପ୍ରୀତି ଆଉ ପାରିବାରିକ କଳହ ! ବଢ଼ୁଛି ଅବସାଦ, ଜୀବନ ହାରୁଛନ୍ତି ଓଡ଼ିଶାର ଯୁବପିଢ଼ି ଓ ସରକାରୀ କର୍ମଚାରୀ। ଦେଶରେ ପ୍ରେମ ଜନିତ ଆତ୍ମହତ୍ୟା ସଂଖ୍ୟା କମୁଥିବା ବେଳେ ଓଡ଼ିଶାରେ କିନ୍ତୁ ଗ୍ରାଫ୍ ଉପରକୁ ଲମ୍ବିଛି। ଗତ ୩ ବର୍ଷରେ ରାଜ୍ୟରେ ପ୍ରେମ ଓ ପରକୀୟା ପାଇଁ ଜୀବନ ହାରିବା ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏନ୍ସିଆର୍ବି (NCRB) ର ସେଲିବ୍ରେଟେଡ୍ ରିପୋର୍ଟରେ ପ୍ରକାଶ ପାଇଛି ଏଭଳି କିଛି ଚମକାଇଲା ଭଳି ତଥ୍ୟ।

NCRB ରିପୋର୍ଟ କହୁଛି ୨୦୨୨ ଓ ୨୦୨୩ରେ ପରକୀୟା ପ୍ରୀତି ପାଇଁ କୌଣସି ଜଣେ ବି ଆତ୍ମହତ୍ୟା କରିନଥିଲେ । ହେଲେ ୨୦୨୪ରେ ୪୯ ଜଣ ଜୀବନ ହାରିଥିଲେ । ଉକ୍ତ ୪୯ ଜଣଙ୍କ ମଧ୍ୟରୁ ୪୦ ଜଣ ପୁରୁଷ ପରକୀୟା ପ୍ରୀତି ପାଇଁ ଜୀବନ ହାରିଥିଲେ । ସେପଟେ ପ୍ରେମ ପାଇଁ ଦେଶରେ ଆତ୍ମହତ୍ୟା ସଂଖ୍ୟା କମୁଥିବା ବେଳେ ଆମ ରାଜ୍ୟରେ ଏହା ବଢ଼ିଛି । NCRB ରିପୋର୍ଟ କହୁଛି ୨୦୨୩ ଅପେକ୍ଷା ୨୦୨୪ରେ ରାଜ୍ୟରେ ପ୍ରେମ ଜନିତ ଆତ୍ମହତ୍ୟା ୭୬% ବଢ଼ିବାରେ ଲାଗିଛି । ଲଗାତାର ଗତ ୩ ବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି ।

ଗତ ସପ୍ତାହରେ ପ୍ରକାଶ ପାଇଥିବା ୨୦୨୪ରେ NCRBରେ ରିପୋର୍ଟ କହୁଛି ପ୍ରେମ ପାଇଁ ୧୨୮ ଜଣ ଆତ୍ମହତ୍ୟା କରିଥିଲେ । ୨୦୨୩ରେ ମାତ୍ର ୭୪ ଜଣ ଜୀବନ ହାରିଥିଲେ । ୨୦୨୨ରେ ପ୍ରେମ ପାଇଁ ୨୭ ଜଣ ଜୀବନ ହାରିଥିଲେ । କିଏ ବିଷ ପିଇଥିଲା ତ’ ପୁଣି କିଏ ବେକରେ ଫାଶି ଲଗାଇ ଦେଇଥିଲା। ଏହି ୨୭ ଜଣଙ୍କ ମଧ୍ୟରୁ ମାତ୍ର ୨ ଜଣ ମହିଳା ବାକି ୨୫ ଜଣ ପୁରୁଷ ଆତ୍ମହତ୍ୟା କରିଛନ୍ତି । ୨୦୨୩ରେ ପ୍ରେମ ପାଇଁ ଆତ୍ମହତ୍ୟା ସଂଖ୍ୟା ପହଞ୍ଚିଥିଲା ୭୪ରେ । ଉକ୍ତ ବର୍ଷ ପୁରୁଷ ଅପେକ୍ଷା ମହିଳାମାନେ ଅଧିକ ଜୀବନ ହାରିଥିଲେ। ୭୪ ଜଣରୁ ୫୫ ଜଣ ମହିଳା ଆତ୍ମହତ୍ୟା କରିଥିଲେ । ୨୦୨୪ରେ ରେକର୍ଡ ଭାଙ୍ଗିଥିଲା ରାଜ୍ୟ । ପ୍ରେମ ପାଇଁ ୧୨୮ ଜଣ ଜୀବନ ହାରିଥିଲେ । ୬୦ ଜଣ ପୁରୁଷ ଓ ୬୮ ଜଣ ମହିଳା ଥିଲେ ।

୨୦୨୩ ତୁଳନାରେ ୨୦୨୪ରେ ପ୍ରେମ ପାଇଁ ଜୀବନ ହାରିବା ସଂଖ୍ୟା ୭୬% ଅଧିକ ଥିଲା । ଏନ୍ସିଆରବି ରିପୋର୍ଟ କହୁଛି ୨୦୨୩ରେ ୧ ଲକ୍ଷ ୭୧ ହଜାର ୪୧୮ ଜଣ ଆତ୍ମହତ୍ୟା କରିଥିଲେ । ୨୦୨୪ରେ ଏହି ସଂଖ୍ୟା ପହଞ୍ଚିଥିଲା ୧ ଲକ୍ଷ ୭୦ ହଜାର ୭୪୬ରେ । ରାଜ୍ୟରେ ୫ ହଜାର ୭୯୧ ଜଣ ଆତ୍ମହତ୍ୟା କରିଥିଲେ । ଏମାନଙ୍କ ମଧ୍ୟରୁ ୩୯୫୩ ଜଣ ପୁରୁଷ ଓ ୧୮୮୩ ଜଣ ମହିଳା ଆତ୍ମହତ୍ୟା କରିଥିଲେ । ପାରିବାରିକ କଳହ ପାଇଁ ସର୍ବାଧିକ ୩ ହଜାର ୨୮୭ ଜଣ ଆତ୍ମହତ୍ୟା କରିଥିଲେ । ଯଦି ଅ।।ମେ ପୁରୁଷଙ୍କ ସଂଖ୍ୟା ଦେଖିବା ତା’ହେଲେ ପରିବାର କଳହ ପାଇଁ ୨୨୩୧ ଜଣ ଆତ୍ମହତ୍ୟା କରିଛନ୍ତି । ସେହିପରି ଅଫିସ୍ର ଚାପ ଓ ପାରିବାରିକ ବିବାଦ ପାଇଁ ସରକାରୀ କର୍ମଚାରୀ ନିଜକୁ ଶେଷ କରିଦେଉଛନ୍ତି । କିଏ ନିଜ ସର୍ଭସ୍ ବନ୍ଧୁକରେ ଗୁଳି କରି ଆତ୍ମହତ୍ୟା କରୁଛି ତ’ ପୁଣି କିଏ ଦଉଡ଼ି ଲଗାଇ ଆତ୍ମହତ୍ୟା କରୁଛି ।

NCRB ରିପୋର୍ଟରେ କହୁଛି ୨୦୨୨ରୁ ୨୦୨୪ ମଧ୍ୟରେ ୬୧ ଜଣ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ୨୦୨୪ରେ ୭ ଜଣ ସରକାର କର୍ମଚାରୀ ଆତ୍ମହତ୍ୟା କରିଥିଲେ । ୨୦୨୩ରେ ମାତ୍ର ଜଣେ ସରକାର କର୍ମଚାରୀ ଜୀବନ ହାରିଥିଲେ । ୨୦୨୨ରେ ଓଡ଼ିଶାରେ ୧୧ ଜଣ ମହିଳା ଓ ୪୨ ଜଣ ପୁରୁଷ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଥିଲେ । ସେଥରୁ ୩ ଜଣ ଥିଲେ କେନ୍ଦ୍ର ସରକାରୀଙ୍କ କର୍ମଚାରୀ । ଗତ ୧୫ ବର୍ଷ ମଧ୍ୟରେ ୧୯ ଜଣ ପୁଲିସ୍ କର୍ମଚାରୀ ଜୀବନ ହାରିଛନ୍ତି । ୩ ଜଣ ନିଜ ବନ୍ଧୁକରେ ଗୁଳି କରି ଜୀବନ ହାରିଥିବା ବେଳେ ୪ ଜଣ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି ।