ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ୯ମ ଶ୍ରେଣୀ ସାମାଜିକ ବିଜ୍ଞାନର ଏକ ନୂଆ ବହି ପ୍ରକାଶ କରିଛି । ନିଜର ନୂଆ ବହି ‘ଅଣ୍ଡରଷ୍ଟାଣ୍ଡିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ’ (Understanding Society: India and Beyond)ରେ ଅନେକ ପରିବର୍ତ୍ତନ କରିଛି ।

ଟିଭି9 ହିନ୍ଦୀ ରିପୋର୍ଟ ଅନୁସାରେ, ନୂଆ ପାଠ୍ୟକ୍ରମରେ ଜରୁରୀକାଳୀନ ପରିସ୍ଥିତି (ଏମର୍ଜେନ୍ସି) ଉପରେ ଏକ ନୂଆ ଅଧ୍ୟାୟ ଯୋଡ଼ା ଯାଇଛି । ସେହିପରି ନୂଆ ବହିରୁ ସମାଜବାଦ, ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ରର ସବିଶେଷ ବ୍ୟାଖ୍ୟାକୁ ହଟାଇ ଦିଆଯାଇଛି । ଏହା ସହିତ ସମ୍ବିଧାନର ପ୍ରସ୍ତାବନାକୁ ମଧ୍ୟ ସୀମିତ କରାଯାଇଛି । ଏହା ବ୍ୟତୀତ ନୂଆ ବହିରେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ (SIR)କୁ ସାମିଲ କରାଯାଇଛି । ଏବେ ଛାତ୍ରଛାତ୍ରୀମାନେ ଏସଆଇଆର୍ ବିଷୟରେ ପଢ଼ିବେ ।

୯ମ ଶ୍ରେଣୀ ନୂଆ ସାମାଜିକ ବିଜ୍ଞାନ ବହିରେ ସମ୍ବିଧାନର ପ୍ରସ୍ତାବନା ସୀମିତ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ବିସ୍ତୃତ ସୂଚନା ଥିଲା, ତାକୁ ହଟାଇ ଦିଆଯାଇଛି । ପୂର୍ବରୁ ସମ୍ବିଧାନର ପ୍ରସ୍ତାବନାରେ ଲେଖାଯାଇଥିବା ଶବ୍ଦଗୁଡ଼ିକୁ ବିସ୍ତୃତ ଭାବରେ ବୁଝାଯାଇଥିଲା । ପୂର୍ବରୁ Sovereign (ସାର୍ବଭୌମ), Socialist (ସମାଜବାଦ), Secular (ଧର୍ମନିରପେକ୍ଷ), Democratic (ଗଣତାନ୍ତ୍ରିକ), Liberty (ସ୍ୱାଧୀନତା), Equality (ସମାନତା), Fraternity (ଭ୍ରାତୃଭାବ) - ଏହି ସବୁ ଶବ୍ଦର ଅର୍ଥକୁ ଭଲ ଭାବରେ ବୁଝାଇ ଲେଖାଯାଇଥିଲା । ନୂଆ ବହିରେ ଏହି ସବୁ ବିଷୟରେ ଥିବା ସବିଶେଷ ସୂଚନାକୁ ହଟାଇ ଦିଆଯାଇଛି ।

SIR ବିଷୟରେ ପଢ଼ାଯିବ

ନୂଆ ବହିରେ ଛାତ୍ରଛାତ୍ରୀମାନେ ଭାରତୀୟ ନିର୍ବାଚନ କମିଶନଙ୍କ ଏସଆଇଆର ବିଷୟରେ ପଢ଼ିବେ । ବହିରେ ସ୍ପଷ୍ଟ କରାଯାଇଛି ଯେ, ଏସଆଇଆରର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ଭୋଟର ଯେପରି ବାଦ ନ ପଡ଼ନ୍ତି ଏବଂ ଅଯୋଗ୍ୟ ବ୍ୟକ୍ତି ଯେପରି ଭୋଟର ତାଲିକାରେ ସାମିଲ ନ ହୁଅନ୍ତି, ତାହା ନିଶ୍ଚିତ କରିବା । ଏଥିରେ କୁହାଯାଇଛି ଯେ, ୧୮ ବର୍ଷ ପୂରଣ କରିଥିବା ନୂଆ ଭୋଟରମାନଙ୍କ ନାମ ଯୋଡ଼ାଯାଏ, ସେହିପରି ମୃତ୍ୟୁ, ବାସସ୍ଥାନ ପରିବର୍ତ୍ତନ, ଦୁଇଟି ସ୍ଥାନରେ ନାମ ପଞ୍ଜୀକରଣ କିମ୍ବା ଅନ୍ୟାନ୍ୟ ଭୁଲ୍ କାରଣରୁ ନାମ ହଟାଇ ଦିଆଯାଏ ।

ବେଦ ଏବଂ ଭାରତୀୟ ଜ୍ଞାନ ପରମ୍ପରାକୁ ସ୍ଥାନ ମିଳିଲା

ଏନସିଇଆଇଟିର ୯ମ ଶ୍ରେଣୀ ନୂଆ ସାମାଜିକ ବିଜ୍ଞାନ ବହିରେ ବେଦ ଏବଂ ପ୍ରାଚୀନ ଭାରତୀୟ ଜ୍ଞାନ ପରମ୍ପରାକୁ ସାମିଲ କରାଯାଇଛି । ଏବେ ଛାତ୍ରଛାତ୍ରୀଙ୍କୁ ଋକବେଦ, ଯଜୁର୍ବେଦ, ସାମବେଦ ଏବଂ ଅଥର୍ବବେଦ ବିଷୟରେ ପଢ଼ାଯିବ । ବହିରେ କୁହାଯାଇଛି ଯେ, ବେଦ ହେଉଛି ଭାରତୀୟ ସଭ୍ୟତା ଏବଂ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ମୂଳଦୁଆ । ବେଦ ମାଧ୍ୟମରେ ଧର୍ମ, ଦର୍ଶନ, ସମାଜ, ଶିକ୍ଷା, ସଙ୍ଗୀତ ଏବଂ ଜୀବନର ମୂଲ୍ୟବୋଧ ଭଳି ବିଷୟଗୁଡ଼ିକର ଅଧ୍ୟୟନ କରାଯିବ । ପୁସ୍ତକରେ ବେଦକୁ ଭାରତୀୟ ଜ୍ଞାନ ପରମ୍ପରାର ସବୁଠାରୁ ପ୍ରାଚୀନ ଗ୍ରନ୍ଥ ବୋଲି କୁହାଯାଇଛି ।