ଭୁବନେଶ୍ୱର ୧୧।୧୧ :  ନିଶା ମାଫିଆଙ୍କ ଉପରେ NCBର ବଡ଼ ଆକ୍ସନ୍ । ଗଞ୍ଜେଇ ଚାଲାଣ ରାକେଟ୍‌କୁ ଭାଙ୍ଗିବା ପାଇଁ NCBର ଲଗାତାର ଅପରେସନ୍। କଟକ ଷ୍ଟକୟାର୍ଡରୁ ୩୫୬ କେଜି ଗଞ୍ଜେଇ ଜବତ ପରେ ତଦନ୍ତକୁ ଆହୁରି ଜୋରଦାର କରିଥିଲା NCB। ନିରନ୍ତର ନଜର ଓ ଗୁଇନ୍ଦା ତଥ୍ୟ ଆଧାରରେ ଆଉ ଏକ ବଡ଼ ଗଞ୍ଜେଇ ଚାଲାଣକୁ ଧରିବାରେ ସଫଳ ହୋଇଛି ତଦନ୍ତକାରୀ ଟିମ୍।

ତେବେ ଏହି ଅପରେସନ୍‌ରେ ଆଦିତ୍ୟ ଚନ୍ଦା, ରାମକାନ୍ତ କର୍ଣ୍ଣ ଓ ମଳୟ ବିଶୋଇଙ୍କୁ ଗିରଫ କରିଛି NCB। ଆଦିତ୍ୟଙ୍କ ଘର ଅନୁଗୋଳ ଜିଲ୍ଲାରେ ହୋଇଥିବା ବେଳେ ରାମକାନ୍ତ ବୌଦ୍ଧ ଓ ମଳୟ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୪୧୭ କେଜି ଗଞ୍ଜେଇ ଜବତ ହୋଇଛି।

Also Read:-ଟ୍ରକ୍ ପଛରେ ପିଟିହେଲା ମୁକ୍ତେଶ୍ୱର ବସ୍, ଡ୍ରାଇଭର ସମେତ ୧୫ରୁ ଅଧିକ ଆହତ

ସେହିପରି ଏହି ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗୋଟିଏ କାର୍ ଓ ଗୋଟିଏ ଟ୍ରାଭେଲରକୁ ମଧ୍ୟ ଜବତ କରିଛି NCB। ତଦନ୍ତରେ ଏହି ରାକେଟ୍‌ର ମାଷ୍ଟରମାଇଣ୍ଡକୁ ଧରିବାରେ ମଧ୍ୟ ସଫଳତା ମିଳିଥିବା ସୂଚନା ମିଳିଛି। ଏହି ମାମଲାରେ ପୂର୍ବରୁ ଜବତ ହୋଇଥିବା ୩୫୬ କେଜି ସହ ନୂଆ ଜବତ ୪୧୭ କେଜିକୁ ମିଶାଇ ମୋଟ ୭୭୫ କେଜି ଗଞ୍ଜେଇ ଜବତ ହୋଇଛି। ଆଉ ଗିରଫ ହୋଇଛନ୍ତି ମୋଟ ୬ ଜଣ ଅଭିଯୁକ୍ତ। ତେବେ ଏହି ରାକେଟ୍‌ର ଚେର କେତେ ଦୂର ଲମ୍ବିଛି ଏବଂ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ NCBର ତଦନ୍ତ ଜାରି ରହିଛି।