ଛତ୍ରପୁର ୧୧।୧୧: ଟ୍ରକ୍କୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଚାଳକ ସମେତ ୧୫ରୁ ଅଧିକ ଆହତ । ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବା ଏକ ବସ୍ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଜଗନ୍ନାଥପୁର ଠାରେ ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଜଗନ୍ନାଥପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ‘ମୁକ୍ତେଶ୍ୱର’ ନାମକ ଏକ ଯାତ୍ରୀବାହୀ ବସ୍ ଟ୍ରକ୍ ପଛକୁ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ବସ୍ ଚାଳକ ସମେତ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଯାତ୍ରୀବାହୀ ବସ୍ ପ୍ରାୟ ୪୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା । ଦୁର୍ଘଟଣା ଏତେ ଜୋର୍‌ରେ ଥିଲା ଯେ ବସ୍‌ର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।

Also Read:-ଶରଦ ପାଓ୍ଵାର ହୋଇ ପାରିଥାନ୍ତେ ପ୍ରଧାନମନ୍ତ୍ରୀ, ସୋନିଆଙ୍କ ପୁସ୍ତକ ଉପରେ ବଡ଼ ବୟାନ ଦେଲେ କେନ୍ଦ୍ର ମନ୍ତ୍ରୀ

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ, ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ, ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇଥିଲା । ସୂଚନା ଅନୁସାରେ ସେହି ରାସ୍ତା ଦେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯାଉଥିବା ବେଳେ ଘଟଣାସ୍ଥଳରେ ଅଟକି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ । ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡିକୁ ରାସ୍ତାରୁ ହଟାଇବା ସହ ଅଧିକ ତଦନ୍ତ ଜାରି ରଖିଛି ଚମାଖଣ୍ଡି ପୋଲିସ ।