ଭୁବନେଶ୍ଵର: ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକକୁ ପିଟିପିଟି ସର୍ବସମ୍ମୁଖରେ ହତ୍ୟା କରାଯିବା ପରି ଘଟଣା ରାଜ୍ୟରେ ଚହଳ ପକାଇଛି। ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ବର୍ବର ଘଟଣା। ରାଜ୍ୟ ରାଜଧାନୀ ନିକଟରେ ଏପରି ଜଘନ୍ୟ ଘଟଣା ଘଟୁଥିଲେ ବି ସରକାରଙ୍କ ଅସମ୍ଭବ ନୀରବତା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।

ସରକାର ଅସହାୟ କାହିଁକି ?

ସେ କହିଛନ୍ତି, ପୋଲିସ ଉପସ୍ଥିତିରେ ଯଦି ଏପରି ଘଟଣା ଘଟୁଛି, ତେବେ ଲୋକେ କାହାକୁ ସୁରକ୍ଷା ମାଗିବେ? ଅପରାଧୀଙ୍କ ଆଗରେ ପୋଲିସ ପ୍ରଶାସନ, ସରକାର ଏତେ ଅସହାୟ କାହିଁକି ? ଭୁବନେଶ୍ୱର ଉପକଣ୍ଠରେ ଯଦି ସରକାର ଏପରି ଘଟଣାକୁ ରୋକିବାରେ ଅସମର୍ଥ, ତେବେ ସାରା ରାଜ୍ୟର ଅବସ୍ଥା କ'ଣ ତାହା ସ୍ପଷ୍ଟ ଅନୁମେୟ। ନିକଟରେ ହିଞ୍ଜିଳି, କଣାସ ଓ ଢେଙ୍କାନାଳରେ ଘଟିଥିବା ବର୍ବର କାଣ୍ଡରେ ସରକାର କ'ଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ?

ସାଧାରଣ ଜନତାଙ୍କ ସୁରକ୍ଷା ସରକାର କାହିଁକି ବିପନ୍ନ କରୁଛନ୍ତି? ବଡ଼ ବଡ଼ ଭାଷଣରେ ସରକାର ଚାଲେନି, ମିଛ ବାହାସ୍ଫୋଟରେ ସରକାର ଚାଲେନି।ସରକାର ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋକଙ୍କ ସୁରକ୍ଷା ତଥା ଓଡ଼ିଶାରେ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ।

​​​​​​​କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ସରକାର

ଅନ୍ୟପଟେ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ମବ୍ ଲିଞ୍ଚିଙ୍ଗ୍ ବା ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ଆସନ୍ତାକାଲି ବାଲିଅନ୍ତା ଯିବେ। ସମ୍ପୃକ୍ତ ମହିଳାମାନଙ୍କ ସହିତ ଆଲୋଚନା କରି ସତ୍ୟାସତ୍ୟର ଅନୁସନ୍ଧାନ କରିବେ।

ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପ୍ରତି ପୋଲିସ ପ୍ରଶାସନ ଓ ପୋଲିସ ବାହିନୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।