ଭିଏନା: ୟୁକ୍ରେନ ଡ୍ରୋନକୁ ଗୁଳି କରି ଖସାଇଲା ନାଟୋ ଯୁଦ୍ଧବିମାନ । ଏଷ୍ଟୋନିଆ ଉପର ଦେଇ ଉଡ଼ୁଥିବା ଏକ ସନ୍ଦିଗ୍ଧ ୟୁକ୍ରେନୀୟ ଡ୍ରୋନକୁ ନାଟୋର ଏକ ଏୟାର ପୋଲିସିଂ ଯୁଦ୍ଧବିମାନ ଗୁଳି କରି ଖସାଇ ଦେଇଛି । ବାଲ୍ଟିକ ଦେଶଗୁଡ଼ିକରେ ବାରମ୍ବାର ଆକାଶମାର୍ଗ ଉଲ୍ଲଂଘନ ହେଉଥିବା ମଧ୍ୟରେ, ବାଲ୍ଟିକ ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି ।

ଏଷ୍ଟୋନିଆ ଗଣମାଧ୍ୟମ ରିପୋର୍ଟ ଅନୁସାର, ଲିଥୁଆନିଆର ସିଆଉଲିଆଇ ଠାରେ ମୁତୟନ ଥିବା ରୋମାନିଆର ଏକ ଏଫ-୧୬ ଫାଇଟର୍ ଜେଟ୍ ଦ୍ୱାରା ଏହି ଡ୍ରୋନକୁ ଖସାଯାଇଛି । ଏଷ୍ଟୋନିଆର ପ୍ରତିରକ୍ଷା ମନ୍ତ୍ରୀ ହାନୋ ପେଭକୁର କହିଛନ୍ତି, ଡ୍ରୋନଟି ଦେଶର ସୀମା ଭିତରକୁ ପ୍ରବେଶ କରିବା ପୂର୍ବରୁ ହିଁ ଏଷ୍ଟୋନିଆର ରାଡାର ଏହି ବିପଦକୁ ଚିହ୍ନଟ କରିଥିଲା ।

ଏଷ୍ଟୋନିଆ ସରକାରଙ୍କର ବରିଷ୍ଠ ଅଧିକାରୀ ମଧ୍ୟ ଏହି ଘଟଣାକୁ ସ୍ପଷ୍ଟ କରିଛନ୍ତି । ସ୍ଥାନୀୟ ସମୟ ପ୍ରାୟ ଦିନ ୧ଟାରେ ଭୋର୍ଟସଜାର୍ଭ ହ୍ରଦ ଏବଂ ପୋଲ୍ଟସାମା ମଧ୍ୟରେ ଥିବା ଏକ ଆଦ୍ରଭୂମିରେ ଡ୍ରୋନଟି ଖସିପଡ଼ିଥିଲା । ଏହି ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ୟୁକ୍ରେନ ପକ୍ଷରୁ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରାଯାଇଛି । ୟୁକ୍ରେନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହେଓରହି ତିଖି କହିଛନ୍ତି, "ଏଭଳି ଅନିଚ୍ଛାକୃତ ଘଟଣା ପାଇଁ ଆମେ ଏଷ୍ଟୋନିଆ ଏବଂ ଆମର ସମସ୍ତ ବାଲ୍ଟିକ ବନ୍ଧୁମାନଙ୍କୁ କ୍ଷମା ମାଗୁଛୁ ।"

ନଷ୍ଟ ହୋଇଥିବା ଡ୍ରୋନର ଭଗ୍ନାବଶେଷ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ । ଏଷ୍ଟୋନିଆ କର୍ତ୍ତୃପକ୍ଷ ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ବି ଭଗ୍ନାବଶେଷକୁ ନଛୁଇଁବା ପାଇଁ ସତର୍କ କରାଇ ଦେଇଛନ୍ତି । ଆକାଶମାର୍ଗ ଅନୁପ୍ରବେଶକୁ ନେଇ ଜାରି କରାଯାଇଥିବା ସିଭିଲ୍ ଆଲର୍ଟକୁ ବର୍ତ୍ତମାନ ହଟାଇ ଦିଆଯାଇଛି । ରୁଷ ପକ୍ଷରୁ ଲାଟଭିଆକୁ କଡ଼ା ଭାଷାରେ ଧମକ ଦିଆଯିବାର ମାତ୍ର କେଇ ଘଣ୍ଟା ପରେ ଏହି ଡ୍ରୋନକୁ ଖସାଯିବା ଘଟଣା ସାମ୍ନାକୁ ଆସିଛି । ରୁଷର ବୈଦେଶିକ ଗୁପ୍ତଚର ସଂସ୍ଥା ବିନା କୌଣସି ପ୍ରମାଣରେ ଦାବି କରିଥିଲା ଯେ, ଲାଟଭିଆ ନିଜର ଭୂଖଣ୍ଡକୁ ରୁଷ ବିରୁଦ୍ଧରେ ବ୍ୟବହାର ପାଇଁ ୟୁକ୍ରେନକୁ ଦେଉଛି ।

ଅନୁମାନ କରାଯାଉଛି ଯେ, ରୁଷ ବୋଧହୁଏ ତାର ଇଲେକ୍ଟ୍ରୋନିକ ୱାରଫେୟାର ମାଧ୍ୟମରେ ୟୁକ୍ରେନର ଦୂରଗାମୀ ଡ୍ରୋନଗୁଡ଼ିକର ଦିଗ ବଦଳାଇ ଦେଉଛି । ଡ୍ରୋନଗୁଡ଼ିକ ଜାମିଂ ଯୋଗୁ ବାଲ୍ଟିକ ସାଗରର ପୂର୍ବ ପ୍ରାନ୍ତରେ ଥିବା ନାଟୋ ସଦସ୍ୟ ଦେଶଗୁଡ଼ିକ ଆଡ଼କୁ ଚାଲିଯାଉଛନ୍ତି ।