କଟକ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ବାଘର ମୃତ୍ୟୁ। ପ୍ରାୟ ୧୬ ବର୍ଷ ବୟସ୍କ ଅଣ୍ଡିରା ବାଘ ‘ସୈଫ୍’ର ଶୁକ୍ରବାର ଭୋର ସମୟରେ ମୃତ୍ୟୁ ହୋଇଛି। ତା’ର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୫କୁ ହ୍ରାସ ପାଇଛି।

ସୂଚନା ଅନୁଯାୟୀ, ନନ୍ଦନକାନନର ୩୧-ଡି ଖୁଆଡ଼ରେ ରହୁଥିବା ବାଘ ସୈଫ୍ ଗତ ୧୮ ତାରିଖରୁ ଖାଦ୍ୟ ଗ୍ରହଣ କରିବା କମାଇ ଦେଇଥିଲା। ପରୀକ୍ଷା ପରେ ତା’ଠାରେ ଲିଭର ସମସ୍ୟା ଥିବା ଜଣାପଡ଼ିଥିଲା। ଏହାପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା। ଲିଭର ସମସ୍ୟାର ଚିକିତ୍ସା ସହ ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ସୈଫ୍‌ର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ବରଂ ଧୀରେ ଧୀରେ ତା’ର ଅବସ୍ଥା ଅଧିକ ଗୁରୁତର ହୋଇଥିଲା। ଶେଷରେ ୨୭ ତାରିଖ ଭୋର ସମୟରେ ସେ ଆଖି ବୁଜିଥିଲା।

ନନ୍ଦନକାନନରେ ବାଘ ବଂଶ ବୃଦ୍ଧିରେ ସୈଫ୍‌ର ଉଲ୍ଲେଖନୀୟ ଅବଦାନ ରହିଥିଲା। ବିଜୟା, ଅଙ୍କିତା ଓ ସ୍ନେହା ନାମକ ତିନିଟି ବାଘୁଣୀଙ୍କ ସହ ଚାରିଥର ମିଳନରୁ ମୋଟ ୮ଟି ଶାବକ ଜନ୍ମ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ପ୍ରାୟ ୬ ବର୍ଷ ବୟସରେ ସୈଫ୍ ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିଲା। ତା’ର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୧୬ଟି ସାଧାରଣ ରଙ୍ଗର ବାଘ, ୫ଟି ଧଳା ବାଘ ଓ ୪ଟି କଳା ରଙ୍ଗର ମେଲାନିଷ୍ଟିକ୍ ବାଘ ରହିଛନ୍ତି।