ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଚ୍ଚ ଉଦ୍ୟାନରେ ଲୋପ ପାଇଗଲା ମର୍ମୋସେଟ୍ ପ୍ରଜାତିର ମାଙ୍କଡ଼ ବଂଶ। ପ୍ରାଣୀ ଉଦ୍ୟାନର ‘ବାନର ଦୁନିଆ’ ଖୁଆଡ଼ରେ ବହୁ ବିଦେଶୀ ମାଙ୍କଡ଼ ଅଛନ୍ତି। ୫୯(ଏଫ) ଖୁଆଡ଼ରେ ହଳେ ମର୍ମୋସେଟ ରହୁଥିଲେ। ତେବେ ଗତ ଗୁରୁବାର ଭୋର ୫ଟାରୁ ୬ଟା ମଧ୍ୟରେ ଏକ ବିଷଧର ସାପ ଖୁଆଡ଼ରେ ପଶି ଏକ ଘଣ୍ଟା ଅନ୍ତରରେ ଦୁଇ ମର୍ମୋସେଟ ମାଙ୍କଡ଼ଙ୍କୁ ଦଂଶନ କରିଥିଲା। ଫଳରେ କିଛି କ୍ଷଣ ମଧ୍ୟରେ ଦୁଇ ମାଙ୍କଡ଼ଙ୍କ ଜୀବନ ଚାଲିଯାଇଥିଲା। ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଏତେବଡ଼ ଅଘଟଣ ଘଟିଲା ଓ ଦୁଇ ମର୍ମୋସେଟଙ୍କ ଜୀବନ ଚାଲିଗଲା ବୋଲି ଜନ୍ତୁପ୍ରେମୀମାନେ ଅଭିଯୋଗ କରିଛନ୍ତି ।

ମାଙ୍କଡଙ୍କୁ ସୁହାଇବା ଭଳି ଓ ଭିତରକୁ କିଛି ବାହାର ଜନ୍ତୁ ପ୍ରବେଶ ନକରିବା ଭଳି ଖୁଆଡ଼ ନିର୍ମାଣ କରାଯାଇଛି। ଏହା ସତ୍ତ୍ୱେ ତାରଜାଲି ଦେଇ ଖୁଆଡ଼ ଭିତରକୁ କିପରି ସାପ ପଶିଲା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ସର୍ପ ଦଂଶନରେ ଦୁଇ ମର୍ମୋସେଟ୍ ମାଙ୍କଡ଼ଙ୍କ ମୃତ୍ୟୁ ଘଟିଛି। ଶୁଣିବାକୁ ମିଳୁଛି ଖୁଆଡ଼ରେ ଲାଗିଥିବା ଜାଲି ଦେଇ ସାପ ସହଜରେ ପଶିପାରିବ। ତେଣୁ ସାପ ସହଜରେ ପଶି ଦୁଇ ମାଙ୍କଡକୁ ଦଂଶନ କରିଛି।

also read- ହସ୍ପିଟାଲ୍‌ରେ ଜଗାକୁ ରାଖୀ ବାନ୍ଧିଲା କୁନି ଭଉଣୀ ସୁଭଦ୍ରା, ଭାବବିହ୍ୱଳ ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ

ତେଣୁ ଏବେ ତାରଜାଳି ନାଲି ବଦଳାଯାଇ ସରୁ ଜାଲି ଲଗାଯାଇଛି। ଦୁଇଟି ଜନ୍ତୁ ମଲା ପରେ କର୍ତ୍ତୃପକ୍ଷଙ୍କୁ ଚେତା ପଶିଛି। ପୂର୍ବରୁ ବିଭାଗୀୟ ଅଧିକାରୀ କ’ଣ କରୁଥିଲେ ବୋଲି ଜନ୍ତୁପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି ଯିଏ ଜୀବବିଜ୍ଞାନୀ(ବାୟୋଲୋଜିଷ୍ଟ ) ଅଛନ୍ତି ସେ ଖୁଆଡ଼ ଅସୁବିଧା ଓ ସୁବିଧା ଉପରେ ଦୃଷ୍ଟି ଦେବା କଥା। କିନ୍ତୁ ଏବେ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହାର ଅବହେଳା ପାଇଁ ଏହି ମାଙ୍କଡ଼ ଦ୍ଵୟଙ୍କ ଜୀବନ ଗଲା, ତଦନ୍ତ କରିବାକୁ ଜନ୍ତୁପ୍ରେମୀମାନେ ଦାବି କରିଛନ୍ତି। ନଚେତ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ପ୍ରାଣୀ ଉଦ୍ୟାନ ଜନ୍ତୁ ଶୂନ୍ୟ ହୋଇଯିବ ବୋଲି ସେମାନେ କହିଛନ୍ତି।