ମୁମ୍ବାଇ: ଆଉ ଦୁନିଆରେ ନାହାନ୍ତି ପ୍ରଖ୍ୟାତ ଅଭିନେତା ନାନା ପାଟେକର । ହୃଦଘାତ ଯୋଗୁଁ ଗୁରୁବାର ସକାଳ ପ୍ରାୟ ୫ଟା ୨୦ରେ ତାଙ୍କର ପରଲୋକ ଘଟିଛି । ଶତ ଚେଷ୍ଟା ସତ୍ତ୍ଵେ ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ତାଙ୍କର ବିୟୋଗରେ ପୂରା ବଲିଉଡ ସ୍ତବ୍ଧ । କେବଳ ବଲିଉଡ ନୁହେଁ ସବୁ ମହଲରେ ଶୋକର ଛାୟା ଖେଳି ଯାଇଛି । ନାନା ପାଟେକର କେବଳ ଜଣେ ଅଭିନେତା ନ ଥିଲେ, ସାମାଜିକ କର୍ମୀ ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି । ଗରିବ ଲୋକଙ୍କ ପାଇଁ କାମ କରିବା ଏବଂ ସେମାନଙ୍କ ପାଇଁ ଲଢିବା ନାନା ପାଟେକରଙ୍କ ଜୀବନର ଏକ ମହତ କାମ ଥିଲା । ଏତେ ବଡ଼ ବ୍ୟକ୍ତିତ୍ଵର ଧନୀ ହୋଇ ମଧ୍ୟ ନାନା ପାଟେକର ନିଜର ପରିବାର ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖୁଥିଲେ। ସେ ଲାଇମଲାଇଟରୁ ଦୂରେଇ ରହୁଥିଲେ ।

୧୯୭୮ ମସିହାରେ ନାନା ଅଭିନେତ୍ରୀ ତଥା ଲେଖିଲା ନୀଲକାନ୍ତିଙ୍କୁ ବିବାହ କରିଥିଲେ । ନୀଲକାନ୍ତି ବ୍ୟାଙ୍କରେ ଅଧିକାରୀ ଭାବେ କାମ କରି ସାରିଥିଲେ ଏବଂ ଥିଏଟର ସହ ଜଡ଼ିତ ଥିଲେ। ଅଭିନୟ ପ୍ରତି ତାଙ୍କର ଖାସ୍ ରୁଚି ରହିଥିଲା । ମରାଠି ଥିଏଟରରେ ସେ କାମ କରିଥିଲେ। ବିବାହ ପରେ ବି ସେ ନାନାଙ୍କ ସଂଘର୍ଷ ସମୟରେ ଖୁବ୍ ସମର୍ଥନ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ପରସ୍ପରଠୁ ଅଲଗା ରହିବାକୁ ଲାଗିଥିଲେ । ନାନା ଏକ ପୁରୁଣା ସାକ୍ଷାତକାରରେ କହିଥିଲେ ଯେ, ଅଲଗା ରହିବା ସତ୍ତ୍ଵେ ବି ଦୁହିଁଙ୍କ ମଧ୍ୟରେ ସମ୍ମାନ ଏବଂ ଉତ୍ତମ ସଂପର୍କ ଥିଲା ।

Also Read: 'ମୁଁ ମରିଗଲେ କାନ୍ଦିବନି, ମତେ ଓଦା କାଠରେ ଜାଳିବନି'...ନାନାଙ୍କ ଇଚ୍ଛା ରୋକିପାରିଲାନି ଫ୍ୟାନ୍ସଙ୍କ ଆଖିର ଲୁହ

ଅଢେଇ ବର୍ଷରେ ବଡ଼ ପୁଅର ମୃତ୍ୟୁ

ଦୁହିଁଙ୍କର ଦୁଇଟି ପୁଅ । ସାନ ପୁଅ ହେଉଛି ମଲହାର ପାଟେକର, ଯିଏ ଫିଲ୍ମ ଦୁନିଆରେ ଜଡ଼ିତ ଅଛନ୍ତି ଏବଂ ନିଜ ପିତାଙ୍କ ପ୍ରଡକ୍ସନ କାମ ସମ୍ଭାଳୁଛନ୍ତି । ପିତା ନାନାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଗୋଆ ଅଭିମୁଖେ ବାହାରି ଯାଇଛନ୍ତି । ବଡ଼ ପୁଅର ନାଁ ହେଉଛି ଦୁର୍ବାସା । ହେଲେ ରୋଗ କାରଣରୁ ମାତ୍ର ଅଢେଇ ବର୍ଷ ବୟସରେ ଦୁର୍ବାସାଙ୍କ ମୃତ୍ୟୁ ଘଟିଥିଲା । ନାନା ଅନେକ ସମୟରେ ନିଜ ପୁଅକୁ ହରାଇବାର ଯନ୍ତ୍ରଣା ବିଷୟରେ ଉଲ୍ଲେଖ କରିଛନ୍ତି ।

ପିଲା ଦିନ ଏବଂ ବାପା ମାଆ

ନାନା ପାଟେକର ମହାରାଷ୍ଟ୍ରର ମୁରୁଦ ଜଞ୍ଜିରାରେ ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆଙ୍କ ନାଁ ସଞ୍ଜନାବାଇ ପାଟେକର ଏବଂ ବାପାଙ୍କ ନାଁ ଦିନକର ପାଟେକର, ଯିଏ ପେଶାରେ ଜଣେ ଚିତ୍ରକର । ନାନା ପାଟେକର ଛୋଟ ଥିବା ବେଳେ ତାଙ୍କ ବାପାଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା । ଏହା ପରେ ମାଆ ହିଁ ସବୁ ଦାୟିତ୍ଵ ସମ୍ଭାଳିଥିଲେ। । ୯୯ ବର୍ଷ ବୟସରେ ୨୦୧୯ ମସିହା ଜାନୁଆରୀରେ ସଞ୍ଜନାଙ୍କ ପ୍ରାଣହାନୀ ଘଟିଥିଲା । ନାନା ପାଟେକରଙ୍କ ଦୁଇ ଭାଇ ଅଶୋକ ପାଟେକର ଏବଂ ଦିଲୀପ ପାଟେକର । ନାନା ଏତେ ବଡ଼ ଅଭିନେତା ହୋଇଥିଲେ ହେଁ ତାଙ୍କ ଦୁଇ ଭାଇ ଲୋକଲୋଚନରୁ ଦୂରରେ ରହୁଥିଲେ ।