ନାଗପୁର: ନାଗପୁରର ଜଣେ ଅଟୋ ଡ୍ରାଇଭର, ଯିଏ 'ରାଜୁ ବାବା' ନାମରେ ପରିଚିତ, ତାଙ୍କର ଏକ ମହତ କାର୍ଯ୍ୟ ପାଇଁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜଣେ ଯାତ୍ରୀ ଭୁଲବଶତଃ ତାଙ୍କୁ ୫୦ ଟଙ୍କା ଅଧିକ ଦେବା ପରେ, ସେ ସେହି ଟଙ୍କା ନିଜ ପକେଟରେ ରଖିବା ପରିବର୍ତ୍ତେ ଅନ୍ୟ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରିଛନ୍ତି।

କଣ ଘଟିଥିଲା ସେହି ଦିନ?

ରାଜୁ ବାବା ନିଜର ଇନଷ୍ଟାଗ୍ରାମ ଭିଡ଼ିଓରେ ଦେଖାଇଛନ୍ତି ଯେ, ସେ ଯାତ୍ରା ପରେ ଜାଣିବାକୁ ପାଇଲେ ଯେ ଜଣେ ଯାତ୍ରୀ ତାଙ୍କୁ ୫୦ ଟଙ୍କା ଅଧିକ ଦେଇ ଦେଇଛନ୍ତି। ଏହି ଟଙ୍କାକୁ ସେ କିଭଳି ଭାବେ ଲୋକଙ୍କ ସାହାଯ୍ୟରେ ଲଗାଇଲେ । ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧାଙ୍କୁ ସେ ନିଜ ଅଟୋରେ ବସାଇ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ନେଇଥିଲେ। ଗାଡ଼ିରୁ ଓହ୍ଲାଇବା ସମୟରେ ସେ ବୃଦ୍ଧାଙ୍କୁ ସେହି ଅଧିକ ଟଙ୍କାରୁ ୧୦ ଟଙ୍କା ସାହାଯ୍ୟ ଭାବେ ଦେଇଥିଲେ। କିଛି ଦୂର ଯିବା ପରେ ସେ ଖରାରେ ଚାଲୁଥିବା ଜଣେ ବୃଦ୍ଧଙ୍କୁ ଦେଖିଲେ। ରାଜୁ ସେଠାରେ ଅଟୋ ରଖି ତାଙ୍କୁ ଆଉ ୧୦ ଟଙ୍କା ଦେବା ସହ ପିଇବା ପାଇଁ ପାଣି ମଧ୍ୟ ଦେଇଥିଲେ। ୨୦ ଟଙ୍କା ବାଣ୍ଟିବା ପରେ ରାଜୁ କ୍ୟାମେରା ଆଗରେ ହସି ହସି କହିଥିଲେ ଯେ, ଏବେ ତାଙ୍କ ପାଖରେ ଆଉ ୩୦ ଟଙ୍କା ଅଛି ଏବଂ ସେ ତାକୁ ମଧ୍ୟ ଅନ୍ୟ କାହାର ସେବାରେ ଲଗାଇବାକୁ ଚାହୁଁଛନ୍ତି।

ସୋସିଆଲ ମିଡିଆରେ ପ୍ରଶଂସାର ସୁଅ

ରାଜୁଙ୍କ ଏହି କାର୍ଯ୍ୟକୁ ଦେଖି ନେଟିଜେନ୍‌ମାନେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ଏହି ଭିଡିଓ ଦେଖୁଥିବା ଅନେକ ୟୁଜର କହିଛନ୍ତି ଯେ, ଉଦାରତା କେତେ ଟଙ୍କା ଅଛି ତାହା ଉପରେ ନିର୍ଭର କରେ ନାହିଁ, ବରଂ ଅନ୍ୟକୁ ଦେବାର ଇଚ୍ଛା ଉପରେ ନିର୍ଭର କରେ।

 ଅନେକ ୟୁଜର୍ କମେଣ୍ଟ କରିଛନ୍ତି ଯେ, ସୋସିଆଲ ମିଡିଆରେ ଆଜିକାଲି ସନସନୀଖେସ ଖବର ପରିବର୍ତ୍ତେ ଏଭଳି ସେବା ଓ କରୁଣାର ଭିଡ଼ିଓ ଅଧିକ ପ୍ରଶଂସନୀୟ। ରାଜୁଙ୍କ ଏହି ଛୋଟ ପଦକ୍ଷେପ ଅନ୍ୟମାନଙ୍କୁ ପ୍ରତିଦିନ ସାଧାରଣ ସେବା କରିବାକୁ ପ୍ରେରଣା ଦେବ।

ରାଜୁ ବାବାଙ୍କ ଏହି ସରଳ ଓ ମହତ କାର୍ଯ୍ୟ ପ୍ରମାଣ କରେ ଯେ, ମଣିଷ ଚାହିଁଲେ ଛୋଟ ଉପାୟରେ ମଧ୍ୟ ଅନ୍ୟର ଦିନଟିକୁ ସୁନ୍ଦର କରିପାରିବ।