ନବରଙ୍ଗପୁର/ପାପଡାହାଣ୍ଡି: ଅବସର ପରେ ବି ଶିକ୍ଷାଦାନର ନିଶାରୁ ସେ ଓହରି ନାହାନ୍ତି । ଆଗଭଳି ଏବେ ବି ଠିକ୍ ସମୟରେ ସ୍କୁଲ ଯାଉଛନ୍ତି । ପିଲାଙ୍କୁ ପାଠ ପଢାଉଛନ୍ତି । ଛୁଟି ହେଲେ ଘରକୁ ଫେରୁଛନ୍ତି । ଏଥିଲାଗି ତାଙ୍କୁ କେହି ବାଧ୍ୟ କରିନାହାନ୍ତି । ନିଜ ଇଚ୍ଛାରେ, ବିନା ପାରିଶ୍ରମିକରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଲାଗିପଡିଛନ୍ତି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଭାମାମଣୀ ସାହୁ(୬୩) । ତାଙ୍କର ଏଭଳି ମହତ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ସାଧାରଣତଃ ସରକାରୀ ଚାକିରି ଜଞ୍ଜାଳରୁ ମୁକ୍ତହେବା ପରେ ଅନେକ କର୍ମଚାରୀ ଘରକୁ ଫେରି ଶାନ୍ତିରେ ଟିକେ ନିଶ୍ୱାସ ମାରନ୍ତି । ପିଲା ପରିବାର ସହ ଅବସର ସମୟ କାଟିବାକୁ ଅଧିକ ପସନ୍ଦ କରିଥାନ୍ତି । ଅଥଚ ଭାମାମଣୀ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ । ଦୀର୍ଘ ୨୨ ବର୍ଷ ଧରି ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଚାକିରି ଜୀବନ କଟାଇବା ପରେ ବି ଅଟକିନାହାନ୍ତି । ପାପଡାହାଣ୍ଡି ଗାଁରେ ଥିବା ସୁନାଡଙ୍ଗରୀ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେବା ପରଠୁ ଅର୍ଥାତ୍ ଗତ ୩ ବର୍ଷ ହେଲା ନିୟମିତ ସେହି ସ୍କୁଲ ଯାଉଛନ୍ତି । ଛୁଟିହେବା ପର୍ଯ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହ ପିଲାମାନଙ୍କୁ ବିଭିନ୍ନ ବିଷୟରେ ପଢାଉଛନ୍ତି ।

ଶ୍ରୀମତୀ ସାହୁଙ୍କ ଘର ପାପଡାହାଣ୍ଡି ଗାଁରେ । ଘରଠାରୁ ସୁନାଡଙ୍ଗରୀ ସ୍କୁଲର ଦୂରତା ୨ କି.ମି. । ସ୍କୁଲ ଖୋଲିବା ଆଗରୁ ଘରକାମ ସାରି ଚାଲି ଚାଲି ସ୍କୁଲରେ ପହଞ୍ଚିଯାଆନ୍ତି । ସ୍ନେହଆଦର ଦେଇ ପିଲାମାନଙ୍କୁ ପାଖରେ ବସାଇ ପଢାଇବା ସହ ଜୀବନର ମୂଲ୍ୟବୋଧ ଓ ନୈତିକ ଜ୍ଞାନ ଉପରେ ମାର୍ଗଦର୍ଶନ କରନ୍ତି । ଶ୍ରୀମତୀ ସାହୁ କହିଛନ୍ତି, ନିରବରେ ବସିବାକୁ ସେ ଆଦୌ ଭଲ ପାଆନ୍ତି ନାହିଁ । ଯେତେଦିନ ପର୍ଯ୍ୟନ୍ତ ଶରୀରରେ ଶକ୍ତି ଥିବ, ସେତେଦିନ ପର୍ଯ୍ୟନ୍ତ ପିଲାଙ୍କ ପାଖରେ ପହଞ୍ଚି ଶିକ୍ଷାଦାନ କରୁଥିବେ । ଛାତ୍ରଛାତ୍ରୀଙ୍କ ବିନା ଦିନଟିଏ କଟାଇବା ତାଙ୍କ ପକ୍ଷେ ଅସମ୍ଭବ । ୨ ବର୍ଷ ତଳେ ସ୍ୱାମୀ ହୃଷିକେଶ ସାହୁଙ୍କୁ ହରାଇଛନ୍ତି । ୨ ପୁଅଙ୍କୁ ନେଇ ତାଙ୍କ ସଂସାର । ବଡପୁଅ ଛତିଶଗଡ଼ର ଏକ ବ୍ୟାଙ୍କରେ ଶାଖା ପରିଚାଳକ ଥିବା ବେଳେ ସାନପୁଅର କୃଷିଫାର୍ମ ରହିଛି ।

ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଅବସର ସମୟରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ବାଜା ବଜାଇ, ବେକରେ ଫୁଲମାଳ ପିନ୍ଧାଇଥିଲେ । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ବିରଜା ସାହୁ କହିଛନ୍ତି, ଶ୍ରୀମତୀ ସାହୁ ଅତ୍ୟନ୍ତ ଛାତ୍ରବତ୍ସଳା । କୁନିକୁନି ପିଲାଙ୍କୁ ସ୍ନେହଶ୍ରଦ୍ଧାରେ ପାଠ ପଢାଉଥିବାରୁ ସମସ୍ତେ ତାଙ୍କୁ ଖୁବ୍ ଭଲ ପାଆନ୍ତି । ସ୍କୁଲର ଭୂମି ମାଝୀ, ଗୁରୁବନ୍ଧୁ ଭତ୍ରା, ରୋହନ ହରିଜନ ପ୍ରମୁଖ ଛାତ୍ରଛାତ୍ରୀ କହିଛନ୍ତି, ଭାମାମଣୀ ଦିଦିଙ୍କ ଶିକ୍ଷାଦାନ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର । ଏଥିଲାଗି ସେମାନେ ତାଙ୍କ ପାଖରେ ପଢିବାକୁ ବେଶ୍ ଭଲ ପାଆନ୍ତି ।