ଉମରକୋଟ: ବଜ୍ରାଘାତରେ ମା' ଓ ଝିଅଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିନାଶପାଣୀ ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା। ନିଜ ଜମିରେ ଥିବା କୁସୁମ ଗଛରୁ କୁସୁମ କୋଳି ତୋଳୁଥିବା ବେଳେ ହଠାତ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ ଉଭୟ ମାଆ-ଝିଅଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ନିନାଶପାଣୀ ଗ୍ରାମର ଦୟମତି ମୁଦୁଲି (୪୫) ଏବଂ ତାଙ୍କ ଝିଅ ଚମ୍ପା ମୁଦୁଲି (୨୨) ନିଜ ଚାଷ ଜମି ନିକଟରେ ଥିବା ଏକ କୁସୁମ ଗଛରୁ କୋଳି ତୋଳୁଥିଲେ। ଏହି ସମୟରେ ଅପରାହ୍ନ ପ୍ରାୟ ୩ଟା ବେଳକୁ ହଠାତ୍ ପାଗ ବଦଳିବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ସାଙ୍ଗକୁ ହଠାତ୍ ସେହି ଗଛ ଉପରେ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା।

Also Read: ଚରୁଥିଲେ ଗାଈ-ମଇଁଷି, ମାରିଦେଲା ଚଡ଼କ

ବଜ୍ରାଘାତରେ ଘଟଣାସ୍ଥଳରେ ହିଁ ମା' ଏବଂ ଝିଅ ଉଭୟେ ଆଖି ବୁଜିଥିଲେ। ମୃତ ଝିଅ ଚମ୍ପା ମୁଦୁଲି ସ୍ଥାନୀୟ ଏକ ବିଦ୍ୟାଳୟରେ 'ଶିଶୁ ସେବିକା' ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।