ନବରଙ୍ଗପୁର / ଉମରକୋଟ: ବକେୟା ବିଲ୍ ପାଇଁ ବିନା ନୋଟିସ୍ରେ ଟାଟାପାୱାର ବିତରଣ କମ୍ପାନି ସ୍କୁଲରୁ ବିଦ୍ୟୁତ ଲାଇନ୍ କାଟିଦେଇଛି । ବିଲ୍ ପୈଠ କରିବା ଲାଗି ମଧ୍ୟ ମହଲତ ଦେଲାନି । ତାହା ପୁଣି ଖୋଦ୍ ଗଣଶିକ୍ଷା ଓ ଅନୁସୂଚିତ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଜିଲ୍ଲାରେ । ଗୋଟିଏ କି ଦୁଇଟି ସ୍କୁଲ ନୁହେଁ ଜିଲ୍ଲାର ୨୦୦ରୁ ଅଧିକ ସରକାରୀ ସ୍କୁଲରେ ଏଭଳି ଅବସ୍ଥା ।

ଗଣଶିକ୍ଷା ଓ ମଙ୍ଗଳବିଭାଗର ସ୍କୁଲ ଓ ହଷ୍ଟେଲରେ ରହୁଥିବା ଶତାଧିକ ଛାତ୍ରଛାତ୍ରୀ ଶୁକ୍ରବାର ଠାରୁ ପାନୀୟଜଳ, ଶୌଚ ପାଇଁ ଅସୁବିଧା ଭୋଗ କରୁଛନ୍ତି । ରାତିରେ ପଙ୍ଖା ଚାଲୁ ନଥିବାରୁ ଅସହ୍ୟ ଗୁଳୁଗୁଳିରେ ଅଣନିଶ୍ୱାସୀ ହୋଇପଡୁଛନ୍ତି ।

ନବରଙ୍ଗପୁର ବ୍ଳକ ତଣ୍ଡା ବୃକଗ୍ରାଣ୍ଟ ମାଧ୍ୟମିକ ବିଦ୍ୟାଳୟ ହଷ୍ଟେଲରେ ୧୦୦ ଛାତ୍ରଛାତ୍ରୀ ରହୁଛନ୍ତି । ସେମାନଙ୍କ କହିବା ପ୍ରକାରେ ଶୁକ୍ରବାର ରାତିତମାମ ବିଦ୍ୟୁତ ନଥିବାରୁ ନାହିଁ ନଥୁବା ଅସୁବିଧା ଭୋଗ କରିଛନ୍ତି । ହଷ୍ଟେଲରେ ଶୌଚ ପାଇଁ ଟାଙ୍କିରେ ପାଣି ନାହିଁ କି ପିଇବାପାଣି ମଧ୍ୟ ନାହିଁ । ଶେଷରେ ପରିସରରେ ଥିବା ନଳକୂଅରୁ ବାଲ୍ଟିରେ ପାଣି ସଂଗ୍ରହ କରିବାକୁ ପଡିଥିଲା । ପାଠପଢା ମଧ୍ୟ ପ୍ରଭାବିତ ହେଉଛି । ସ୍ମାର୍ଟ ବୋର୍ଡରେ ପାଠପଢା ବନ୍ଦ ରହିଛି । ଦୀର୍ଘ ୨୦ରୁ ୩୦ ଘଣ୍ଟା ଧରି ବିଦ୍ୟୁତ ନଆସିବାରୁ ଶିକ୍ଷକମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ବକେୟା ବିଲ୍ ପାଇଁ ଲାଇନ୍ କଟଯାଇଥିବା ଜାଣିବା ପରେ ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶିକ୍ଷକଙ୍କ ଅଭିଯୋଗ ପ୍ରକାରେ, ଶୁକ୍ରବାର ପୂର୍ବାହ୍ନ ୯ରୁ ବିଦ୍ୟୁତ୍ କଟାଯାଇଥିଲା । ଶନିବାର ଅପରାହ୍ନ ୨ରେ ସଂଯୋଗ ଦିଆଯାଇଛି ।

ସୂଚନାଥାଉକି, ଉମରକୋଟ ବ୍ଲକ ବେହେଡା ଉଚ୍ଚପ୍ରାଥମିକ ସ୍କୁଲରେ ୨୨୭ ଛାତ୍ରଛାତ୍ରୀ ଅଛନ୍ତି । ସେହିପରି ରାଇଘର ବ୍ଲକ ଖୁଡ଼ୁକ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ୩୧୬ ଛାତ୍ରୀ ହଷ୍ଟେଲରେ ରହି ଅଧ୍ୟୟନ କରୁଛନ୍ତି । ଏହି ସ୍କୁଲରେ ୨ଦିନ ହେଲା ବିଦ୍ୟୁତ ସେବା ସ୍ୱାଭାବିକ ହୋଇନଥିବା ଅଭିଯୋଗ ହୋଇଛି । ଶିକ୍ଷକମାନେ ଉମରକୋଟ ବିଦ୍ୟୁତ୍ ସହକାରୀ ଯନ୍ତ୍ରୀ ସ୍ୱରୂପ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ବିଲ୍ ପୈଠ କରାଯିବ ବୋଲି ସହମତିପତ୍ର ପ୍ରଦାନ କଲେ ସଂଯୋଗ ଦିଆଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ ବିଦ୍ୟୁତ ବିଭାଗ ଜିଲ୍ଲା ନିର୍ବାହୀଯନ୍ତ୍ରୀ ଅଶୋକ ରାଉତଙ୍କୁ ଯୋଗାଯୋଗ କରିବାରୁ ସମସ୍ତ ସ୍କୁଲ ଓ ହଷ୍ଟେଲରେ ସ୍ମାର୍ଟ ମିଟର ଲାଗିଛି । ବିଲ୍ ପୈଠ ନ କଲେ ବ୍ରହ୍ମପୁର କାର୍ଯ୍ୟାଳୟରୁ ଆପେ ଆପେ ତାହା ବିଚ୍ଛିନ୍ନ କରିଦିଆଯାଉଛି । ବର୍ତ୍ତମାନ ଜିଲ୍ଲାର ୨୦୦ରୁ ଅଧିକ ସ୍କୁଲରେ ସେବା ବନ୍ଦ ରହିଛି । ଠିକ୍ ସମୟରେ ଶିକ୍ଷକମାନେ ବିଲ୍ ଟଙ୍କା ଜମା କରୁନାହାନ୍ତି ବୋଲି ସେ କହିଛନ୍ତି ।

Also Read: ଭୁଶୁଡ଼ିଲା ସ୍କୁଲ ପାଚେରୀ, ଛୁଟିଥିବାରୁ ଦୁର୍ଘଟଣାରୁ ବର୍ତ୍ତିଲେ ଛାତ୍ରଛାତ୍ରୀ

ଅନ୍ୟପକ୍ଷେ ଶନିବାର ଜିଲ୍ଲାଶିକ୍ଷାଧିକାରୀଙ୍କ ତରଫରୁ ୧୨୬ ସ୍କୁଲ ପାଇଁ ୧୫ଲକ୍ଷ ଟଙ୍କା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ୧୨୬ ସ୍କୁଲ ପାଇଁ ପ୍ରାୟ ୩୦ଲକ୍ଷ ଟଙ୍କା ଜମା କରିବାକୁ ସହମତି ଦେଇଛନ୍ତି । ସହମତି ପତ୍ର ମିଳିବା ପରେ ଅଧିକାଂଶ ସ୍କୁଲରେ ସେବା ସ୍ୱଭାବିକ ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ଏସମ୍ପର୍କରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଡିଇଓ ଓ ଜିଲ୍ଲାମଙ୍ଗଳ ଅଧିକାରୀଙ୍କୁ ବିଦ୍ୟୁତ ବିଲ୍ ଜମା କରିବାକୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଭଳି ଗଟାପାଓ୍ବାରକୁ ବିନା ନୋଟିସ୍ରେ ସ୍କୁଲଗୁଡିକରୁ ବିଦ୍ୟୁତ ନକାଟିବାକୁ ତାଗିଦ୍ କରାଯାଇଥିବା କହିଛନ୍ତି ।