ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ (PTI) ମୁଖ୍ୟ ଇମ୍ରାନ ଖାନଙ୍କ ଭଉଣୀ, ଅଲିମା ଖାନଙ୍କୁ ରବିବାର (ସେପ୍ଟେମ୍ବର ୨୦) ଲାହୋରସ୍ଥିତ ତାଙ୍କ ବାସଭବନରୁ ପୁଲିସ ଗିରଫ କରିଛି। ଇମ୍ରାନ ଖାନଙ୍କ ଆଇନଜୀବୀ ଖାଲିଦ ୟୁସୁଫ ଚୌଧୁରୀ ସାମାଜିକ ଗଣମାଧ୍ୟମ 'X' (ପୂର୍ବର ଟ୍ୱିଟର) ରେ ଏକ ବାର୍ତ୍ତା ଜାରି କରି ଅଲିମା ଖାନଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୨୭ ତାରିଖରେ PTI ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ରାଲି ପାଇଁ ଆହ୍ୱାନ ଦିଆଯାଇଛି। ଅଗଷ୍ଟ ୨୦୨୩ ରୁ ଜେଲରେ ଥିବା ଇମ୍ରାନ ଖାନଙ୍କୁ ତୁରନ୍ତ ମୁକ୍ତ କରିବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ। ଅଲିମା ଖାନଙ୍କ ଗିରଫଦାରୀ ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ PTI ର ଚାରିଜଣ ପ୍ରମୁଖ କର୍ମୀ ଓ ସକ୍ରିୟ ସଦସ୍ୟଙ୍କୁ ଅଟକ ରଖାଯାଇଥିଲା।

'ଡନ୍' (Dawn) ଖବରକାଗଜର ରିପୋର୍ଟ ଅନୁସାରେ, ଆଗାମୀ ବିକ୍ଷୋଭକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାଜଧାନୀ ଓ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସର୍ଭେଲାନ୍ସ ବୃଦ୍ଧି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେପଟେ ଇମ୍ରାନ ଖାନ ଅଗଷ୍ଟ ୨୦୨୩ ରୁ ରାୱଲପିଣ୍ଡିର ଆଦିଆଲା ଜେଲ୍‌ ରେ ବନ୍ଦୀ ଅଛନ୍ତି। ତାଙ୍କ ପରିବାର ଓ ସମର୍ଥକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଜେଲ୍‌ରେ ଏକାକୀ ରଖାଯାଇଛି ଏବଂ ତାଙ୍କୁ ଆବଶ୍ୟକୀୟ ଆଇନଗତ ସୁବିଧା, ପୁସ୍ତକ ଓ ବାହ୍ୟ ଜଗତ ସହ ସମ୍ପର୍କରୁ ବଞ୍ଚିତ କରାଯାଉଛି।

ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସବୁଠାରୁ ବଡ଼ ଚିନ୍ତା ହେଉଛି, ତାଙ୍କ ଆଖିର ସମସ୍ୟା। ସମୟସୀମା ମଧ୍ୟରେ ଉପଯୁକ୍ତ ଚିକିତ୍ସା ନମିଳିବା ହେତୁ ତାଙ୍କ ଡାହାଣ ଆଖିର ପ୍ରାୟ ୮୫% ଦୃଷ୍ଟିଶକ୍ତି କମିଯାଇଥିବା ତାଙ୍କ ଆଇନଜୀବୀ ଓ ପରିବାର ପକ୍ଷରୁ ଦାବି କରାଯାଇଛି। ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୨୦୨୬ ରେ ତାଙ୍କୁ ଇସଲାମାବାଦର ଡାକ୍ତରଖାନାକୁ ନିଆଯାଇ ଚକ୍ଷୁ, ହୃଦରୋଗ ଓ ଅନ୍ୟ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା।

ପାକିସ୍ତାନ ସରକାରୀ ପ୍ରଶାସନ ତାଙ୍କୁ ଚିକିତ୍ସା ପରେ "ମେଡିକାଲି ଫିଟ୍" ବୋଲି ଘୋଷଣା କରିଥିବା ବେଳେ ତାଙ୍କ ପୁଅ ଓ ଦଳ (PTI) ଅଭିଯୋଗ କରିଛନ୍ତି ଯେ, ଜେଲ୍‌ ପ୍ରଶାସନ ତାଙ୍କୁ ଧୀରେ ଧୀରେ ସ୍ୱାସ୍ଥ୍ୟଗତ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ତେବେ ତୋଷଖାନା (ସରକାରୀ ଉପହାର ବିକ୍ରି) ମାମଲା, ସାଇଫର (ରାଜ୍ୟ ଗୋପନୀୟତା ପ୍ରକାଶ) ମାମଲା, ଏବଂ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ଇମ୍ରାନ ଖାନ । ଏବେ ତାଙ୍କ ଭଉଣୀଙ୍କୁ ପୁଲିସ ଗିରଫ କରିଛି ।