ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ଟାଟା ସନ୍ସର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଲେ ରତନ ଟାଟାଙ୍କ ବିଶ୍ୱସ୍ତ କୁହାଯାଉଥିବା ଏନ୍ ଚନ୍ଦ୍ରଶେଖରନ। ଅଗଷ୍ଟ ୧୮ ତାରିଖରେ ଟାଟା ସନ୍ସର ଏଜିଏମ୍ ବୈଠକ ହେବା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତେବେ ସେ ୨୦୨୭ ଫେବ୍ରୁଆରୀ ପର୍ଯ୍ୟନ୍ତ ପଦଭାର ସମ୍ଭାଳିବେ।

୨୦୧୭ରେ ଚନ୍ଦ୍ରଶେଖରନ ଟାଟା ସନ୍ସର ଚେୟାରମ୍ୟାନ ହୋଇଥିଲେ। ସେ ପ୍ରଥମ ଚେୟାରମ୍ୟାନ୍ ହୋଇଥିଲେ ଯିଏ ଟାଟା ପରିବାରର ସଦସ୍ୟ ନଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଟାଟା ପରିବାରର ରେଭିନ୍ୟୁ ଦୁଇଗୁଣାରୁ ବି ଅଧିକ ବଢ଼ିଥିଲା। କିନ୍ତୁ ନିକଟରେ ନୂଆ ବ୍ୟବସାୟରେ ବହୁଳ ନିବେଶ ଓ ତାଙ୍କର ପ୍ରଦର୍ଶନ ନେଇ ଟାଟା ଟ୍ରଷ୍ଟ ସହିତ ତାଙ୍କର ମତଭେଦ ବଢ଼ି ଯାଇଥିଲା।

ନୋଏଲ୍ ଟାଟାଙ୍କ ଅଶନ୍ତୋଷ

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟାଟା ସନ୍ସରେ ପ୍ରାୟ ୬୬% ଅଂଶଧନ ରଖିଥିବା ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ନୋଏଲ୍ ଟାଟା, ଚନ୍ଦ୍ରଶେଖରନଙ୍କୁ କାର୍ଯ୍ୟକାଳ ବୃଦ୍ଧି ବିରୋଧରେ ଥିଲେ। ଫେବୃଆରୀ ମାସରେ ବୋର୍ଡ ଚନ୍ଦ୍ରଶେଖରନଙ୍କ ପରବର୍ତ୍ତୀ ୫ ବର୍ଷର କାର୍ଯ୍ୟକାଳ ପାଇଁ ସୁପାରିଶ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ନୋଏଲ୍ ଟାଟା ନୂଆ ବ୍ୟବସାୟଗୁଡ଼ିକର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ଚନ୍ଦ୍ରଶେଖରନଙ୍କୁ କେବଳ ୨ ବର୍ଷର କାର୍ଯ୍ୟକାଳ ଦେବାକୁ ଦାବି କରିଥିଲେ।

କଣ କହିଲେ ଚନ୍ଦ୍ରଶେଖରନ ?

ଘଟଣା ସମ୍ପର୍କରେ ଚନ୍ଦ୍ରଶେଖରନ୍ ନିଜର ବକ୍ତବ୍ୟ ରଖି କହିଛନ୍ତି, "ଟାଟା ସନ୍ସର ଚେୟାରମ୍ୟାନ୍ ଭାବେ ମୋର ବର୍ତ୍ତମାନର କାର୍ଯ୍ୟକାଳ ୨୦୨୭ ଫେବୃଆରୀ ୨୦ରେ ଶେଷ ହେଉଛି। ସାର ଦୋରାବଜୀ ଟାଟା ଟ୍ରଷ୍ଟ ଏବଂ ସାର ରତନ ଟାଟା ଟ୍ରଷ୍ଟ ସର୍ବସମ୍ମତିକ୍ରମେ ମୋର କାର୍ଯ୍ୟକାଳ ଆଉ ୫ ବର୍ଷ ବୃଦ୍ଧି ପାଇଁ ସୁପାରିଶ କରିଥିଲେ। ଏହାକୁ ଟାଟା ସନ୍ସର ନୋମିନେସନ୍ ଆଣ୍ଡ ରେମୁନରେସନ୍ କମିଟି ଓ ବୋର୍ଡ ସୁପାରିଶ କରି ୨୦୨୬ ଫେବୃଆରୀ ୨୪ରେ ବୋର୍ଡ ସମ୍ମୁଖରେ ରଖିଥିଲେ।"

Also Read- ଭାରତୀୟ ଜମିଦାର ଠାରୁ ଋଣ ନେଇ ଯୁଦ୍ଧ ଲଢ଼ିଥିଲା ବ୍ରିଟିସ୍: ୧୦୯ ବର୍ଷ ପରେ ଆସିଲା ଜବାବ, ପ୍ରମାଣ ଦେବେ ପରିବାର

ସେ ଆହୁରି କହିଛନ୍ତି, "ତେବେ ବୋର୍ଡର ଜଣେ ସଦସ୍ୟ ଏହାକୁ ସମର୍ଥନ ନକରିବାରୁ ଏହି ପ୍ରସ୍ତାବ ଆଗକୁ ବଢ଼ିପାରିନଥିଲା। ସର୍ବସମ୍ମତ ସମର୍ଥନ ନମିଳିବାରୁ ମୁଁ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଶ୍ରେୟସ୍କର ମଣିଥିଲି। ଏହି ବୋର୍ଡ ବୈଠକକୁ ୬ ମାସ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରି ନାହିଁ। ଟାଟା ସନ୍ସ ଏକ ବିଶାଳ ସଂସ୍ଥା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପ୍ରକଳ୍ପ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ରହିଛି। ତେଣୁ ଫେବୃଆରୀ ୨୦୨୭ ପରେ ଗ୍ରୁପ୍ର ନେତୃତ୍ୱ ନେବା ପାଇଁ କେବଳ ଜଣେ ନେତା ନୁହଁନ୍ତି, ବରଂ କର୍ମଚାରୀ, ନିବେଶକ ଓ ସେୟାରହୋଲ୍ଡରଙ୍କ ମଧ୍ୟରେ ନେତୃତ୍ୱକୁ ନେଇ ସ୍ପଷ୍ଟତା ରହିବା ଅତ୍ୟନ୍ତ ଜରୁରୀ।"

ଟାଟା ଗ୍ରୁପ୍ ସେୟାର ୩% ପର୍ଯ୍ୟନ୍ତ ହ୍ରାସ

ଚନ୍ଦ୍ରଶେଖରନଙ୍କ ଇସ୍ତଫା ଖବର ଆସିବା ପରେ ଟାଟା ଗ୍ରୁପ୍ର ଲିଷ୍ଟେଡ୍ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟରେ ହ୍ରାସ ଦେଖାଦେଇଛି। ଟିସିଏସ୍ (TCS), ଟାଟା ମୋଟର୍ସ, ଟାଟା ଷ୍ଟିଲ୍ ଏବଂ ଟାଟା କଞ୍ଜୁମରର ସେୟାର ୩% ପର୍ଯ୍ୟନ୍ତ ଖସିଛି। ହୋଲ୍ଡିଂ କମ୍ପାନୀରେ ନେତୃତ୍ୱ ପରିବର୍ତ୍ତନ ଏବଂ ଟ୍ରଷ୍ଟ ସହ ବିବାଦ ଯୋଗୁଁ ଗ୍ରୁପ୍ର ଆଗାମୀ ରଣନୀତି ପ୍ରଭାବିତ ହେବା ନେଇ ନିବେଶକମାନେ ଚିନ୍ତାପ୍ରକଟ କରିଛନ୍ତି।

ରତନ ଟାଟାଙ୍କ ପରଲୋକ ପରେ ବଢ଼ିଥିଲା ବିବାଦ

ରତନ ଟାଟାଙ୍କ ପରଲୋକ ପରେ ଟାଟା ଗ୍ରୁପ୍ ଅଭ୍ୟନ୍ତରରେ ଥିବା ମତାନ୍ତର ପଦାକୁ ଆସିଥିଲା। ଅନେକ ଟ୍ରଷ୍ଟି ପଦ ଛାଡ଼ିସାରିଛନ୍ତି। ଏସବୁ ମଧ୍ୟରେ କେତେକ ବରିଷ୍ଠ ସରକାରୀ ଅଧିକାରୀ ମଧ୍ୟ ଟ୍ରଷ୍ଟିମାନଙ୍କୁ ପରାମର୍ଶ ଦେଇଥିଲେ ଯେପରି ଅନ୍ତରୀଣ ବିବାଦର ପ୍ରଭାବ କମ୍ପାନୀଗୁଡ଼ିକର କାର୍ଯ୍ୟଶୈଳୀ ଉପରେ ନପଡ଼େ।

ଚନ୍ଦ୍ରଶେଖରନଙ୍କ ୯ ବର୍ଷର ସଫଳ ଯାତ୍ରା

୨୦୧୭ରେ ଦାୟିତ୍ୱ ଗ୍ରହଣ କରିବା ପରେ ଚନ୍ଦ୍ରଶେଖରନ୍ ଟାଟା ଗ୍ରୁପକୁ ଏଭିଏସନ୍, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ, ବ୍ୟାଟେରୀ ଏବଂ ଡିଜିଟାଲ୍ ବିଜନେସ୍ ଭଳି ନୂଆ କ୍ଷେତ୍ରକୁ ନେଇଯାଇଥିଲେ।

ରାଜସ୍ୱ: ଆର୍ଥିକ ବର୍ଷ ୨୦୨୦ରେ ଗ୍ରୁପ୍ର ରାଜସ୍ୱ ₹୭.୮୯ ଲକ୍ଷ କୋଟି ଥିବା ବେଳେ ଆର୍ଥିକ ବର୍ଷ ୨୦୨୬ରେ ଏହା ବୃଦ୍ଧି ପାଇ ₹୧୬.୨୪ ଲକ୍ଷ କୋଟିରେ ପହଞ୍ଚିଛି।
ଲାଭ: ଗ୍ରୁପର ଶୁଦ୍ଧ ଲାଭ ₹୩୨,୦୦୦ କୋଟିରୁ ବୃଦ୍ଧି ପାଇ ₹୧.୭୧ ଲକ୍ଷ କୋଟି ହୋଇଛି।
ମାର୍କେଟ୍ କ୍ୟାପ୍: ଲିଷ୍ଟେଡ୍ କମ୍ପାନୀଗୁଡ଼ିକର ମାର୍କେଟ୍ କ୍ୟାପ୍ ୨୦୨୦ର ₹୯.୩୧ ଲକ୍ଷ କୋଟିରୁ ବୃଦ୍ଧି ପାଇ ୨୦୨୬ରେ ₹୨୪.୩୯ ଲକ୍ଷ କୋଟିରେ ପହଞ୍ଚିଛି।

ନୂଆ ନେତୃତ୍ୱ ସନ୍ଧାନ ଓ ବଡ଼ ପ୍ରକଳ୍ପ ଉପରେ ପ୍ରଭାବ

ସେମିକଣ୍ଡକ୍ଟର ଫ୍ୟାବ୍, ଇଭି ବ୍ୟାଟେରୀ ଏବଂ ଏୟାର ଇଣ୍ଡିଆର ମିଶ୍ରଣ ଭଳି ଐତିହାସିକ ନିବେଶ ନିଷ୍ପତ୍ତି ପ୍ରକ୍ରିୟା ଚାଲିଥିବା ସମୟରେ ଚନ୍ଦ୍ରଶେଖରନ୍ଙ୍କ ଏହି ଇସ୍ତଫା ଆସିଛି। ସେ କେବଳ ଟାଟା ସନ୍ସ ନୁହଁନ୍ତି, ବରଂ ଟିସିଏସ୍, ଟାଟା ମୋଟର୍ସ ଏବଂ ଟାଟା କଞ୍ଜୁମର ପ୍ରୋଡକ୍ଟସ ଭଳି ବଡ଼ କମ୍ପାନୀର ଚେୟାରମ୍ୟାନ୍ ମଧ୍ୟ ଥିଲେ। ତାଙ୍କ ହଟିବା ପରେ ଏବେ ସମ୍ପୂର୍ଣ୍ଣ ଟାଟା ଗ୍ରୁପ୍ରେ ନେତୃତ୍ୱ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହୋଇଛି।