ଭୋପାଳ: ୧୦୯ ବର୍ଷ ପୁରୁଣା ଏକ ଯୁଦ୍ଧ ଋଣ ପ୍ରମାଣପତ୍ର ଏବେ ମଧ୍ୟପ୍ରଦେଶର ଏକ ପରିବାରକୁ ନୂଆ ଆଶା ଦେଇଛି। ୧୯୧୭ରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତତ୍କାଳୀନ ବ୍ରିଟିଶ ସରକାରକୁ ୩୫,୦୦୦ ଟଙ୍କା ଦେଇଥିବା ଏକ ପରିବାର ଏବେ ନିଜ ଟଙ୍କାର ସ୍ଥିତି ଜାଣିବାକୁ ଚାହୁଁଛନ୍ତି। ଏହି ଟଙ୍କା ବ୍ରିଟିସ ସରକାର ଫେରାଇଛନ୍ତି କି ନାହିଁ ? ଯଦି ଫେରାଇଛନ୍ତି ତାର ପ୍ରମାଣ ଜାଣିବାକୁ ଚାହୁଁଥିଲା ପରିବାର। ଦୀର୍ଘ ୧୦୯ ବର୍ଷ ପରେ ଏହି ମାମଲାରେ ବ୍ରିଟେନର ଡେବ୍ଟ ମ୍ୟାନେଜମେଣ୍ଟ ଅଫିସ୍ (DMO) ପକ୍ଷରୁ ପରିବାରକୁ ଜବାବ ମିଳିଛି।

ମଧ୍ୟପ୍ରଦେଶର ସିହୋର ନିବାସୀ ୬୩ ବର୍ଷୀୟ ବିବେକ ରୁଥିଆଙ୍କ କହିବା ଅନୁଯାୟୀ, ତାଙ୍କ ଜେଜେବାପା ସେଠ୍ ଜୁମ୍ମା ଲାଲ ରୁଥିଆ ୧୯୧୭ରେ ‘ଇଣ୍ଡିଆନ୍ ୱାର ଲୋନ୍’ରେ ୩୫,୦୦୦ ଟଙ୍କା ନିବେଶ କରିଥିଲେ। ଏହି ଟଙ୍କା ପରେ ଫେରସ୍ତ ହୋଇଥିଲା କି ନାହିଁ, ତାହା ଜାଣିବା ପାଇଁ ପରିବାର ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲା। ଏବେ ବ୍ରିଟେନର DMO ପକ୍ଷରୁ ପରିବାରକୁ ମୂଳ ଯୁଦ୍ଧ ଋଣ ପ୍ରମାଣପତ୍ର ଏବଂ ଏହା ସହ ଜଡ଼ିତ ଅନ୍ୟ ଚିଠିପତ୍ର ଦାଖଲ କରିବାକୁ କୁହାଯାଇଛି। ପରିବାର ବର୍ତ୍ତମାନ ଏହି ସମସ୍ତ ଦସ୍ତାବିଜ ସଂଗ୍ରହ କରି ବ୍ରିଟିଶ କର୍ତ୍ତୃପକ୍ଷଙ୍କୁ ପଠାଇବାକୁ ପ୍ରସ୍ତୁତ ହେଉଛି।

୧୦୯ ବର୍ଷ ପରେ ମିଳିଲା ଜବାବ

ବିବେକ ରୁଥିଆ କହିଛନ୍ତି ଯେ, ଏତେ ବର୍ଷ ପରେ ମଧ୍ୟ ବ୍ରିଟିଶ କର୍ତ୍ତୃପକ୍ଷଙ୍କଠାରୁ ଜବାବ ମିଳିବ ବୋଲି ସେ କେବେ ଭାବିନଥିଲେ। ସେ କହିଛନ୍ତି, ଏହି ଜବାବ ତାଙ୍କ ପରିବାର ପାଇଁ ଖୁସୀର ଖବର। ଏହାଫଳରେ ଏବେ ପୁରୁଣା ଦସ୍ତାବିଜ ଆଧାରରେ ଟଙ୍କାର ପ୍ରକୃତ ସ୍ଥିତି ଜାଣିବାର ଆଶା ସୃଷ୍ଟି ହୋଇଛି ବୋଲି କହିଛନ୍ତି ବିବେକ। ତେବେ ପରିବାର ପାଇଁ ଏହି ମାମଲା ଏବେ କେବଳ ଟଙ୍କା ଫେରିପାଇବାର ପ୍ରଶ୍ନ ନୁହେଁ। ୧୯୧୭ରେ ଦିଆଯାଇଥିବା ଏହି ଟଙ୍କା କେବେ ଫେରସ୍ତ ହୋଇଥିଲା କି ନାହିଁ, ଯଦି ହୋଇଥିଲା ତେବେ କିପରି ଏବଂ କେବେ ହୋଇଥିଲା ? ତାହାର ସ୍ପଷ୍ଟ ରେକର୍ଡ ଖୋଜିବା ଏବେ ପରିବାରର ମୁଖ୍ୟ ଲକ୍ଷ୍ୟ।

ଭାଇରାଲ ହେଉଛି ୧୯୧୭ର ସେହି ପ୍ରମାଣପତ୍ର

ଏହି ପୂରା ମାମଲାର କେନ୍ଦ୍ରରେ ରହିଛି ୪ ଜୁନ୍ ୧୯୧୭ ତାରିଖର ଏକ ପୁରୁଣା ପ୍ରମାଣପତ୍ର। ରୁଥିଆ ପରିବାର ଦାବି କରୁଛି ଯେ, ଏହି ଦସ୍ତାବିଜ ଶହେ ବର୍ଷରୁ ଅଧିକ ସମୟ ଧରି ସେମାନଙ୍କ ପରିବାର ପାଖରେ ସୁରକ୍ଷିତ ରହିଛି। ପ୍ରମାଣପତ୍ରରେ ଉଲ୍ଲେଖ ଅଛି ଯେ, ଭୋପାଳ ଷ୍ଟେଟ୍ରେ ସେଠ ରାମା କିଶନ ଜସକରଣ ରୁଥିଆ ଫାର୍ମ ସହ ଜଡ଼ିତ ସେଠ ଜୁମ୍ମା ଲାଲ ରୁଥିଆ ‘ଇଣ୍ଡିଆନ୍ ୱାର ଲୋନ୍’ରେ ୩୫,୦୦୦ ଟଙ୍କା ଦେଇଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସରକାର ଯୁଦ୍ଧ ପାଇଁ ଆର୍ଥିକ ସହାୟତା ଯୋଗାଡ଼ କରିବା ଲାଗି ଏପରି ଋଣ ଯୋଜନା ଆରମ୍ଭ କରିଥିଲା। ଏହି ପ୍ରମାଣପତ୍ରରେ ତତ୍କାଳୀନ ଭୋପାଳର ପଲିଟିକାଲ୍ ଏଜେଣ୍ଟ ଡବ୍ଲ୍ୟୁ.ଏସ୍. ଡେଭିସଙ୍କ ଦସ୍ତଖତ ମଧ୍ୟ ରହିଛି।

ପରିବାରର ଦାବି ଟଙ୍କା କେବେ ଫେରିନାହିଁ

ରୁଥିଆ ପରିବାରର ଦାବି କରୁଛନ୍ତି ଯେ ୧୯୧୭ରେ ଦିଆଯାଇଥିବା ୩୫,୦୦୦ ଟଙ୍କା କେବେ ଫେରସ୍ତ ହୋଇନାହିଁ। ସେଠ ଜୁମ୍ମା ଲାଲ ରୁଥିଆଙ୍କର ୧୯୩୭ରେ ମୃତ୍ୟୁ ହୋଇଥିଲା। ଅର୍ଥାତ୍ ଟଙ୍କା ଦେବାର ପ୍ରାୟ ୨୦ ବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର କହୁଛି ଯେ, ୧୯୪୭ରେ ଭାରତ ସ୍ୱାଧୀନ ହେବା ପୂର୍ବରୁ କିମ୍ବା ପରେ ଏହି ଟଙ୍କା ଫେରସ୍ତ କିମ୍ବା ନିବେଶର ସମାଧାନ ହୋଇଥିବା ନେଇ ସେମାନଙ୍କ ପାଖରେ କୌଣସି ରେକର୍ଡ ମିଳିନାହିଁ। ତେବେ କେବଳ ୧୯୧୭ର ପ୍ରମାଣପତ୍ର ଥିବାରୁ ଆଜି ମଧ୍ୟ ଏହି ଋଣ ବକେୟା ରହିଛି ବୋଲି ପ୍ରମାଣିତ ହେଉନାହିଁ। ପ୍ରକୃତରେ ଟଙ୍କା ଫେରସ୍ତ ହୋଇଥିଲା କି ନାହିଁ, ତାହା ଐତିହାସିକ ଆର୍ଥିକ ରେକର୍ଡ ଯାଞ୍ଚ ପରେ ହିଁ ସ୍ପଷ୍ଟ ହୋଇପାରିବ।

ଏହି ମାମଲାର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୧୯୧୭ର ୩୫,୦୦୦ ଟଙ୍କା ଆଜି କେତେ ଟଙ୍କା ହୋଇଥାନ୍ତା?

ପରିବାର ପୂର୍ବରୁ ଦାବି କରିଛି ଯେ, ଯଦି ଚକ୍ରବୃଦ୍ଧି ସୁଧ ହିସାବ କରାଯାଏ ତେବେ ଏହି ରାଶିର ମୂଲ୍ୟ ଆଜି ଅନେକ କୋଟି ଟଙ୍କା ହୋଇପାରେ। ଐତିହାସିକ ସୁନା ଦର ଏବଂ ବର୍ତ୍ତମାନର ସୁନା ଦର ସହ ତୁଳନା କରି କେତେକ ପରିବାରିକ ଆକଳନରେ ଏହାର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି କୁହାଯାଇଛି। କିନ୍ତୁ ଏହି ହିସାବ କେବଳ ଏକ ଆର୍ଥିକ ତୁଳନା। ଏହା ଆଧାରରେ ବ୍ରିଟିଶ ସରକାର ଆଜି ପରିବାରକୁ ୧୦ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କା ଦେବାକୁ ବାଧ୍ୟ ବୋଲି କୁହାଯାଇପାରିବ ନାହିଁ।

ଆଇନଗତ ଭାବେ କୌଣସି ଦାବି ରହିଛି କି ନାହିଁ, ତାହା ଜାଣିବା ପାଇଁ ୧୯୧୭ର ମୂଳ ଦସ୍ତାବିଜର ସର୍ତ୍ତ, ସୁଧ ଦିଆଯାଉଥିଲା କି ନାହିଁ, ଋଣର ମିଆଦ, ରିଡେମ୍ପସନ୍ ବ୍ୟବସ୍ଥା ଏବଂ ପୂର୍ବରୁ କୌଣସି ଟଙ୍କା ଫେରସ୍ତ ହୋଇଥିଲା କି ନାହିଁ ଏସବୁ ଯାଞ୍ଚ କରିବାକୁ ପଡ଼ିବ।

ଆଇନଗତ ଭାବେ ସାମ୍ନା କରିବାକୁ ପଡ଼ିପାରେ ଅନେକ ଚ୍ୟାଲେଞ୍ଜ

ବିବେକ ରୁଥିଆ ଏପର୍ଯ୍ୟନ୍ତ ଏନେଇ କୌଣସି ଔପଚାରିକ ଆଇନଗତ ମାମଲା ଦାୟର କରିନାହାନ୍ତି। ବର୍ତ୍ତମାନ ସେ ଆଇନଜୀବୀଙ୍କ ସହ ପରାମର୍ଶ କରୁଛନ୍ତି ଯେ, ଆଜିର ବ୍ରିଟିଶ ସରକାର ବିରୋଧରେ ଏପରି ଦାବି ଆଇନଗତ ଭାବେ ଉଠାଯାଇପାରିବ କି ନାହିଁ।

ଏଥିରେ ଅନେକ ଆଇନଗତ ବାଧା ରହିପାରେ। ଯଥା ମାମଲା ଦାୟର କରିବାର ସମୟସୀମା, ସାର୍ବଭୌମ ସୁରକ୍ଷା, ଅଦାଲତର ଅଧିକାର କ୍ଷେତ୍ର ଏବଂ ଔପନିବେଶିକ ଶାସନ ସମୟର କୌଣସି ଦେୟ ଆଜିର ବ୍ରିଟିଶ ସରକାର ଉପରେ ଆଇନଗତ ଭାବେ ଲାଗୁ ହୋଇପାରିବ କି ନାହିଁ ଭଳି ପ୍ରଶ୍ନ ଉଠିପାରେ। ତେଣୁ ୧୯୧୭ର ପ୍ରମାଣପତ୍ର ପ୍ରକୃତରେ ଥିବା ଏବଂ ଏହା ଆଧାରରେ ଆଜି ମଧ୍ୟ କୌଣସି ଟଙ୍କା ବକେୟା ଅଛି ଏହି ଦୁଇଟି ପ୍ରଶ୍ନକୁ ଅଲଗା ଭାବେ ଦେଖିବାକୁ ପଡ଼ିବ।

ବ୍ରିଟେନର ପୁରୁଣା ଯୁଦ୍ଧ ଋଣର ଇତିହାସ

ରୁଥିଆ ପରିବାରର ଦାବି ବ୍ରିଟେନର ପ୍ରଥମ ବିଶ୍ୱଯୁଦ୍ଧ ସମୟର ଋଣ ଇତିହାସ ସହ ମଧ୍ୟ ଜଡ଼ିତ। ବ୍ରିଟିଶ ସରକାର ୨୦୧୫ରେ ପ୍ରାୟ ୧.୯ ବିଲିୟନ୍ ପାଉଣ୍ଡର ‘ୱାର ଲୋନ୍’ ବଣ୍ଡ୍ ଫେରସ୍ତ କରିଥିଲା। ଏହା ପ୍ରଥମ ବିଶ୍ୱଯୁଦ୍ଧ ସହ ଜଡ଼ିତ ବ୍ରିଟେନର ଏକ ବଡ଼ ଐତିହାସିକ ଋଣ ଶ୍ରେଣୀକୁ ଶେଷ କରିଥିଲା। ତେବେ ୨୦୧୫ର ଏହି ଋଣ ପରିଶୋଧ ରୁଥିଆ ପରିବାରର ୧୯୧୭ର ଋଣ ସୁଝିଛି କି ନାହିଁ ତା’ ପ୍ରମାଣପତ୍ର ନାହିଁ। ଏବେ ସମସ୍ତ ନଜର ରହିଛି ରୁଥିଆ ପରିବାର ଦେବାକୁ ଥିବା ମୂଳ ପ୍ରମାଣପତ୍ର ଏବଂ ଅନ୍ୟ ଐତିହାସିକ ଦସ୍ତାବିଜ ଉପରେ ରହିଛି। ଏହି ରେକର୍ଡଗୁଡ଼ିକ ହିଁ ୧୦୯ ବର୍ଷ ପୁରୁଣା ୩୫,୦୦୦ ଟଙ୍କାର ଆସଲ କାହାଣୀକୁ ସାମ୍ନାକୁ ଆଣିପାରେ।