ନୂଆଦିଲ୍ଲୀ: ପାକିସ୍ତାନର ଷ୍ଟାର୍ ସ୍ପିନର ଅବରାର ଅହମ୍ମଦ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ବ୍ରିଟେନରେ ଖେଳାଯିବାକୁ ଥିବା 'ଦି ହଣ୍ଡ୍ରେଡ୍' (The Hundred) ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ସେ କାହାକୁ ବାଛିବେ, ତାକୁ ନେଇ ଚିନ୍ତା । 'ଟେଲିକମ୍ ଏସିଆ ସ୍ପୋର୍ଟ'ର ଏକ ରିପୋର୍ଟ ଅନୁଯାୟୀ, ଅବରାରଙ୍କୁ ଏବେ 'ଦେଶ ବନାମ କ୍ଲବ୍' ବିବାଦର ସାମ୍ନା କରିବାକୁ ପଡ଼ୁଛି।

ଆସନ୍ତା ଜୁଲାଇ ୨୧ ତାରିଖରୁ ଇଂଲଣ୍ଡରେ 'ଦି ହଣ୍ଡ୍ରେଡ୍' କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ, ଏହାର ମାତ୍ର ଚାରି ଦିନ ପରେ ଅର୍ଥାତ୍ ଜୁଲାଇ ୨୫ ରୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ।

ୱେଷ୍ଟଇଣ୍ଡିଜର ବ୍ୟାଟରମାନଙ୍କ ବିପକ୍ଷରେ ଜଣେ ଭଲ ଲେଗ୍‌-ସ୍ପିନରଙ୍କ ଆବଶ୍ୟକତା ଥିବାରୁ ପାକିସ୍ତାନ ଚୟନ କମିଟି ଆଗାମୀ ସୋମବାର ଘୋଷଣା ହେବାକୁ ଥିବା ଟେଷ୍ଟ ଦଳରେ ଅବରାରଙ୍କୁ ସାମିଲ କରିବାକୁ ଚିନ୍ତା କରୁଛି। ଯଦି ସେ ଜାତୀୟ ଦଳ ପାଇଁ ମନୋନୀତ ହୁଅନ୍ତି, ତେବେ ସେ 'ଦି ହଣ୍ଡ୍ରେଡ୍'ରେ ଭାଗ ନେଇପାରିବେ ନାହିଁ। ଏହି କାରଣରୁ ଅବରାର ବଡ଼ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

'ଦି ହଣ୍ଡ୍ରେଡ୍' ନିଲାମୀରେ ଅବରାର ଅହମ୍ମଦଙ୍କୁ ଭାରତୀୟ ମାଲିକାନା ଥିବା ଫ୍ରାଞ୍ଚାଇଜ୍ 'ସନରାଇଜର୍ସ ଲିଡ୍ସ' ୧ ଲକ୍ଷ ୯୦ ହଜାର ପାଉଣ୍ଡ (ପ୍ରାୟ ୨.୩ କୋଟି ଟଙ୍କା) ମୂଲ୍ୟରେ କିଣିଛି।  ଆଇପିଏଲ୍ ଦଳ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରାନ ମଧ୍ୟ ଏହି ଦଳର ମୁଖ୍ୟ । ଜଣେ ପାକିସ୍ତାନୀ ଖେଳାଳିଙ୍କୁ ଦଳରେ ସାମିଲ କରିଥିବାରୁ କାବ୍ୟା ମାରାନଙ୍କୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ତୀବ୍ର ଆକ୍ରୋଶ ଓ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । 

ସୋସିଆଲ ମିଡିଆରେ ପ୍ରଶଂସକମାନେ କାବ୍ୟା ଦେଶର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଥିଲେ। ନିଲାମୀ ସମୟରେ କାବ୍ୟା ନିଜେ ଅବରାରଙ୍କୁ କିଣିଥିବା ରିପୋର୍ଟ ସାମ୍ନାକୁ ଆସିବା ପରେ ଏହି ବିବାଦ ଆହୁରି ଉଗ୍ର ରୂପ ନେଇଥିଲା। କାବ୍ୟା ମାରାନ ୧୪୦ କୋଟି ଭାରତୀୟଙ୍କ ବିରୋଧ ସତ୍ତ୍ୱେ ଅବରାରଙ୍କୁ ଦଳରେ ନେଇଛନ୍ତି, ତେଣୁ ଅବରାର ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ଅତ୍ୟନ୍ତ ଜରୁରୀ। ଯଦି ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ ଖେଳିବା ପାଇଁ ଅନୁମତି ନଦିଏ, ତେବେ ଏହା ଫ୍ରାଞ୍ଚାଇଜ୍ ପାଇଁ ଏକ ବଡ଼ ଝଟ୍‌କା ହେବ।