ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ’ ଆଜି ଭୋର ସମୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି। ଓଙ୍ଗୋଲ୍ ନିକଟରେ ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହାର ଲ୍ୟାଣ୍ଡଫଲ୍ ହୋଇଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିଥିଲା ବାତ୍ୟା।

ସ୍ଥଳଭାଗ ଅତିକ୍ରମ ପରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଜାରି ରହିଛି। ବାତ୍ୟାଟି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ବିଶାଖାପାଟଣା ଅକ୍ଷାଂଶ ଦେଇ ଆଗକୁ ବଢ଼ିବା ସହ ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି।ବିଶେଷକରି କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ। କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ଏବଂ ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ସ୍ଥଳଭାଗ ସହ ସଂସ୍ପର୍ଶ, ଥଣ୍ଡା ଓ ଶୁଷ୍କ ବାୟୁର ପ୍ରଭାବ ଏବଂ ପୂର୍ବଘାଟ ପର୍ବତମାଳା ଯୋଗୁଁ ବାତ୍ୟାଟି ଧୀରେ ଧୀରେ ଦୁର୍ବଳ ହେବ। ଏହା ପଶ୍ଚିମ ଦିଗକୁ ତେଲେଙ୍ଗାନା ଆଡ଼କୁ ଗତି କରିବାରୁ ଓଡ଼ିଶାରେ ଆଜି ଓ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ। ଏହାପରେ ବର୍ଷାର ପ୍ରଭାବ ବିଶେଷ ରହିବ ନାହିଁ।ପାଣିପାଗ ମଡେଲ୍ ଅନୁଯାୟୀ, ଆଗାମୀ ୧୦ ଦିନ ମଧ୍ୟରେ ଓଡ଼ିଶା ଉପରେ ପ୍ରଭାବ ପକାଇବା ଭଳି କୌଣସି ନୂଆ ପାଣିପାଗ ସିଷ୍ଟମ୍ ସୃଷ୍ଟି ହେବାର ସମ୍ଭାବନା ନାହିଁ।

ବାତ୍ୟା ପ୍ରଭାବ କମିବା ପରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ହ୍ରାସ ପାଇଲେ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବ। ମଡେଲ୍ ଆକଳନ ଅନୁସାରେ, ନଭେମ୍ବର ୮ ଓ ୯ ତାରିଖରୁ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାତି ତାପମାତ୍ରା ହ୍ରାସ ପାଇବ ବୋଲି କହିଛନ୍ତି ସୋଆ ସିଇସି ମୁଖ୍ୟ।