ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆସିଲା ଚକିତ କଲାପରି ଘଟଣା। ଏଠାରେ ଚିକିତ୍ସିତ ହେଉଥିବା ହତ୍ୟା ଅଭିଯୁକ୍ତ ଟେକଚାନ୍ଦ ବେହେରା (୨୪) ମଙ୍ଗଳବାର ରାତିରେ ଚମ୍ପଟ୍ ମାରିଛି। ପରିସ୍ରା ଯିବା ବାହାନାରେ ସୁରକ୍ଷା ବଳୟ ଭେଦି ଟେକ୍ ଚାନ୍ଦ ଫେରାର ହୋଇଯାଇଛି। ଜେଲ ଅଧୀକ୍ଷକ ଜୀବନ ସିଂ ମୁଣ୍ଡାଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୁଲିସ ମାମଲା ରୁଜୁ କରି ଛାନଭିନ ଚଳାଇଛି। ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର ଫେରାର କଏଦୀଙ୍କୁ ଧରିବାକୁ ୨ଟି ସ୍ୱତନ୍ତ୍ର ସ୍ୱାଡ୍ ଗଠନ କରିଛନ୍ତି । ଡାକ୍ତରଖାନା ସମେତ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି।

ସଦର ଥାନା ରୂପାବାହାଲ ଗ୍ରାମରେ ୨୦୨୫ ଡିସେମ୍ବର ୨୪ରେ ବିଶାଲ କୋଲାଙ୍କୁ ହତ୍ୟା କରାଯାଇଥିଲା। ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଟେକଚାନ୍ଦକୁ ପୁଲିସ୍ ଗିରଫ କରିଥିଲା। ଡିସେମ୍ବର ୨୬ରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେବେଠାରୁ ସେ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହୁଥିଲା। ମଙ୍ଗଳବାର ପୂର୍ବାହ୍ନରେ କାରାଗାର ଶୌଚାଳୟକୁ ଯାଇଥିବା ବେଳେ ପଡ଼ି ଯାଇଥିଲା ଟେକ୍ଚାନ୍ଦ। ଛାତିରେ ଯନ୍ତ୍ରଣା ହେଉଥିବା କହି ବା ପରେ ଜେଲରେ ତା’ର ପ୍ରାଥମିକ ଚିକିତ୍ସା କରାଯାଇଥିଲା।

also read- ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଦମ୍ପତି ନିଖୋଜ ! ସୂଚନା ଦେବା ପାଇଁ ଜାରି ହେଲା ନମ୍ବର

ଅଧୂକ ଚିକିତ୍ସା ପାଇଁ ଅପରାହ୍ଣ ସାଢ଼େ ୧ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାର ସର୍ଜରି ୱାର୍ଡରେ ଚିକିତ୍ସା ଚାଲିଥିଲା । ହେଲେ ରାତି ପ୍ରାୟ ୮ଟା ୫୬ରେ ପରିସ୍ରା ଯିବା ବାହାନାରେ ସେ ଚମ୍ପଟ୍ ମାରିଥିଲା। କଡ଼ା ସୁରକ୍ଷା ବଳୟ ଭେଦି ଜଣେ ହତ୍ୟା ଅଭିଯୁକ୍ତ ଚମ୍ପଟ୍ ମାରିବା ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି।