ମୁମ୍ଵାଇ ୦୨।୧୦; ପରଦାରେ ଛୋଟ ଭୂମିକା, ହେଲେ ଦର୍ଶକଙ୍କ ମନରେ ରହିଗଲା ସେହି ସୁନ୍ଦର ଚେହେରା । ‘ମୁନ୍ନା ଭାଇ ଏମ୍ବିବିଏସ୍’ର ସେହି କଳାକାରଙ୍କ କଥା ମନେ ଅଛି କି? ‘ଆପୁନ୍ ଜୈସେ ଟପୋରି’ ଗୀତରେ ସଞ୍ଜୟ ଦତ୍ତଙ୍କ ସହ ନଜର ଆସିଥିବା ଏହି ଯୁବ କଳାକାର ଥିଲେ ବିଶାଲ ଠକ୍କର । ୨୦୦୩ର ଏହି ଫିଲ୍ମ ପରେ ବିଶାଲଙ୍କ ଅଭିନୟ ଯାତ୍ରା ଆଗକୁ ବଢ଼ିଥିଲା । ‘ଟାଙ୍ଗୋ ଚାର୍ଲି’ ସହ ଅନେକ ଟେଲିଭିଜନ୍ ଧାରାବାହିକରେ ମଧ୍ୟ ସେ କାମ କରିଥିଲେ । ଧୀରେ ଧୀରେ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ପରିଚୟ ତିଆରି କରିଥିଲେ ।

ହେଲେ ୨୦୧୫ ଡିସେମ୍ବର ୩୧ ରାତିରେ ହଠାତ୍ ନିଖୋଜ ହୋଇଗଲେ ବିଶାଲ । ଆଜିକୁ ପ୍ରାୟ ଦଶ ବର୍ଷ ବିତିଗଲାଣି । ଫୋନ୍ ବନ୍ଦ, ସୋସିଆଲ୍ ମିଡିଆରେ ଶେଷ ପୋଷ୍ଟ ପରେ ଆଉ କୌଣସି ଖୋଜଖବର ନାହିଁ । ହତ୍ୟା, ଅପହରଣ ନା ପଳାୟନ-ବିଶାଲଙ୍କ ନିଖୋଜ ରହସ୍ୟର ସମାଧାନ ଆଜି ବି ହୋଇନାହିଁ । ୨୦୧୫ ଡିସେମ୍ବର ୩୧ ତାରିଖ । ମୁମ୍ବାଇର ମୁଲୁଣ୍ଡସ୍ଥିତ ଘରେ ମା’ଙ୍କ ସହ ଥିଲେ ବିଶାଲ । ରାତି ପ୍ରାୟ ସାଢ଼େ ୧୦ଟା। ମା’ଙ୍କଠାରୁ ୫୦୦ ଟଙ୍କା ନେଇ ଘରୁ ବାହାରିଥିଲେ ବିଶାଲ । ରାତି ପ୍ରାୟ ୧ଟାରେ ବାପାଙ୍କୁ ମେସେଜ୍ କରିଥିଲେ-ସେ ପାର୍ଟିକୁ ଯାଉଛନ୍ତି ଏବଂ ପରଦିନ ଦେଖା ହେବ । କିନ୍ତୁ ସେହି ‘କାଲି’ ଆଉ କେବେ ଆସିଲା ନାହିଁ । ବିଶାଲ ଘରକୁ ଫେରିଲେ ନାହିଁ । ଫୋନ୍ ବନ୍ଦ ହୋଇଗଲା । ତାଙ୍କ ପରିବାର ଖୋଜାଖୋଜି ଆରମ୍ଭ କଲେ । ପୋଲିସ ତଦନ୍ତ ମଧ୍ୟ ଆରମ୍ଭ ହେଲା ।

ପୋଲିସ ଅନୁସାରେ, ବିଶାଲ ନୂଆ ବର୍ଷ ଅବସରରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ବାହାରେ ଥିଲେ । ଫେରିବା ସମୟରେ ଉଭୟ ଏକ ହୋଟେଲରେ ଚା ପିଇବାକୁ ରହିଥିଲେ । ସେଠାରୁ ବିଶାଲ ଅନ୍ଧେରୀରେ ଜଣେ ବନ୍ଧୁଙ୍କୁ ଭେଟିବା କଥା କହି ଚାଲିଯାଇଥିଲେ । ତା’ପରେ କୌଣସି ଖବର ନାହିଁ । ଜାନୁଆରୀ ୧ ସକାଳ ପ୍ରାୟ ୧୧ଟା ୪୫ରେ ବିଶାଲଙ୍କୁ ଶେଷ ଥର ପାଇଁ ଅଟୋରେ ଅନ୍ଧେରୀ ଯାଉଥିବା ଦେଖାଯାଇଥିଲା । ତାଙ୍କ ଶେଷ କଲ୍ ଡାଟା ଘୋଡବନ୍ଦର ରୋଡ୍ ନିକଟରୁ ରେକର୍ଡ ହୋଇଥିବା ରିପୋର୍ଟ ରହିଛି । ଏହାପରେ ତାଙ୍କ ଫୋନ୍ ସବୁଦିନ ପାଇଁ ବନ୍ଦ । ଆହୁରି ରହସ୍ୟମୟ କଥା ହେଉଛି, ବିଶାଲ ନିଖୋଜ ହେବା ପରେ ତାଙ୍କ ଫୋନ୍ ମିଳିଲା ନାହିଁ । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଆଉ ଆକ୍ଟିଭ୍ ହୋଇନଥିଲା । ଅପହରଣ ନେଇ କୌଣସି ଫୋନ୍ କଲ୍ ଆସିନଥିବା ପୋଲିସ କହିଥିଲା ।

ତଦନ୍ତରେ ଆସିଥିଲା ଆଉ ଏକଟ୍ଵିଷ୍ଟ...

ବିଶାଲ ନିଖୋଜ ହେବାର କିଛି ମାସ ପୂର୍ବରୁ ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ତାଙ୍କ ବିରୋଧରେ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ ଆଣିଥିବା ରିପୋର୍ଟ ହୋଇଥିଲା । ପରେ ଏହି ମାମଲାର ସମାଧାନ ହୋଇଥିବା ଓ ଅଭିଯୋଗ ପ୍ରତ୍ୟାହାର ହୋଇଥିବା ପରିବାର ପକ୍ଷରୁ କୁହାଯାଇଥିଲା । ପରିବାରର ଦାବି ଥିଲା, ଏହି ଘଟଣା ବିଶାଲଙ୍କୁ ଭାବନାତ୍ମକ ଭାବେ ପ୍ରଭାବିତ କରିଥିଲା । ପୋଲିସ ମଧ୍ୟ ତାଙ୍କ କ୍ୟାରିଅର ଓ ବ୍ୟକ୍ତିଗତ ଜୀବନର କିଛି ସମସ୍ୟା ତଦନ୍ତରେ ବିଚାରକୁ ନେଇଥିଲା । ହେଲେ ଏହା ନିଖୋଜ ଘଟଣାର ନିର୍ଦ୍ଦିଷ୍ଟ କାରଣ ବୋଲି ପ୍ରମାଣିତ ହୋଇନାହିଁ ।

ଦଶ ବର୍ଷ ପରେ ବି ପ୍ରଶ୍ନ

ବିଶାଲ କେଉଁଠି ଗଲେ? ତାଙ୍କ ସହ କ’ଣ ଘଟିଲା? ସେ ନିଜ ଇଚ୍ଛାରେ କେଉଁଆଡ଼େ ଚାଲିଗଲେ ନା କୌଣସି ଅପରାଧର ଶିକାର ହେଲେ? ଏହି ପ୍ରଶ୍ନର ଉତ୍ତର ଆଜି ବି ସମାଧାନ ହୋଇନାହିଁ । ୨୦୧୯ରେ ମାମଲାର ତଦନ୍ତ ଜଣେ ଅଭିଜ୍ଞ ପୋଲିସ କର୍ମଚାରୀଙ୍କ ହାତକୁ ଯାଇଥିଲା, ଯିଏ ମୁମ୍ବାଇର ଅନେକ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ପରିଚିତ ଥିଲେ । କିନ୍ତୁ ବିଶାଲଙ୍କ ମାମଲାରେ ମଧ୍ୟ କୌଣସି ନିଶ୍ଚିତ ସୁରାଗ ମିଳିନଥିବା ରିପୋର୍ଟ ରହିଛି ।

ଆଜି ବି ପରିବାର ଅପେକ୍ଷାରେ ଅଛନ୍ତି

‘ମୁନ୍ନା ଭାଇ ଏମ୍ବିବିଏସ୍’ର ସେହି ଛୋଟ ଚରିତ୍ର ଯିଏ ପରଦାରେ କିଛି ମୁହୂର୍ତ୍ତ ପାଇଁ ଆସିଥିଲେ, କିନ୍ତୁ ନିଜ ଅଭିନୟରେ ଦର୍ଶକଙ୍କ ମନରେ ରହିଗଲେ। ସେହି ବିଶାଲ ଠକ୍କରଙ୍କ ନିଖୋଜ ରହସ୍ୟର କାହାଣୀ ଏବେ ବି ଅନ୍ଧକାରରେ । ଦଶ ବର୍ଷରୁ ଅଧିକ ସମୟ ବିତିଗଲାଣି । ସମୟ ବଦଳିଛି, କିନ୍ତୁ ବିଶାଲ ଠକ୍କରଙ୍କ ପରିବାର ପାଇଁ ସେହି ଅପେକ୍ଷା ଆଜି ବି ଶେଷ ହୋଇନାହିଁ । ବିଶାଲ କେଉଁଠି, ତାଙ୍କ ସହ କ’ଣ ଘଟିଥିଲା-ଏହି ପ୍ରଶ୍ନର ଉତ୍ତର ମିଳିବା ଏବେ ବି ବାକି ।