ମୁମ୍ଵାଇ ୦୬।୦୭; ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ସ୍ଥିତି ବେହାଲ୍। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଭୟଙ୍କର ଭୂସ୍ଖଳନ। ଖଣ୍ଡାଲା ଏକଜିଟ୍ ନିକଟ ମିସିଂ ଲିଙ୍କରେ ଖସିଲା ପାହାଡ଼ ଅତଡ଼ା। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଓ ମାଟି ଅତଡ଼ା ଖସିବାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଲେନ୍ ବନ୍ଦ, ଯାତାୟାତ ବାଧାପ୍ରାପ୍ତ। ସୋମବାର ସକାଳେ କରଜତ-ଲୋନାଭାଲାର ଭୋର ଘାଟ ଅଞ୍ଚଳରେ ଦୁଇଟି ସ୍ଥାନରେ ଭୂସ୍ଖଳନ ଘଟିବାରୁ ମୁମ୍ବାଇ-ପୁଣେ ରେଳପଥର ତିନୋଟି ଟ୍ରାକ୍ରେ ମାଟି ଓ ପଥର ଖସିପଡ଼ିଥିଲା । ଏହା ପରେ ସୁରକ୍ଷା ଦୃଷ୍ଟିରୁ ଏହି ରୁଟ୍ରେ ସମସ୍ତ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି ।

ସେଣ୍ଟ୍ରାଲ ରେଳବାଇ ସୂଚନା ଅନୁସାରେ, ଅତି କମରେ ୧୬ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୯ଟି ଟ୍ରେନ୍ର ରୁଟ୍ ପରିବର୍ତ୍ତନ କରାଯାଇଛି । ଏହାର ପ୍ରଭାବରେ ହଜାର ହଜାର ଯାତ୍ରୀ ଅସୁବିଧାରେ ପଡ଼ିଛନ୍ତି । ଘଟଣାସ୍ଥଳରେ ହାଇୱେ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କରିବା କାର୍ଯ୍ୟ ଜାରି ରଖିଛନ୍ତି। ଜେସିବି ସାହାଯ୍ୟରେ ରାସ୍ତାରୁ ବଡ଼ ବଡ଼ ପଥର ଓ ମାଟି ହଟାଇବାକୁ ଚେଷ୍ଟା କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ କିଛିଟା ବାଧା ସୃଷ୍ଟି ହେଉଥିଲେ ମଧ୍ୟ ଖୁବ୍ ଶୀଘ୍ର ଯାତାୟତ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରଖିଛି ପ୍ରଶାସନ। ହେଲେ ସବୁଠାରୁ ବଡ କଥା ହେଉଛି, ଏହି ଭୂସ୍ଖଳନରେ କୌଣସି ଜୀବନହାନି କିମ୍ବା କେହି ଆହତ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

କେବଳ ରେଳ ନୁହେଁ, ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଏବଂ ପୁରୁଣା ମୁମ୍ବାଇ-ପୁଣେ ରାଜପଥକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ପ୍ରଶାସନ ଲୋକଙ୍କୁ ଅତ୍ୟାବଶ୍ୟକ କାମ ନଥିଲେ ଏହି ରୁଟ୍ରେ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି । ଏପଟେ ଭାରତୀୟ ପାଣିପାଗ ବିଭାଗ (IMD) ମୁମ୍ବାଇ ପାଇଁ ଅରେଞ୍ଜ ଆଲର୍ଟ ଏବଂ ପୁଣେ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଆଗାମୀ କିଛି ଘଣ୍ଟା ଯାଏଁ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ରହିବାକୁ ଲୋକଙ୍କୁ ଅନୁରୋଧ କରିଛି ।