ମୁମ୍ବାଇ: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇବାସୀଙ୍କୁ ଲାଗିଛି ମହଙ୍ଗା ମାଡ଼। ଏଣିକି କ୍ଷୀର କିଣିବାକୁ ଗ୍ରାହକଙ୍କୁ ଗଣିବାକୁ ପଡ଼ିବ ଅଧିକ ଟଙ୍କା। ମୁମ୍ବାଇ ଏବଂ ଏହାର ଆଖପାଖ ମହାନଗର ଅଞ୍ଚଳରେ ପାଇକାରୀ କ୍ଷୀର ଦର ବୃଦ୍ଧି କରାଯାଇଛି। ବମ୍ବେ ଦୁଗ୍ଧ ଉତ୍ପାଦକ ସଂଘ ପକ୍ଷରୁ କ୍ଷୀର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ନୂଆ ଦର ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ। ଏହା ପରେ ପାଇକାରୀ କ୍ଷୀରର ଦାମ ଲିଟର ପିଛା ୯୩ ଟଙ୍କାରୁ ବଢ଼ି ୧୦୨ ଟଙ୍କା ହୋଇଯିବ। ଅର୍ଥାତ୍ ଗୋଟିଏ ଲିଟର କ୍ଷୀର ପାଇଁ ଏଣିକି ୯ ଟଙ୍କା ଅଧିକ ଦେବାକୁ ପଡ଼ିବ।

ଏହି ବର୍ଦ୍ଧିତ ଦର ଆସନ୍ତା ୨୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ଛଅ ମାସ ପାଇଁ ଲାଗୁ ରହିବ। ପାର୍ବଣ ସମୟରେ କ୍ଷୀରର ଚାହିଦା ବଢ଼ୁଥିବା ବେଳେ ଏହି ଦରବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଦେଇଛି। କେବଳ ପାଇକାରୀ ବଜାରରେ ଦର ବଢ଼ିବାରେ ଏହାର ପ୍ରଭାବ ସୀମିତ ରହିବ ନାହିଁ। ସ୍ଥାନୀୟ କ୍ଷୀର ବିକ୍ରେତା, ଡାଏରୀ ଏବଂ ହୋମ୍ ଡେଲିଭରି ଯୋଗାଣକାରୀମାନେ ମଧ୍ୟ ସେପ୍ଟେମ୍ବର ୧ରୁ ଗ୍ରାହକଙ୍କଠାରୁ ବର୍ଦ୍ଧିତ ଦର ଆଦାୟ କରିପାରନ୍ତି। ଫଳରେ ମୁମ୍ବାଇବାସୀଙ୍କ ଦୈନନ୍ଦିନ ବଜେଟ୍ ଉପରେ ସିଧାସଳଖ ପ୍ରଭାବ ପଡ଼ିବା ଆଶଙ୍କା ରହିଛି।

also read- CNG ଗାଡ଼ି ଚାଳକଙ୍କୁ ପୁଣି ଝଟ୍‌କା ! କେଜି ପିଛା ₹ ୩.୮୯ ବଢ଼ିଲା ଦର, ଜାଣନ୍ତୁ କେଉଁ ସହରରରେ କେତେ ଦାମ

କ୍ଷୀର ଦର ବଢ଼ିଲେ ଏହାର ପ୍ରଭାବ କେବଳ ଚା’ କିମ୍ବା କ୍ଷୀର କିଣିବାରେ ସୀମିତ ରହିବ ନାହିଁ। କ୍ଷୀରକୁ କଞ୍ଚାମାଲ ଭାବେ ବ୍ୟବହାର କରୁଥିବା ଦହି, ପନିର ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଦର ମଧ୍ୟ ବଢ଼ିବାର ସମ୍ଭାବନା ରହିଛି। ଅର୍ଥାତ୍ ଆଗାମୀ ଦିନରେ ଘରର ରୋଷେଇଘରଠାରୁ ଆରମ୍ଭ କରି ମିଠା ଦୋକାନ ପର୍ଯ୍ୟନ୍ତ ଏହି ଦରବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିବ।

ପାର୍ବଣ ପୂର୍ବରୁ ପନିପରିବା, ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷର ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଗ୍ରାହକଙ୍କ ପାଇଁ କ୍ଷୀର ଦର ବୃଦ୍ଧି ଆଉ ଏକ ଚିନ୍ତାର କାରଣ ହୋଇଛି। ଏବେ ସେପ୍ଟେମ୍ବର ୧ରୁ ମୁମ୍ବାଇବାସୀଙ୍କ ଦୈନନ୍ଦିନ ଖର୍ଚ୍ଚରେ କେତେ ପ୍ରଭାବ ପଡ଼ୁଛି, ତାହା ଉପରେ ନଜର ରହିବ।