ମୁମ୍ବାଇ: ଭୀଷଣ ବର୍ଷା ଶନିବାର ମୁମ୍ବାଇ ଓ ଆଖପାଖ ଅଞ୍ଚଳକୁ ଜଳାର୍ଣ୍ଣବ କରିଛି। ଅନେକ ସ୍ଥାନରେ ସଡ଼କ ପାଣିରେ ବୁଡ଼ି ଯାଇଥିବା ବେଳେ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରିଛି। ଲୋକେ ବର୍ଷା ଯୋଗୁ ଉପୁଜିଥିବା ପରିସ୍ଥିତିର ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଯେଉଁଥିରେ ସହରର ଅଲଗା ଅଲଗା ଅଞ୍ଚଳର ଦୃଶ୍ୟ ଦେଖିବାକୁ ମିଳୁଛି। ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଟ୍ରାଫିକ ଧିମେଇ ଯାଇଥିବା ବେଳେ ଲୋକେ ଘଣ୍ଟାଘଣ୍ଟା ଜାମରେ ଫଶି ରହୁଛନ୍ତି। ପାଣିପାଗ ବିଭାଗ ଆଗାମୀ ଦିନମାନଙ୍କରେ ମଧ୍ୟ ଭୀଷଣ ବର୍ଷା ଆକଳନ କରିଛନ୍ତି। ଏଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଲଗାଣ ବର୍ଷା ଯୋଗୁ ଭସଇର ଅନେକ ଅଞ୍ଚଳରେ ପାଣି ଭରି ଯାଇଛି। ସଡ଼କ ପାଣିରେ ବୁଡ଼ି ରହିବା ଯୋଗୁ ଯାନବାହନ ଚଳାଚଳ ବାଧିତ ହୋଇଛି। ନଭି ମୁମ୍ବାଇରେ ଅନେକ ସଡ଼କରେ ପାଣି ଭରି ଯାଇଛି। ଏହି ସମୟରେ ଗେଟ୍ ୱେ ଅଫ ଇଣ୍ଡିଆରେ ହାଇଟାଇଡ ଲୋକଙ୍କୁ ଭୟଭୀତ କରିଛି। ସମୁଦ୍ରର ଜୁଆର ଯୋଗୁ ଉଚ୍ଚା ଉଚ୍ଚା ଲହଡି ଆସି କୂଳରେ ମାଡ଼ ହେଉଥିବା ଦେଖା ଯାଇଛି। ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ ଲଗାତାର ଭିଡିଓ ସେୟାର କରୁଛନ୍ତି।

ମୁମ୍ବାଇ ଭାଣ୍ଡୁପର ସୋନପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସଡ଼କର ଗୋଟିଏ ପଟ ଧସି ଯାଇଛି। ଏହି ଘଟଣା ଏକ ନିର୍ମାଣାଧୀନ ସ୍ଥାନରେ ହୋଇଛି। ଏଠାରେ ସଡ଼କ ଦୁର୍ବଳ ହେବା ଯୋଗୁ ବାହନ ଗାତରେ ଫଶି ଯାଇଥିଲା। ଦେଖୁ ଦେଖୁ ପୁରା ରାସ୍ତା ଧସିଗଲା। ତେବେ ଏହି ଘଟଣାରେ କେହି ହତାହତ ହୋଇଥିବାର ସୂଚନା ନାହିଁ। ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ସୁରକ୍ଷିତ କରିଛି ଓ ଲୋକଙ୍କୁ ଏହି ରାସ୍ତାରେ ଯାତାୟାତ ନ କରିବାକୁ ପରାମର୍ଶ ଦେଇଛି। ବର୍ଷାର ପ୍ରଭାବ କେବଳ ଆର୍ଥିକ ମହାନଗରର ସଡ଼କରେ ନାହିଁ, ଅନ୍ଧେରୀ ଓ ମଲାଡ ସବୱେରେ ପାଣି ଭରିଯିବା ଯୋଗୁ ଉଭୟ ରାସ୍ତାକୁ ବନ୍ଦ କରାଯାଇଛି।

ମୁମ୍ବାଇ ଲୋକାଲ ଟ୍ରେନ ସେବା ମଧ୍ୟ ବର୍ଷା ଯୋଗୁ ପ୍ରଭାବିତ ହୋଇଛି। ଅନେକ ଟ୍ରେନର ବେଗ ହ୍ରାସ ହୋଇଥିବା ବେଳେ ଠାଣେ ଓ ପାଲଘରରେ ପାଣି ଭରିବା ଓ ଗଛ ପଡିବା ଯୋଗୁ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମୁମ୍ବାଇ ମହାନଗର ପାଇଁ ରେଡ ଆଲର୍ଟ ଜାରି କରିଛି। ଭୀଷଣ ବର୍ଷା ଓ ଘଡ଼ଘଡ଼ି ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁମାନ କରାଯାଇଛି। ବର୍ଷା ଯୋଗୁ ମୁମ୍ବାଇରେ କଲେଜ ଓ ସ୍କୁଲ ଶନିବାର ମଧ୍ୟାହ୍ନରେ ଛୁଟି କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ମୁମ୍ବାଇ, ପୁଣେ ଓ ନାସିକର ଲୋକଙ୍କୁ ପାଣିପାଗ ବିଭାଗର ପରାମର୍ଶ ମାନିବାକୁ ନିବେଦନ କରିଛନ୍ତି ଓ ଅତ୍ୟନ୍ତ ଜରୁରି କାମ ନଥିଲେ ଘରୁ ପଦାକୁ ନ ବାହାରିବା ପାଇଁ କହିଛନ୍ତି। ତେବେ ପ୍ରଶାସନ ଲଗାତାର ପରିସ୍ଥିତି ଉପରେ ନଜର ରଖି ରହିଛି।