ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(AAP)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କ ଝିଅ ହର୍ଷିତା କେଜ୍ରିଓ୍ଵାଲଙ୍କୁ ଜୀବନରେ ମାରି ଦେବାକୁ ମିଳିଛି ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏହି ଧମକ ଦିଆଯାଇଛି। କେବଳ ଏତିକି ନୁହେଁ ୭ କୋଟି ଟଙ୍କା ନ ଦେଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ଧମକ ଦେଇଛି ଦୁର୍ବୃତ୍ତ।

ଦିଲ୍ଲୀର ତିଳକ ନଗର ବିଧାୟକ ଜନରେଲ ସିଂଙ୍କ ପାଖକୁ ଏକ ଧମକଭରା ଫୋନ କଲ୍ ସହ ହ୍ଵାଟ୍ସଆପ ମେସେଜ୍ ଆସିଥିଲା। ଏଥିରେ କେଜ୍ରିଓ୍ଵାଲଙ୍କ ପର୍ଯ୍ୟନ୍ତ ସନ୍ଦେଶ ପହଞ୍ଚାଇବାକୁ କୁହାଯାଇଛି। ଅଭିଯୋଗ ଆସିବା ପରେ ନଭେମ୍ବର ୬ରେ ପଞ୍ଜାବର ମୋହାଲି ପୋଲିସ ମାମଲା ରୁଜୁ କରିଛି। ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଚଳାଇଛି। ଧମକ ଦେଇଥିବା ବ୍ୟକ୍ତି ହରିୟାଣାର ରୋହତକ ନିବାସୀ। ତେବେ ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇ ନାହିଁ। ଘଟଣାର ତଦନ୍ତ ଦାୟିତ୍ଵ ସାଇବର କ୍ରାଇମ ପୋଲିସ ଷ୍ଟେସନର ଇନ୍ସପେକ୍ଟର ସୁନୀଲ କୁମାରଙ୍କୁ ଦିଆଯାଇଛି।

Also Read: ବିହାର MLC ନିର୍ବାଚନ ପରେ ବଢୁଛି ଜେଡି(ୟୁ)-ବିଜେପି ଫାଟ, ମୈଦାନକୁ ଓହ୍ଲାଇଲେ ତେଜସ୍ୱୀ

୭ କୋଟି ଦିଅନ୍ତୁ ନଚେତ୍ ଝିଅକୁ ମାରି ଦେବୁ

ବିଧାୟକ ଜନରେଲ ସିଂ ନଭେମ୍ବର ୬ରେ ମୋହାଲି ଏସଏସପି ନିକଟରେ ଅଭିଯୋଗ କରିଛନ୍ତି। ସେ ଏଫଆଇଆରରେ ଲେଖିଛନ୍ତି, ତାଙ୍କ ମୋବାଇଲ ନମ୍ବରକୁ ଅଜଣା ନମ୍ବରରୁ ଏକ କଲ୍ ଆସିଥିଲା ଏବଂ ହ୍ଵାଟ୍ସଆପରେ ବି ଧମକଭରା ସନ୍ଦେଶ ଦିଆଯାଇଥିଲା। ହ୍ଵାଟ୍ସଆପରେ ଅଭିଯୁକ୍ତର ପ୍ରୋଫାଇଲ୍ ନାଁ H ରହିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟର ପରିଚୟ ଦେଇ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସାତ କୋଟି ଟଙ୍କା ଦେବାକୁ କହି ଦିଅ, ନଚେତ୍ ତାଙ୍କ ଝିଅକୁ ଜୀବନରେ ମାରି ଦିଆଯିବ ବୋଲି ଧମକ ଦେଇଥିଲା।

ଅଭିଯୁକ୍ତ ଫୋନରେ ଧମକ ଦେବା ସହ ସେହି ମୋବାଇଲ ନମ୍ବରରେ ହ୍ଵାଟ୍ସଆପ୍ ମେସେଜ ପଠାଇଥିଲା। ଏଥିରେ ବି ସାତ କୋଟି ଟଙ୍କା ନ ଦେଲେ ହତ୍ୟାର ଧମକ ଦିଆଯାଇଥିଲା। ବିଧାୟକ ଜନରେଲ ସିଂ ଅଭିଯୁକ୍ତର ମୋବାଇଲ୍ ନମ୍ବରର କଲ୍ ଡିଟେଲ୍ସ ରେକର୍ଡ, ଆଇପି ଲଗ୍ ଓ ଲୋକେଶନ ଟ୍ରାସ କରିବାକୁ ଦାବି କରିଛନ୍ତି। ଏହା ସହ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କ ପରିବାରର ସୁରକ୍ଷା ବଢାଇବାକୁ ମଧ୍ୟ ଦାବି କରାଯାଇଛି।

Also Read: 'ବିଦେଶରେ ଛାଡ଼ପତ୍ର ନେଇ ଭାରତରେ ଦ୍ୱିତୀୟ ବିବାହ କରିହେବନି' : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୪ ମେରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜୀବନରେ ମାରି ଦେବାକୁ ଧମକ ମିଳିଥିଲା। ସେହି ସମୟରେ ମେଟ୍ରୋ ଟ୍ରେନ ଭିତରେ ଅନେକ ମେସେଜ୍ ଲେଖା ଯାଇଥିଲା ଏବଂ ହତ୍ୟା ଧମକ ଦିଆଯାଇଥିଲା। ତେବେ ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହିପରି ଧମକ ପଞ୍ଜାବ ପୋଲିସର ଚିନ୍ତା ବଢାଇ ଦେଇଛି।