ମୁମ୍ଵାଇ ୦୪।୦୯; ମହାଭାରତରେ 'ଭୀଷ୍ମ ପିତାମହ' ଭାବେ ଘରେ ଘରେ ପରିଚିତ ଅଭିନେତା ମୁକେଶ ଖାନ୍ନା। ତାଙ୍କର ଖୋଲାଖୋଲି ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ଏକ ବୟାନକୁ ନେଇ ସିଧାସଳଖ ଟାର୍ଗେଟ କରିଛନ୍ତି। 'ବନ୍ଦେ ମାତରମ୍' ସମ୍ପର୍କରେ ଶର୍ମିଲା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ଦେଇ ମୁକେଶ ଖାନ୍ନା ପଟୌଦି ପରିବାରର ବୋହୂଙ୍କୁ ତାଙ୍କ ମୂଳ ପରିଚୟ ଏବଂ ଧର୍ମକୁ ନେଇ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି।

 

ଏକ ସାକ୍ଷାତକାର ସମୟରେ ମୁକେଶ ଖାନ୍ନା କହିଛନ୍ତି ଯେ, ଶର୍ମିଲା ଟାଗୋର ନିଜସ୍ୱ ବୁଝାମଣା ଆଧାରରେ ମନ୍ତବ୍ୟ ଦେଇଛନ୍ତି ଯେ ଅନ୍ୟ ଧର୍ମର ଲୋକମାନେ 'ବନ୍ଦେ ମାତରମ୍'କୁ ଗ୍ରହଣ କରିପାରିବେ ନାହିଁ। ଏହି ପ୍ରସଙ୍ଗରେ ମୁକେଶ ଖାନ୍ନା ଶର୍ମିଲାଙ୍କୁ ତାଙ୍କର ପଟୌଦି ପରିବାରରେ ବିବାହ ଏବଂ 'ଆୟେଶା ବେଗମ' ହେବା ନେଇ ଟାର୍ଗେଟ୍ କରି କହିଛନ୍ତି-"କଣ ତୁମେ ବିବାହ ପରେ ହିଁ ଇସଲାମର ଅସ୍ତିତ୍ୱ ଅନୁଭବ କଲ କି? ଯେବେ ତୁମେ ଆୟେଶା ବେଗମ ହେଲ କଣ ସେତେବେଳେ ଭାବିଲ କି ମୁସଲମାନ ଅଲଗା ଧର୍ମ ମାନନ୍ତି।ଆଜି ତୁମେ ଆୟେଶା ବେଗମ ଭାବରେ କଥା ହେଉଛ। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ହିନ୍ଦୁ ଧର୍ମ ସହିତ ଜଡିତ ଏକ ସମ୍ପୂର୍ଣ୍ଣ ଜୀବନ ବିତାଇବା ପରେ,ତୁମେ ହଠାତ୍ ଅନ୍ୟ ଧର୍ମ ବିଷୟରେ ଚିନ୍ତା କରିବା ଆରମ୍ଭ କରିଛ।ଯିଏ ବଙ୍ଗଳାର କାଳୀ ପୂଜା ଏବଂ ସଂସ୍କୃତି ମଧ୍ୟରେ ବଢ଼ିଛି, ସେ ହଠାତ୍ କିପରି ଭାବୁଛି ଯେ ଅନ୍ୟ ଧର୍ମର ଲୋକେ ଏହାକୁ ଗ୍ରହଣ କରିବେ ନାହିଁ?"

ଏହି ସମୟରେ ଈଶ୍ୱରଙ୍କ ସ୍ୱରୂପ ବିଷୟରେ ଆଲୋଚନା କରି ମୁକେଶ କହିଛନ୍ତି ଯେ, ଆମର ୩୩ କୋଟି ଦେବତା ଅଛନ୍ତି, ଯାହାର ଅର୍ଥ ଏହା ନୁହେଁ ଯେ ଅନେକ ଭଗବାନ ଅଛନ୍ତି ବରଂ ଈଶ୍ୱର ଜଣେ, ଯିଏ ନିରାକାର ଏବଂ ଭକ୍ତମାନେ ତାଙ୍କୁ ହନୁମାନ, ଶିବ କିମ୍ବା କୃଷ୍ଣ ରୂପରେ ପୂଜା କରନ୍ତି। ଅନ୍ୟପକ୍ଷରେ, 'ବନ୍ଦେ ମାତରମ୍' ବିବାଦ ଉପରେ ମତ ଦେଇ ସେ କହିଛନ୍ତି ଯେ କେବଳ ହିନ୍ଦୁ ଦେବତାଙ୍କ ଉଲ୍ଲେଖ ନୁହେଁ, ବରଂ କେବଳ 'ଖୁଦା'ଙ୍କ ଆଗରେ ମୁଣ୍ଡ ନୁଆଁଇବା କଥାକୁ ନେଇ ମଧ୍ୟ ଆପତ୍ତି କରାଯାଏ। ଲତା ମଙ୍ଗେସକରଙ୍କଠାରୁ ଆରମ୍ଭ କରି ଏ.ଆର. ରହମାନଙ୍କ 'ମା ତୁଝେ ସଲାମ୍' ପର୍ଯ୍ୟନ୍ତ ସବୁଥିରେ ମାତୃଭୂମିକୁ ସମ୍ମାନ ଦିଆଯାଇଛି ବୋଲି ସେ ଦର୍ଶାଇଛନ୍ତି।

ଶେଷରେ ମୁକେଶ ଖାନ୍ନା ସ୍ପଷ୍ଟ କରିଛନ୍ତି ଯେ ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଦେଶ ଏବଂ ଏହାର ଜାତୀୟ ପ୍ରତୀକଗୁଡ଼ିକୁ ସମ୍ମାନ ଦେବା ଉଚିତ। ହେଲେ କାହାକୁ ବଳପୂର୍ବକ ନମସ୍କାର କରିବାକୁ ବାଧ୍ୟ କରାଯିବା ଉଚିତ୍ ନୁହେଁ। ତେବେ ଶର୍ମିଲା ଟାଗୋରଙ୍କ ବୟାନ ଉପରେ ମୁକେଶ ଖାନ୍ନାଙ୍କ ଏହି କଡ଼ା ପ୍ରତିକ୍ରିୟା ଏବେ ସିନେମା ଏବଂ ରାଜନୈତିକ କରିଡରରେ ଏକ ନୂତନ ବିତର୍କ ସୃଷ୍ଟି କରିଛି।