ମୁମ୍ୱାଇ: ବଲିଉଡ୍ କଳାକାର ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସଂପର୍କକୁ ନେଇ ଆଉ ଏକ ଯୋଡ଼ି ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁର ଏବଂ ଭାରତୀୟ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କ ସଂପର୍କକୁ ନୂଆ ନାଁ ଦିଆଯାଉଛି । ମୁମ୍ୱାଇର ଏକ କାଫେର ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓ ଦୁହିଁଙ୍କ ମଧ୍ୟରେ ଡେଟିଂ ଚର୍ଚ୍ଚାକୁ ବଳ ଦେଉଛି । କୁହାଯାଉଛି, ଭିଡିଓଟି ବାନ୍ଦ୍ରା ୱେଷ୍ଟର ଏକ କାଫେର, ଯେଉଁଠି ଦୁହେଁ ଏକା ସମୟରେ ନଜର ଆସିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଯଶସ୍ୱୀ କାଫେରୁ ବାହାରକୁ ଆସୁଛନ୍ତି ଏବଂ ଏହି ସମୟରେ ମୃଣାଳ ଭିତରେ ରହୁଛନ୍ତି । ତେବେ ଦୁହିଁଙ୍କ ମଧ୍ୟରେ କୌଣସି ପ୍ରକାର ରୋମାଣ୍ଟିକ୍ ଆଲୋଚନା କିମ୍ୱା କ୍ଲୋଜ୍ ମୋମେଣ୍ଟ ଭିଡିଓରେ ଦେଖିବାକୁ ମିଳିନାହିଁ । କିନ୍ତୁ ସୋସିଆଲ୍ ମିଡିଆରେ ଲୋକେ ଭିନ୍ନ ଆଲୋଚନା କରିବା ଆରମ୍ଭ କରିଛନ୍ତି ।

ଏହି ଭିଡିଓ ଭାଇରାଲ୍ ହେବା ପରେ ଫ୍ୟାନ୍ସ ଏହାକୁ ଡେଟିଂ ସହ ଯୋଡ଼ି ସେୟାର କରିବା ଆରମ୍ଭ କରିଛନ୍ତି । ଦେଖୁ ଦେଖୁ ଏହା ବଡ଼ ଟପିକ୍ ପାଲଟିଗଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ପୂର୍ବରୁ ଦୁହେଁ କେବେ ବି ଏକାଠି ନଜର ଆସି ନ ଥିଲେ, ତେଣୁ ଫ୍ୟାନ୍ସଙ୍କ ପାଇଁ ଏହା ବଡ଼ ସରପ୍ରାଇଜ୍ ଥିଲା ।

ସତରେ ଡେଟିଂ କରୁଛନ୍ତି କି ?

ମୃଣାଳ ଏବଂ ଯଶସ୍ୱୀ ରିଲେସନଶିପରେ ଅଛନ୍ତି ବୋଲି ବର୍ତ୍ତମାନ ସୁଦ୍ଧା କୌଣସି ଠୋସ୍ ପ୍ରମାଣ ନାହିଁ । ଅନେକ ସୋସିଆଲ୍ ମିଡିଆ ୟୁଜର ତରବରିଆ ଭାବେ ନିର୍ଣ୍ଣୟ ନେଉଛନ୍ତି । କିଛି ଜଣଙ୍କ ମତ ଯେ ଦୁହେଁ କୌଣସି କାମ, ଶୁଟ୍ କିମ୍ୱା ପ୍ରଫେସନାଲ୍ ମିଟିଂ ପାଇଁ ଭେଟିଥାଇ ପାରନ୍ତି ।

ଏହି ଖବର ସହ ଦୁହିଁଙ୍କ ମଧ୍ୟରେ ବୟସ ବ୍ୟବଧାନ ମଧ୍ୟରେ ଚର୍ଚ୍ଚାକୁ ଆସିଛି । ମୃଣାଳ ଠାକୁରଙ୍କୁ ୩୩ ବର୍ଷ, ଅନ୍ୟପଟେ ଜୟସ୍ୱାଲଙ୍କୁ ମାତ୍ର ୨୪ ବର୍ଷ । ଅର୍ଥାତ୍ ଦୁହିଁଙ୍କ ମଧ୍ୟରେ ପ୍ରାୟ ୯ ବର୍ଷର ବ୍ୟବଧାନ । ସୋସିଆଲ୍ ମିଡିଆରେ ଲୋକେ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।