ଭୋପାଳ: ମଧ୍ୟପ୍ରଦେଶର ଜବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲର ବଡ଼ ପ୍ରଭାବ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଡିଡି ବଂଶଲ ନିଜର ସରକାରୀ ଗାଡ଼ି ଛାଡ଼ି ସାଇକେଲରେ କୋର୍ଟକୁ ଯାଉଥିବା ଦେଖିବାକୁ ମିଳିଛି । ପରିବେଶ ସୁରକ୍ଷା ଏବଂ ଇନ୍ଧନ ସଞ୍ଚୟ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ବିଚାରପତି ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ଇନ୍ଧନ ବଞ୍ଚାଅ" ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ଏହି ପଦକ୍ଷେପ ନେଇଛନ୍ତି ।

ଜଷ୍ଟିସ ବଂଶଲ ନିଜ ବାସଭବନରୁ ହାଇକୋର୍ଟ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ସାଇକେଲ ଚଲାଇ ଯାଇଛନ୍ତି । ଜଣେ ବିଚାରପତିଙ୍କୁ ସାଧାରଣ ଲୋକଙ୍କ ଭଳି ସାଇକେଲରେ ଯାଉଥିବାର ଦେଖି ଅନେକ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ପ୍ରଶଂସା କରୁଛନ୍ତି । ଜଷ୍ଟିସ ବଂଶଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଧନ ବଞ୍ଚାଇବା ପାଇଁ ଅପିଲ୍ କରିଛନ୍ତି । ତାହାକୁ ଧ୍ୟାନରେ ରଖି ମୁଁ ସାଇକେଲ୍ ଚଲାଇ ହାଇକୋର୍ଟ ଯିବାକୁ ବିଚାର କଲି । ଏହାସହ ଅଳ୍ପ ବାଟ ପାଇଁ ଯଥାସମ୍ଭବ ସାଇକେଲ ବ୍ୟବହାର କରିବା ନେଇ ସାଧାରଣଙ୍କୁ ମଧ୍ୟ ବାର୍ତ୍ତା ଯିବ । ଏହାସହ ସେ କହିଛନ୍ତି, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚଦେବାଙ୍କଠାରୁ ସାଇକେଲ୍ ଚଲାଇବା ପାଇଁ ପ୍ରେରଣା ପାଆନ୍ତି ।

ପଶ୍ଚିମ ଏସିଆ ସଂକଟର ଗମ୍ଭୀର ପରିଣାମକୁ ଦେଖି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ପେଟ୍ରୋଲ-ଡିଜେଲ୍ ବ୍ୟବହାର କମ କରିବା ପାଇଁ ନିବେଦନ କରିଥିଲେ । ପେଟ୍ରୋଲ-ଡିଜେଲ ବ୍ୟବହାର କମ କରିବା ସହ ୱାର୍କ ଫ୍ରମ୍ ହୋମ୍ ଏବଂ ଅନାବଶ୍ୟକ ବିଦେଶ ଯାତ୍ରା ନକରିବାକୁ ଅପିଲ୍ କରିଥିଲେ । ଏହାସହ ଆଗାମୀ ଏକ ବର୍ଷ ଯାଏ ସୁନା ନକିଣିବା ପାଇଁ ମଧ୍ୟ ଦେଶବାସୀଙ୍କୁ ଅପିଲ୍ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜ ଅପିଲକୁ କାର୍ଯ୍ୟକାରୀ କରିଛନ୍ତି । ସେ ନିଜ ସରକାରୀ କାରକେଡରେ ସାମିଲ ଥିବା ଗାଡ଼ି ସଂଖ୍ୟାକୁ ଯଥେଷ୍ଟ ହ୍ରାସ କରିଛନ୍ତି । ଅନ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ରାସ୍ତାକୁ ଆପଣାଇଛନ୍ତି ।

Also Read:PM Modi: ଇନ୍ଧନ ବଞ୍ଚାଇବା ପାଇଁ ପିଏମ ମୋଦୀ ସୃଷ୍ଟି କଲେ ଉଦାହରଣ, ମାତ୍ର ୨ଟି ଗାଡ଼ିର କନଭୟରେ ବାହାରିଲେ, Video