ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ନୃଶଂସ ଘଟଣା ସାମ୍ନାକୁ ଆସିଛି। ଏକ ଚଳନ୍ତା ବସରେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ୪୦ କିଲୋମିଟର ଦୂର ଦିଲ୍ଲୀର କାଶ୍ମୀର ଗେଟ୍ ନିକଟରେ ଫିଙ୍ଗି ଦିଆଯାଇଛି। ୨୦୧୨ର ଚର୍ଚ୍ଚିତ ନିର୍ଭୟା କାଣ୍ଡ ଭଳି ଘଟିଥିବା ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତ ବସ୍ ଚାଳକ ଓ କଣ୍ଡକ୍ଟରକୁ ଗିରଫ କରିଛି । 

ପାଠପଢ଼ାକୁ ନେଇ ମାଆ ତାଗିଦ୍ କରିବାରୁ ନାବାଳିକାଜଣକ ଉତ୍ତରପ୍ରଦେଶର ମୈନପୁରୀସ୍ଥିତ ନିଜ ଘରୁ ନୋଏଡାରେ ରହୁଥିବା ମାଉସୀପୁଅ ଭାଇଙ୍କ ପାଖକୁ ଆସିବା ପାଇଁ ବାହାରିଥିଲେ। ରାତି ପ୍ରାୟ ୯ଟା ସମୟରେ ପ୍ରବଳ ବର୍ଷା ଓ ଅନ୍ଧାର ମଧ୍ୟରେ ସେ ଗ୍ରେଟର ନୋଏଡାର ପରୀ ଚୌକଠାରେ ଓହ୍ଲାଇଥିଲେ। ନିଜ ଗନ୍ତବ୍ୟ ସ୍ଥଳ ଆହୁରି ୨୫ କିଲୋମିଟର ଦୂର ଥିବାରୁ ସେ ଗାଡ଼ି ଅପେକ୍ଷାରେ ଥିଲେ। ଏହି ସମୟରେ ଏକ ଖାଲି ସ୍ଲିପର ବସ୍ ଆସି ସେଠାରେ ରହିଥିଲା। ନୋଏଡା ସେକ୍ଟର ୬୩ ଆଡ଼କୁ ଯାଉଥିବା କହି କଣ୍ଡକ୍ଟର ନାବାଳିକାଙ୍କୁ ବସରେ ବସାଇଥିଲା। 

ବାସ୍ତବରେ ବସଟି ସୁରଜପୁରର ଏକ ୱାର୍କସପରୁ ଫେରୁଥିଲା।  କଣ୍ଡକ୍ଟର ଓ ଡ୍ରାଇଭର ନାବାଳିକାଙ୍କ ସହ ଅସଦାଚରଣ କରିବା ସହ ମାରିଦେବାର ଧମକ ଦେଇ ଦୁଷ୍କର୍ମ କରିଥିଲେ। ଅପରାଧ ଘଟାଇବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଦିଲ୍ଲୀର କାଶ୍ମୀର ଗେଟ୍ ରିଂ ରୋଡ୍ ନିକଟରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Also Read: ​​​​​​​ ଚଳନ୍ତା ବସ୍‌ରେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ, ମାଷ୍ଟରମାଇଣ୍ଡ ଡ୍ରାଇଭର ଏବଂ କଣ୍ଡକ୍ଟର

ଗିରଫ ଅଭିଯୁକ୍ତ କୁଲଦୀପ (୩୯, ଡ୍ରାଇଭର) ଏବଂ ସନ୍ଦୀପ (୨୬, କଣ୍ଡକ୍ଟର) । ଉତ୍ତର ଦିଲ୍ଲୀର ତିମାରପୁର ପାର୍କିଂ ଏରିଆରୁ ସେମାନଙ୍କୁ ପୋଲିସ ଗିରଫ କରିଛି । 'ବିଶ୍ୱନାଥ ଟ୍ରାଭେଲ୍ସ'ର ବସ୍‌ ଚଳାଉଥିଲେ ଏହି ଦୁଇ ଅଭିଯୁକ୍ତ । ସେପଟେ ପୋଲିସ ବସକୁ ଜବତ କରିଥିବା ବେଳେ ଫରେନ୍ସିକ୍ ଟିମ୍ ବସ ଭିତରୁ ଚୁଟିର ନମୁନା ସଂଗ୍ରହ କରିଛି ଏବଂ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।