ନୂଆଦିଲ୍ଲୀ: ମାଉଣ୍ଟ ଏଭରେଷ୍ଟ, ଦୁନିଆର ସବୁଠାରୁ ଉଚ୍ଚ ଗିରିଶୃଙ୍ଗ । ଏହାର ଉଚ୍ଚତା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୮,୮୪୮ ମିଟର । ଏଭରେଷ୍ଟ ଚଢ଼ିବାକୁ ପ୍ରତିଟି ପର୍ବତାରୋହୀଙ୍କ ମନରେ ଇଚ୍ଛା ଥାଏ । ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବା ସମୟରେ ସାଙ୍ଗରେ ଗାଇଡ ବା ଶେରପାଙ୍କୁ ନେଇ ଯିବାକୁ ହୁଏ । ଯାହାଙ୍କ କାନ୍ଧରେ ପର୍ବତାରୋହୀଙ୍କ ସୁରକ୍ଷା ନିର୍ଭର କରେ । ପର୍ବତାରୋହୀ କଣ କରିବେ ବା କଣ କରିବେନି, ସବୁକିଛି ଶେରପାଙ୍କ ଇସାରା ଉପରେ ନିର୍ଭର କରେ । ହେଲେ ଯଦି ସେହି ଶେରପା ପର୍ବତାରୋହୀଙ୍କ ଜୀବନକୁ ବିପଦକୁ ଠେଲି ଦେବେ, ତେବେ କଣ ହେବ ?

ନେପାଳରେ ଠିକ୍ ଏହା ଘଟୁଛି। ମାଉଣ୍ଟ ଏଭରେଷ୍ଟ ଗାଇଡମାନଙ୍କ ଉପରେ ପର୍ଯ୍ୟଟକଙ୍କ ଖାଦ୍ୟରେ ବିଷାକ୍ତ ଦ୍ରବ୍ୟ ମିଶ୍ରଣ କରିବାର ଅଭିଯୋଗ ଆସିଛି । ସେମାନଙ୍କୁ ଅସୁସ୍ଥ କରି ବୀମା ଟଙ୍କା ହଡ଼ପ କରୁଛନ୍ତି ଶେରପା, ଟ୍ରେକିଂ କମ୍ପାନୀ, ହେଲିକପ୍ଟର ଅପରେଟର ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ । ସୂଚନା ଅନୁସାରେ, ପର୍ଯ୍ୟଟକଙ୍କୁ ଅସୁସ୍ଥ କରାଇ ତାଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରିବା ଲାଗି ବାଧ୍ୟ କରାନ୍ତି ଶେରପା । ଯେମିତି ବିଦେଶୀ ବୀମା କମ୍ପାନୀଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ହଡ଼ପ କରାଯାଇପାରିବ ।

Also Read: ସୁଧୁରୁନି ନେପାଳ, ଭାରତର ବିରୋଧ ସତ୍ତ୍ୱେ ନୂଆ ନୋଟ୍ରେ ଛାପିଲା ବିବାଦୀୟ ମ୍ୟାପ୍

Baking Soda ଖାଇବାକୁ ଦିଅନ୍ତି

ତଦନ୍ତକାରୀ ସଂସ୍ଥା ଅନୁସାରେ, ଟ୍ରେକିଂ ଏଜେନ୍ସିଙ୍କ ଇସାରାରେ ଶେରପାମାନେ ପର୍ଯ୍ୟଟକଙ୍କ ଖାଦ୍ୟରେ ଖାଇବା ସୋଢ଼ା ମିଶାନ୍ତି । ଫଳରେ ପର୍ଯ୍ୟଟକଙ୍କ ଶରୀରରେ ଗ୍ୟାସ୍ ସମସ୍ୟା ଦେଖାଦିଏ । ସେମାନ ପର୍ବତାରୋହଣ କରିବାରେ କଷ୍ଟ ଅନୁଭବ କରନ୍ତି । ଏହା ପରେ ସେମାନଙ୍କୁ ଉଦ୍ଧାର କରିବାକୁ ମହଙ୍ଗା ହେଲିକପ୍ଟର ଭଡ଼ାରେ ନେବାକୁ ବାଧ୍ୟ କରାଯାଏ । ହେଲିକପ୍ଟର ଅପରେଟର ମିଥ୍ୟା ମେଡିକାଲ୍ ରିପୋର୍ଟ ଏବଂ ଫ୍ଲାଇଟ୍ ଡକ୍ୟୁମେଣ୍ଟ ତିଆରି କରି ବିଦେଶୀ କମ୍ପାନୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରନ୍ତି । ଏହି ଅର୍ଥ ଶେରପା, ଟ୍ରେକିଂ କମ୍ପାନୀ, ହେଲିକପ୍ଟର ଅପରେଟର ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟରେ ଭାଗ ହୋଇଯାଏ ।

୧୮୫ କୋଟିର ଠକେଇ

ଚଳିତ ବର୍ଷ ଜାନୁଆରୀରେ ଏତେ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା । ମୁଖ୍ୟ ଉଦ୍ଧାରକାରୀ କମ୍ପାନୀର ୩ ଅଧିକାରୀ ଗିରଫ ହେବା ପରେ, ପୂରା ମାମଲା ସାମ୍ନାକୁ ଆସିଥିଲା । କାଠମାଣ୍ଡୁ ପୋଷ୍ଟ ରିପୋର୍ଟ କରିଛି ଯେ, ଏହି ମାମଲାରେ ଟ୍ରେକିଂ କମ୍ପାନୀର ମାଲିକ, ହେଲିକପ୍ଟର ଅପରେଟର ଏବଂ ହସ୍ପିଟାଲ ଅଧିକାରୀମାନେ ସାମିଲ ଅଛନ୍ତି। ସେମାନେ ପ୍ରାୟ ୨୦ ମିଲିୟନ ଡଲାର (ପ୍ରାୟ ୧୮୫ କୋଟି ଟଙ୍କା) ହଡ଼ପ କରିଛନ୍ତି ।

Also Read: ନେପାଳ: ୨ ବର୍ଷର ଜୀବନ୍ତ କନ୍ୟାକୁ ବଛାଗଲା ‘ନୂଆ କୁମାରୀ’

ଏମିତି ହେଉଥିଲା ଠକେଇ

ରିପୋର୍ଟ ଅନୁଯାୟୀ, ଯେତେବେଳେ ଏକ ଉଦ୍ଧାର ହେଲିକପ୍ଟର ଡକାଯାଉଥିଲା, ଅର୍ଥ ହଡ଼ପର ଯୋଜନା ଆରମ୍ଭ ହେଉଥିଲା। ଗୋଟିଏ ହେଲିକପ୍ଟରରେ ଅନେକ ଯାତ୍ରୀଙ୍କୁ ନିଆଯାଉଥିଲା । କିନ୍ତୁ ପ୍ରତ୍ୟେକ ଯାତ୍ରୀଙ୍କ ବୀମା କମ୍ପାନୀକୁ ପୃଥକ ଭାବରେ ବିଲ୍ ଦିଆଯାଉଥିଲା । ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ପୃଥକ ହେଲିକପ୍ଟର ବ୍ୟବହାର ହୋଇଛି ବୋଲି ଦର୍ଶାଯାଉଥିଲା । ୪୦୦୦ ଡଲାର ଭଡ଼ା ବଦଳରେ ୧୨୦୦୦ ଡଲାର ଖର୍ଚ୍ଚ ହୋଇଛି ବୋଲି ବୀମା କମ୍ପାନୀକୁ ଭୁଲ ରିପୋର୍ଟ ଦିଆଯାଉଥିଲା ବୋଲି ଜଣାପଡ଼ିଛି ।

୩୨ ଜଣ ଗିରଫ

ନେପାଳ ପୋଲିସ ଏହି ମାମଲାରେ ୩୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଟ୍ରେକିଂ କମ୍ପାନୀ ମାଲିକ, ହେଲିକପ୍ଟର ଅପରେଟର ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ସାମିଲ । ପର୍ଯ୍ୟଟକଙ୍କୁ ଅସୁସ୍ଥ କରାଇ ବୀମା କମ୍ପାନୀରୁ ଟଙ୍କା ହଡ଼ପ କରୁଥିଲେ ଅଭିଯୁକ୍ତ । ଏମିତି ଘଟଣା ସବୁ ସାମ୍ନାକୁ ଆସିଛି ଜାଣିଲେ ଆଶ୍ଚର୍ଯ୍ୟ ହେବ । କିଛି ପର୍ଯ୍ୟଟକ ଅସୁସ୍ଥ ଥିବା କଥା ବୀମା କମ୍ପାନୀକୁ ରିପୋର୍ଟ ଦିଆଯାଉଥିଲା, କିନ୍ତୁ ଯାଞ୍ଚରୁ ଜଣାପଡ଼ିଲା ସେହି ସମୟରେ ସଂପୃକ୍ତ ପର୍ଯ୍ୟଟକ ବାରରେ ବସି ବିୟର ପିଉଥିଲେ । କିନ୍ତୁ କାଗଜରେ ଲେଖାଥିଲା, ତାଙ୍କର ଚିକିତ୍ସା ଚାଲିଛି ।

ସେପଟେ ନେପାଳ ପର୍ଯ୍ୟଟନ ବିଭାଗରେ ଏଭଳି ଦୁର୍ନୀତି ମାମଲା ନୂଆ ନୁହେଁ । ପୂର୍ବରୁ ନେପାଳ ଟ୍ରେକିଂ ଲାଗି ଆସୁଥିବା ପର୍ଯ୍ୟଟକଙ୍କୁ ବୀମା ଦେବାକୁ ମନା କରୁଥିଲେ ଅନ୍ତର୍ଜାତୀୟ ବୀମା କମ୍ପାନୀ । ଏହାପରେ ନେପାଳ ସରକାର ଉଦ୍ଧାରକାର୍ଯ୍ୟରେ ନିୟୋଜିତ ସବୁ ହେଲିକପ୍ଟର ଅପରେଟରଙ୍କୁ କାର୍ଯ୍ୟରୁ ହଟାଇ ଦେଇଥିଲେ ବୋଲି ଦାବି କରିଥିଲେ ।