କଲୋମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ସମ୍ପୂର୍ଣ୍ଣ ମଜବୁତ ସ୍ଥିତିରେ ରହିଛି। ବର୍ଷା ଓ ଖରାପ ଆଲୋକ ଯୋଗୁଁ ତୃତୀୟ ସେସନର ଖେଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରାଯାଇଛି। ଭାରତର ପ୍ରଥମ ଇନିଂସ ୫୦୩ ରନ୍ ଜବାବରେ ଶ୍ରୀଲଙ୍କା ତୃତୀୟ ଦିନ ଷ୍ଟମ୍ପସ ଅପସାରଣ ସୁଦ୍ଧା ୮ ୱିକେଟ୍ ହରାଇ ୨୬୫ ରନ୍ ସଂଗ୍ରହ କରିଛି। ଘରୋଇ ଦଳ ଏବେ ବି ଭାରତଠାରୁ ୨୩୮ ରନ୍ ପଛରେ ଥିବା ବେଳେ ଫଲୋ-ଅନ୍ ଏଡ଼ାଇବା ପାଇଁ ଆହୁରି ୩୯ ରନର ଆବଶ୍ୟକତା ରହିଛି।

ମ୍ୟାଚର ତୃତୀୟ ଦିନ ସକାଳେ ଶ୍ରୀଲଙ୍କା ତା’ର ପୂର୍ବଦିନର ସ୍କୋର ୮/୨ରୁ ଖେଳ ଆରମ୍ଭ କରିଥିଲା। ଦଳୀୟ ସ୍କୋର ୩୫ ରନ୍ ଥିବା ବେଳେ କାମିଲ ମିଶାରା (୧୯) ପ୍ରସିଦ୍ଧ କୃଷ୍ଣାଙ୍କ ବୋଲିଂରେ ୱିକେଟକିପର ଧ୍ରୁବ ଜୁରେଲଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଏହାପରେ ପସିନ୍ଦୁ ସୂର୍ଯ୍ୟବନ୍ଦାରା ଏବଂ କାମିନ୍ଦୁ ମେଣ୍ଡିସ (୩୨) କିଛି ସମୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ମାତ୍ର ମେଣ୍ଡିସଙ୍କୁ ପ୍ରସିଦ୍ଧ କୃଷ୍ଣା ଆଉଟ୍ କରି ଏହି ଭାଗୀଦାରୀ ଭାଙ୍ଗିଥିଲେ।

ଲଞ୍ଚ୍ ପରେ ଶ୍ରୀଲଙ୍କା ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଅଧିନାୟକ ଧନଞ୍ଜୟ ଡି'ସିଲଭା (୮)ଙ୍କୁ ମାନବ ସୁଥାର ଆଉଟ୍ କରିଥିବା ବେଳେ, ଅର୍ଦ୍ଧଶତକ ହାସଲ କରି ସୁନ୍ଦର ବ୍ୟାଟିଂ କରୁଥିବା ପସିନ୍ଦୁ ସୂର୍ଯ୍ୟବନ୍ଦାରା (୮୦)ଙ୍କୁ ରବୀନ୍ଦ୍ର ଜାଡେଜା କ୍ଲିନ୍ ବୋଲ୍ଡ କରିଥିଲେ। ଏହାପରେ ନିରୋଶନ ଡିକ୍ୱେଲା (୦) ମହମ୍ମଦ ସିରାଜଙ୍କ ବୋଲିଂରେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍ ଫେରିଥିଲେ। ୧୭୩ ରନରେ ୭ଟି ୱିକେଟ୍ ହରାଇ ଶ୍ରୀଲଙ୍କା ଗୁରୁତର ସଙ୍କଟରେ ପଡ଼ିଥିଲା।

ସୋନଲ ଦିନୁଶାଙ୍କ ଲଢୁଆ ପାଳି

ସଙ୍କଟଜନକ ସ୍ଥିତିରେ ସୋନଲ ଦିନୁଶା ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ। ସେ ନିଜର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। କେଶରା ନୁୱାନ୍ଥା (୧୮)ଙ୍କ ସହ ଅଷ୍ଟମ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିବା ପରେ ସେ ଲାହିରୁ କୁମାରା (୮ ଅପରାଜିତ)ଙ୍କ ସହ ମିଶି ଦଳର ସ୍କୋରକୁ ୨୬୫ ପର୍ଯ୍ୟନ୍ତ ନେଇଛନ୍ତି। ସୋନଲ ୧୩୭ଟି ବଲ୍ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ୮୫ ରନ୍ କରି ଅପରାଜିତ ଅଛନ୍ତି।

ଭାରତୀୟ ବୋଲରମାନେ ମ୍ୟାଚ୍ରେ ନିଜର ଦବ୍ଦବା ବଜାୟ ରଖିଛନ୍ତି। ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଓ ସ୍ପିନର ମାନବ ସୁଥାର ଉତ୍କୃଷ୍ଟ ବୋଲିଂ କରି ୩ଟି ଲେଖାଏଁ ୱିକେଟ୍ ଅଖତିୟାର କରିଛନ୍ତି। ଏହାସହ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜଙ୍କୁ ୧-୧ ୱିକେଟ୍ ମିଳିଛି।