ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ କତାର​‌ରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି ବୋଲି କତାରର ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି । ଦୁର୍ଘଟଣାର କାରଣ ଏବଂ ଏଥିରେ ଥିବା ବ୍ୟକ୍ତିଙ୍କ ପରିଚୟ ସଂପର୍କରେ ତଥ୍ୟ ମିଳିପାରି ନାହିଁ । ତେବେ​ ନିୟମିତ ଉଡ଼ାଣ ସମୟରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ବୋଲି ଜଣାପଡ଼ିଛି ।  

ବାରମ୍ବାର ଡ୍ରୋନ୍-କ୍ଷେପଣାସ୍ତ୍ର ଆକ୍ରମଣ

ଦୁର୍ଘଟଣାର କାରଣ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ନେଇ ଖବର ମିଳିଛି । ହେଲେ ଏହା ବ୍ୟତୀତ ହେଲିକପ୍ଟର କୌଣସି ଆକ୍ରମଣର ଶିକାର ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ । ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ମିଳିତ ଆକ୍ରମଣ ଆରମ୍ଭ କରିବା ପରଠାରୁ କତାର ବାରମ୍ବାର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ସମ୍ମୁଖୀନ ହୋଇଛି।

Also Read: ଇରାନର ବଡ଼ ଦାବି,ହୋର୍ମୁଜ ନିକଟରେ ଖସାଇ ଦେଇଛି ଶତ୍ରୁର F-15 ଯୁଦ୍ଧବିମାନ
​​​​​​​ 

କତାରର ଶକ୍ତି ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବିଙ୍କ ଅନୁଯାୟୀ, ମାର୍ଚ୍ଚ ୨୦ରେ କତାରର ଗ୍ୟାସ୍ ସୁବିଧା ଉପରେ ଇରାନର ବଡ଼ ଆକ୍ରମଣ ଗଲ୍ଫ ଦେଶର ତରଳୀକୃତ ପ୍ରାକୃତିକ ଗ୍ୟାସ (LNG) ରପ୍ତାନୀ କ୍ଷମତାକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇବ । କୋଟି କୋଟି ଡଲାର କ୍ଷତି ହେବ। କାବି କତାର ଏନର୍ଜିର ସିଇଓ ମଧ୍ୟ ଅଛନ୍ତି । ଏହା ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଏବଂ ଏହାର ଭିତ୍ତିଭୂମି ଉପରେ ଇରାନ ଟାର୍ଗେଟ କରିଥିଲା।

ସାଦ ଅଲ-କାବି ଆହୁରି କହିଛନ୍ତି, ‘ମୁଁ କେବେ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିଲି ଯେ, କତାର ଏଭଳି ଭୟଙ୍କର ଆକ୍ରମଣର ଶିକାର ହେବ । ବିଶେଷକରି ଏକ ଭାଇଚାରା ଥିବା ମୁସଲିମ ରାଷ୍ଟ୍ର ଏହି ଆକ୍ରମଣ କରିବ। ପବିତ୍ର ରମଜାନ ମାସରେ ଆମ ଉପରେ ଏପରି ଆକ୍ରମଣ ହେବ ଭାବି ନଥିଲି ।’