କଲୋମ୍ବୋ: ଏଠାରେ ସିଂହଳୀ ସ୍ପୋର୍ଟ୍ସ କ୍ଲବରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଡ୍ରାଇଭିଂ ସିଟରେ ଭାରତ। ଚତୁର୍ଥ ଦିନର ଖେଳରେ ଘରୋଇ ଶ୍ରୀଲଙ୍କା ଫଲୋଅନ ଏଡ଼ାଇ ପାରି ନ ଥିଲା। ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଶ୍ରୀଲଙ୍କା ଦ୍ଵିତୀୟ ଇନିଂସରେ ୬ ଓ୍ଵିକେଟ୍ ହରାଇ ୨୨୯ ରନ କରିଛି। କ୍ରିଜରେ ସୋନାଲ ଦିନୁଶା ୬ ରନ ଏବଂ କେଶରା ନୁଅନ୍ଥା ୩ ରନ କରି ଅପରାଜିତ ଅଛନ୍ତି। ଫଲୋଅନର ଶିକାର ହୋଇଥିବା ଶ୍ରୀଲଙ୍କା ଭାରତଠୁ ମାତ୍ର ୧୬ ରନରେ ଆଗୁଆ ରହିଛି। ପଞ୍ଚମ ଦିନରେ ଭାରତର ବିଜୟ ନିଶ୍ଚିତ ଥିବା ମନେ ହେଉଛି। ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କା ପକ୍ଷରୁ ପାସିନ୍ଦୁ ସୂର୍ଯ୍ୟାବନ୍ଦରା ୯୨ ରନ ଏବଂ କାମିନ୍ଦୁ ମେଣ୍ଡିସ ୫୫ ରନର ଇନିଂସ ଖେଳିଛନ୍ତି।

ସୁରିୟାବଣ୍ଡାରା ଓ ମେଣ୍ଡିସଙ୍କ ସଙ୍କଟମୋଚକ ଇନିଂସ

୨୧୩ ରନରେ ପଛୁଆ ରହି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଶ୍ରୀଲଙ୍କା ଦଳକୁ ଆରମ୍ଭରୁ ହିଁ ଝଟକା ଲାଗିଥିଲା। ମହମ୍ମଦ ସିରାଜ ମାତ୍ର ୩ ରନ୍ କରିଥିବା ଲାହିରୁ ଉଦାରାଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ କାମିଲ ମିଶାରା (୩୨) ଓ ପସିନ୍ଦୁ ସୁରିୟାବଣ୍ଡାରା ମିଶି ୫୮ ରନର ଭାଗୀଦାରୀ କରିଥିଲେ। ମିଶାରାଙ୍କୁ ରବୀନ୍ଦ୍ର ଜାଡେଜା ପାଭିଲିୟନ ପଠାଇବା ପରେ କ୍ରିଜକୁ ଆସିଥିଲେ କାମିନ୍ଦୁ ମେଣ୍ଡିସ।

Also Read: ବୈଭବ ସୂର୍ଯ୍ୟବଂଶୀଙ୍କ ଜବରଦସ୍ତ ବୋଲିଂ : ଗୋଟିଏ ଓଭରରେ ନେଲେ ଦୁଇଟି ଓ୍ୱିକେଟ୍...ଦେଖନ୍ତୁ ଭିଡିଓ

ସୁରିୟାବଣ୍ଡାରା ଓ କାମିନ୍ଦୁ ମେଣ୍ଡିସ (୫୫) ଭାରତୀୟ ବୋଲରଙ୍କୁ ଦୃଢ଼ ମୁକାବିଲା କରି ତୃତୀୟ ୱିକେଟ୍ ପାଇଁ ୧୧୫ ରନର ଗୁରୁତ୍ୱପୂର୍ଣ୍ଣ ଶତକୀୟ ଭାଗୀଦାରୀ ଯୋଡ଼ିଥିଲେ। ପ୍ରସିଦ୍ଧ କୃଷ୍ଣାଙ୍କ ବୋଲିଂରେ ଶୁବମନ ଗିଲଙ୍କ ଏକ ଚମତ୍କାର କ୍ୟାଚ୍ ଯୋଗୁଁ ମେଣ୍ଡିସ ଆଉଟ୍ ହୋଇଥିଲେ।

ଭାରତୀୟ ସ୍ପିନରଙ୍କ କମବ୍ୟାକ୍

ଚା’ ପାନ ବିରତି ପରେ ଭାରତୀୟ ସ୍ପିନରମାନେ ମ୍ୟାଚକୁ ଫେରିଥିଲେ। ମାନବ ସୁଥାର ଗୋଟିଏ ସ୍ପେଲରେ ଦୁଇଟି ବଡ଼ ୱିକେଟ୍ ନେଇ ଶ୍ରୀଲଙ୍କାକୁ ଚାପରେ ପକାଇଥିଲେ। ପ୍ରଥମେ ସେ ଶ୍ରୀଲଙ୍କା ଅଧିନାୟକ ଧନଞ୍ଜୟ ଡି'ସିଲଭା (୨୩)ଙ୍କୁ ଦେବଦତ୍ତ ପଡିକ୍କଲଙ୍କ ହାତରେ କ୍ୟାଚ୍ କରାଇଥିଲେ ଏବଂ ପରେ ଦମଦାର ଇନିଂସ ଖେଳି ଶତକ ନିକଟତର ହୋଇଥିବା ପସିନ୍ଦୁ ସୁରିୟାବଣ୍ଡାରା (୯୨)ଙ୍କୁ ଷ୍ଟମ୍ପିଂ ଆଉଟ୍ କରାଇଥିଲେ। ଏହାପରେ ସାରାଂଶ ଜୈନ, ନିରୋଶନ ଡିକ୍ୱେଲା (୬)ଙ୍କୁ ଏଲବିଡବ୍ଲ୍ୟୁ କରି ଶ୍ରୀଲଙ୍କାକୁ ଷଷ୍ଠ ଝଟକା ଦେଇଥିଲେ।

ତେବେ ତୃତୀୟ ସେସନରେ ବର୍ଷା ଆରମ୍ଭ ହେବାରୁ ଖେଳକୁ ସ୍ଥଗିତ ରଖାଯାଇଥିଲା। ଶେଷ ଦିନରେ ଭାରତ ଶୀଘ୍ର ୪ଟି ୱିକେଟ୍ ନେଇ ମ୍ୟାଚ୍ ଜିତିବାକୁ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ଏକ ବଡ଼ ଲକ୍ଷ୍ୟ ଛିଡ଼ା କରିବାକୁ ଚେଷ୍ଟା କରିବ। ଭାରତ ପକ୍ଷରୁ ବୋଲିଂରେ ମାନବ ସୁଥାର ଦୁଇଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ସାଂରାଶ ଜୈନ ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି