କାଠମାଂଡୁ ୧।୧୦: ନେପାଳରେ ‘ନୂଆ କୁମାରୀ’ ବା ଜୀବିତ ଦେବୀ ଭାବେ ୨ ବର୍ଷ ୮ ମାସର ଏକ ଶିଶୁ କନ୍ୟାକୁ ଚୟନ କରାଯାଇଛି। ଆର୍ୟା ତାରା ସାକ୍ୟ ନାମ୍ନୀ ବାଳିକା ବିଧିବତ୍ ପାରମ୍ପରିକ କୁମାରୀ ସିଂହାସନ ଗ୍ରହଣ କରିଛନ୍ତି। କାଠମାଂଡୁର ତଲେଜୁ ଭବାନୀ ମନ୍ଦିର ପୂଜାରୀ ଉଦ୍ଧବ କର୍ମାଚାର୍ଯ୍ୟ ଅନୁସାରେ ସେ ମଙ୍ଗଳବାର ଏକ ଶୁଭ ମୂହୁର୍ତ୍ତରେ କୁମାରୀ ଘରେ ଔପଚାରିକ ପ୍ରବେଶ କରିଛନ୍ତି।

କୁମାରୀ ଚୟନ ସାକ୍ୟ ବାଳିକାଙ୍କ ମଧ୍ୟରୁ ହୋଇଥାଏ। ନିକଟରେ ପୂର୍ବ କୁମାରୀ ୧୨ ବର୍ଷରେ ପଦାର୍ପଣ କରିବା ସହ ପଦମୁକ୍ତ ହୋଇଥିଲେ। ନେପାଳରେ କୁମାରୀ ପୂଜା ହିନ୍ଦୁ ଓ ବୌଦ୍ଧ ଉଭୟ କରନ୍ତି। ତେବେ କୁମାରୀ ଚୟନ କରୁଥିବା ସାକ୍ୟ ସମୂଦାୟ ବୌଦ୍ଧଧର୍ମାବଲମ୍ବୀ, କିନ୍ତୁ କୁମାରୀଙ୍କୁ ହିନ୍ଦୁ ଦେବୀ ରୂପେ ପୂଜା କରାଯାଏ। ନେପାଳରେ କୁମାରୀ ପୂଜା ପରମ୍ପରା ୫୦୦ରୁ ୬୦୦ ବର୍ଷ ପ୍ରାଚୀନ, ଯାହା ମଲ୍ଲ ରାଜାମାନଙ୍କ ସମୟରୁ ଦେଶରେ ପ୍ରଚଳିତ। କୁମାରୀଙ୍କୁ ଦେବୀ ତଲେଜୁଙ୍କ ମାନବ ରୂପ ମନେ କରାଯାଏ।

ନେପାଳ ରାଷ୍ଟ୍ରପତି ଜୀବିତ ଦେବୀଙ୍କୁ ପୂଜା କରିବା ଓ ଅଗଷ୍ଟରେ ଇନ୍ଦ୍ରଜାତ୍ରା ମହୋତ୍ସବରେ ଆଶିର୍ବାଦ ଗ୍ରହଣ କରିବାର ପରମ୍ପରା ରହିଛି। ବର୍ତ୍ତମାନ କୁମାରୀଙ୍କ ବୟସ ମାତ୍ର ୨ ବର୍ଷ ୮ ମାସ। ଏହି ଭୂମିକା ଲାଗି ତାଙ୍କୁ ଏକ କଠୋର ଚୟନ ପ୍ରକ୍ରିୟା ଦେଇ ଗତିକରିବାକୁ ପଡିଛି। ନୂଆ କୁମାରୀ ବଛାଯାଇଥିବା ବାଳିକାଙ୍କ ଶରୀରରେ କୌଣସି ଚିହ୍ନ ନଥିବା ଓ ସେ ନିର୍ଭିକ ହୋଇଥିବା ଦରକାର। ଚୟନ ପ୍ରକ୍ରିୟାରେ ନୂଆ କୁମାରୀଙ୍କୁ ଅନ୍ଧକାର କୋଠରୀରେ ରଖା ଯାଏ। ଏହି କୋଠରୀ ମଇଁଷି ମୁଣ୍ଡ ଓ ଭୟାନକ ମୁଖାସବୁ ରଖାଯାଇଥାଏ। ଏଥିରେ ଝିଅଟି ନଡରି ବାହାରକୁ ବାହାରିଲେ ତାଙ୍କୁ ନୂଆ କୁମାରୀ ବଛା ଯାଏ।