ନୂଆଦିଲ୍ଲୀ: ଅସ୍ତ୍ରବିରତି ଏବଂ ଶାନ୍ତି ଆଲୋଚନା ପାଇଁ ପ୍ରଚେଷ୍ଟା ମଧ୍ୟରେ ଫସିଛି ଆମେରିକା- ଇସ୍ରାଏଲ ଏବଂ ଇରାନ ଯୁଦ୍ଧ। ଆଉ ଏହାରି ଭିତରେ ଆସିଛି ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ମୁଖ୍ୟଙ୍କ ବଡ଼ ପ୍ରତିକ୍ରିୟା। ଇରାନର ସରକାରଙ୍କୁ ହଟାଇବାକୁ ପୁଣି ଥରେ ହୁଙ୍କାର ଭରିଛି ମୋସାଦ। ଯାହାକୁ ନେଇ ପୁଣି ଚର୍ଚ୍ଚା ବଢ଼ିଛି।

ମୋସାଦ ମୁଖ୍ୟ ଡେଭିଡ ବାର୍ନିଆ କହିଛନ୍ତି, ‘ଆମେ କେବେବି ଆଶା କରିନଥିଲୁ ଇରାନ ସେନା, ପରମାଣୁ ଠିକଣା ଏବଂ ଭିତ୍ତିଭୂମି ଉପରେ ବୋମାମାଡ଼, ଇରାନର ୪୭ ବର୍ଷ ପୁରୁଣା ଧର୍ମଗୁରୁଙ୍କ ନେତୃତ୍ବରେ ଚାଲୁଥିବା ଶାସନକୁ ଶେଷ କରିବାକୁ ଯଥେଷ୍ଟ ହେବ।’’ ସେ ଏକ ଭାଷଣରେ କହିଛନ୍ତି ‘‘ଆମ ମିଶନ ଏବେ ପୂରା ହୋଇନାହିଁ। ଆମର ଦାୟିତ୍ବ ସେତେବେଳେ ପୂରା ହେବ ଯେତେବେଳେ ଚରମପନ୍ଥୀ ଶାସନ ବଦଳରେ ଅନ୍ୟ କୌଣସି ଶାସନ ଆସିବ। ଆମ ବିନାଶ ଚାହୁଥିବା ଶାସନକୁ ଦୁନିଆରୁ ନଷ୍ଟ ହୋଇଯିବା ଦରକାର।’’

ଏମିତିରେ କୁହାଯାଉଛି ଏହି ଭାଷଣ ଆମେରିକା ଏବଂ ଇରାନ ଅଧିକାରୀଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ାଇପାରେ। ସେପଟେ ବର୍ନିଆଙ୍କ ଏହି ଟିପ୍ପଣୀକୁ ଏକଥାର ସଙ୍କେତ ଭାବରେ ଦେଖାଯାଉଛି ଯେ, ଇସ୍ରାଏଲ ଏବେବି ଇରାନ ଠାରୁ ଏକ ବଡ଼ ବିପଦ ବୋଲି ଭାବୁଛି। କାରଣ ଆମେରିକା- ଇସ୍ରାଏଲ ମେଣ୍ଟ ଦ୍ବାରା ଚାଲିଥିବା ପ୍ରାୟ ୫ ସପ୍ତାହର ଲମ୍ବା ଅଭିଯାନ ଦ୍ବାରା ଇରାନର ସୈନ୍ୟ କ୍ଷମତାକୁ ବେଶ୍ କ୍ଷତି ପହଞ୍ଚିଛି।

Also Read: ହର୍ମୁଜ ବନ୍ଦ ରହିଲେ ବିକଳ୍ପ କଣ ? ବିଶେଷଜ୍ଞଙ୍କ ଚେତାବନୀ- ବିକଳ୍ପ ଆପଣାଇଲେ ଖାଲି ହୋଇଯିବ ରାଜକୋଷ, ପକେଟରେ ରହିବନି ଟଙ୍କା

ଜୁନ୍‌ରେ ପଦରୁ ହଟିବେ ବାର୍ନିଆ

ବାର୍ନିଆ ଜୁନ୍‌ରେ ନିଜ ପଦରୁ ହଟିବେ। ଗତ ସପ୍ତାହରେ ନ୍ୟୁୟର୍କ ଟାଇମ୍ସରେ ପ୍ରକଶିତ ଖବର ଅନୁସାରେ, ଜାନୁଆରୀରେ ହ୍ବାଇଟ ହାଉସରେ ହୋଇଥିବା ରୁଦ୍ଧଦ୍ବାର ବୈଠକରେ ସେ ପରାମର୍ଶ ଦେଇଥିଲେ ଯେ, ତାଙ୍କ ଏଜେନ୍ସୀ ଇରାନ ବିରୋଧୀଙ୍କୁ ସକ୍ରିୟ କରିବ, ଦଙ୍ଗା ଉସ୍କାଇବା ତଥା ଏଭଳି କାମ କରିବାରେ ସକ୍ଷମ ହେବେ, ଯାହାଦ୍ବାରା ଇରାନ ସରକାରଙ୍କ ପତନ ହୋଇପାରେ।