ଇସଲାମାବାଦ / ୱାଶିଂଟନ୍: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯୁଦ୍ଧ ଶେଷ କରିବା ଲକ୍ଷ୍ୟରେ ଉଭୟ ଦେଶ ଆଉ ଏକ ପର୍ଯ୍ୟାୟ ବୈଠକ କରିବାକୁ ଯାଉଛନ୍ତି ବୋଲି 'ଆସୋସିଏଟେଡ୍ ପ୍ରେସ୍' (AP) ରିପୋର୍ଟ କରିଛି। ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଏହି ନୂଆ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

 ବୈଠକର ତାରିଖ ଓ ସ୍ଥାନ

  •   ଆସନ୍ତା ଏପ୍ରିଲ୍ ୧୬ ତାରିଖ (ଗୁରୁବାର) ଏହି ବୈଠକ ଅନୁଷ୍ଠିତ ହୋଇପାରେ।
  •   ବୈଠକ ସ୍ଥାନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ପାକିସ୍ତାନର ରାଜଧାନୀ ଇସଲାମାବାଦ ଏବଂ ଜେନେଭା ମଧ୍ୟରୁ ଯେକୌଣସି ଗୋଟିଏ ସ୍ଥାନରେ ଆଲୋଚନା ହେବ।
  •   ତେବେ ତେହେରାନର ଏକ ସୂତ୍ରକୁ ଉଦ୍ଧାର କରି 'ଦି ଆଟଲାଣ୍ଟିକ୍' (The Atlantic) ସାମ୍ବାଦିକ ଆରାଶ୍ ଅଜିଜି କହିଛନ୍ତି ଯେ, ଏହି ବୈଠକ ଇସଲାମାବାଦରେ ହେବାର ଅଧିକ ସମ୍ଭାବନା ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଆମେରିକା ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ଏଥର ସାମିଲ ହେବେ ନାହିଁ। ଏହି ବୈଠକରେ ତଳ ସ୍ତରର ଅଧିକାରୀମାନେ ପ୍ରତିନିଧିତ୍ୱ କରିବାର ଆଶା କରାଯାଉଛି।

 କାହିଁକି ବିଫଳ ହୋଇଥିଲା ପ୍ରଥମ ପର୍ଯ୍ୟାୟ?

ଗତ ଏପ୍ରିଲ୍ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟରେ ପ୍ରଥମ ସିଧାସଳଖ ଆଲୋଚନା ହୋଇଥିଲା। ପ୍ରାୟ ୨୧ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ବିନା କୌଣସି ନିଷ୍କର୍ସରେ ଶେଷ ହୋଇଥିଲା।

  •   ଆମେରିକାର ମୁଖ୍ୟ ଦାବି ଥିଲା ଯେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରୁ ଏବଂ ୟୁରାନିୟମ୍ ସମୃଦ୍ଧକରଣ ଉପରେ ୨୦ ବର୍ଷ ପାଇଁ ରୋକ୍ ଲଗାଉ।
  •   କିନ୍ତୁ ଇରାନ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏହି ଅବଧିକୁ ୧୦ ବର୍ଷରୁ କମ୍ ରଖିବାକୁ ଜିଦ୍ ଧରିଥିଲା। ୟୁରାନିୟମ୍ ସମୃଦ୍ଧକରଣର ଅବଧିକୁ ନେଇ ଥିବା ଏହି ମତଭେଦ ହିଁ ଆଲୋଚନା ବିଫଳ ହେବାର ମୁଖ୍ୟ କାରଣ ପାଲଟିଥିଲା।

 ଆମେରିକାର କାର୍ଯ୍ୟାନୁଷ୍ଠାନ ଓ ଇରାନର ଧମକ

ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହୋର୍ମୁଜ୍ ପ୍ରଣାଳୀରେ ନୌସେନା ଅବରୋଧ ଘୋଷଣା କରିବା ସହ ସେଠାକୁ ୧୫ଟି ଯୁଦ୍ଧ ଜାହାଜ ପଠାଇଥିଲେ।

ଅନ୍ୟପକ୍ଷରେ, ଇରାନ ୫ଟି ଆରବ ଦେଶ ଉପରେ ଶତ୍ରୁକୁ ସହଯୋଗ କରିଥିବା ଅଭିଯୋଗ ଆଣି ସେମାନଙ୍କଠାରୁ କ୍ଷତିପୂରଣ ଦାବି କରିଛି। ଏଥିସହ ବିଶ୍ୱସ୍ତରରେ ପେଟ୍ରୋଲ ଦର ଆକାଶଛୁଆଁ ହେବ ବୋଲି ତେହେରାନ ଧମକ ଦେଇଛି। ଇରାନ ସଂସଦର ବାଚସ୍ପତି କହିଛନ୍ତି ଯେ, ଖୁବଶୀଘ୍ର ଲୋକେ ଗ୍ୟାଲନ୍ ପିଛା ୪-୫ ଡଲାର ଥିବା ଶସ୍ତା ପେଟ୍ରୋଲର ସେହି ପୁରୁଣା ଦିନକୁ ଝୁରିବେ।