ଲଣ୍ଡନ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଜେଲରେ କରାଯାଉଥିବା ବ୍ୟବହାର କୁ ନେଇ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ୍ ବ୍ରିଟେନ ସରକାରଙ୍କୁ ସାର୍ବଜନିକ ରୂପେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି। ଜେମିମା ଅଭିଯୋଗ କରିଛନ୍ତି ଯେ ଇମ୍ରାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକାନ୍ତ କାରାବାସରେ ରଖା ଯାଇଛି, ଏପରିକି ପରିବାର, ଡାକ୍ତର ଏବଂ ଓକିଲଙ୍କୁ ମଧ୍ୟ ଭେଟିବାକୁ ଦିଆଯାଇ ନାହିଁ। ଏ ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ କରିଥିବା ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏଣ୍ଡି ବର୍ଣ୍ଣହାମ ଓ ବିଦେଶସଚିବ ଏଡ ମିଲିବ୍ୟାଣ୍ଡଙ୍କୁ ପ୍ରସଙ୍ଗରେ ବ୍ରିଟେନ କେତେ ସମୟ ପର୍ଯ୍ୟନ୍ତ ଚୁପ୍ ରହିବ ବୋଲି ପ୍ରଶ୍ନ କରିଛନ୍ତି।

ଜେମିମା ଅଭିଯୋଗ କରିଛନ୍ତି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୩ ବର୍ଷ ଏକାନ୍ତ କାରାବାସରେ କଟାଇଛନ୍ତି ଓ ତାଙ୍କ ପରିବାର ସଦସ୍ୟଙ୍କୁ ୧୦ ମାସ ହେଲା ତାଙ୍କ ସହ ଭେଟିବାକୁ ଦିଆଯାଇନାହିଁ। ଜେମିମା ଲେଖିଛନ୍ତି ଯେ ଗତ ୩ ବର୍ଷ ହେଲା ମୋ ଦୁଇ ପୁଅଙ୍କ ପିତା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ରାଜନୈତିକ ବିରୋଧୀଙ୍କ ଦ୍ୱାରା ସେନା ମୁଖ୍ୟ ଅସୀମ ମୁନିରଙ୍କ ବ୍ୟକ୍ତିଗତ ଶତ୍ରୁତା କାରଣରୁ ନିର୍ଦ୍ଦୟ ଭାବେ ଦଣ୍ଡିତ କରାଯାଉଛି, ଯାହା ମିଳିତ ଜାତିସଂଘ ଅନୁସାରେ ନିର୍ଯାତନା ସହ ସମାନ ଓ ଏବେ ଏହା ତାଙ୍କ ଶାରୀରିକ ଏବଂ ମାନିସକ ସ୍ୱାସ୍ଥ୍ୟ ଉପରେ ସମ୍ଭାବିତ ଭାବେ ଗଭୀର ପ୍ରଭାବ ପକାଉଛି।

ମାମଲାରେ ଜେମିମା ଗୋଲ୍ଡ ସ୍ମିଥ ମିଳିତ ଜାତିସଂଘ ନେଲସନ ମାଣ୍ଡେଲା ନିୟମର ଉଲ୍ଲେଖ କରି କହିଛନ୍ତି ଯେ ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନଙ୍କ ଲାଗି ବ୍ୟାପକ ଚିକିତ୍ସା ଉପଚାର, ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ପରାମର୍ଶ, ପରିବାର ସହ ନିୟମିତ ସାକ୍ଷାତ ସାଙ୍ଗକୁ ଦୁଇ ପୁଅଙ୍କ ସହ ସପ୍ତାହରେ ୨ ଥର କଥା ହେବାକୁ ଆଦେଶ ଦେଇଥିଲେ। ହେଲେ ଏହି ଆଦେଶର ମଧ୍ୟ ଅଣଦେଖା ହେଉଥିବା ଜେମିମା ଅଭିଯୋଗ କରିଛନ୍ତି। ସେ ଏହି ପରିସ୍ଥିତିକୁ ସାଧାରଣ ଘରୋଇ ରାଜନୈତିକ ମାମଲା ନୁହେଁ ବରଂ ମାନବାଧିକାରର ଜରୁରିକାଳୀନ ପରିସ୍ଥିତି ବୋଲି କହିଛନ୍ତି।