ନୂଆଦିଲ୍ଲୀ: ଆପଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବରେ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ସଫଳତାର ସହ କାର୍ଯ୍ୟ କରିବା ପରେ ଟିମ୍ କୁକ୍ ନିଜ ପଦ ଛାଡ଼ିବାକୁ ଯାଉଛନ୍ତି। ଏହି ଅବସରରେ କମ୍ପାନୀ ପକ୍ଷରୁ କାଲିଫର୍ଣ୍ଣିଆସ୍ଥିତ ଆପଲ୍ ପାର୍କରେ ଏକ ବିଦାୟୀ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଅଗଷ୍ଟ ୨୩ରେ ଆୟୋଜିତ ବିଦାୟୀ ସମ୍ବର୍ଦ୍ଧନା ସଭାରେ ୨୦୦ ଜଣ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ ।

ଆପଲ୍ ପାର୍କରେ ପ୍ରସିଦ୍ଧ ମ୍ୟୁଜିକ୍ ବ୍ୟାଣ୍ଡ 'ୱାନ୍ ରିପବ୍ଲିକ୍' ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲା।  ଏହି କାର୍ଯ୍ୟକ୍ରମରେ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ୍ ଜବ୍ସ , ପୂର୍ବତନ ସିଓଓ ଜେଫ୍ ୱିଲିୟମ୍ସ, ସର୍ଭିସେସ୍ ମୁଖ୍ୟ ଏଡି କ୍ୟୁ ଏବଂ ଆଗାମୀ ସିଇଓ ଜନ୍ ଟର୍ନସ୍, ଟିମ୍ କୁକଙ୍କ ନେତୃତ୍ୱ ଓ ଅବଦାନର ପ୍ରଶଂସା କରିଥିଲେ।  କାର୍ଯ୍ୟକ୍ରମରେ ଟିମ୍ କୁକ୍ ନିଜର ବ୍ୟକ୍ତିଗତ ଜୀବନ ଓ ସହକର୍ମୀଙ୍କ ସହ ବିତାଇଥିବା ସମୟକୁ ମନେ ପକାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।  

ନୂତନ ନେତୃତ୍ୱ ଓ କମ୍ପାନୀର ଭବିଷ୍ୟତ
ଆପଲର ନୂତନ CEO ଭାବେ ଜନ୍ ଟର୍ନସ୍ (John Ternus) ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ସେ ପୂର୍ବରୁ ଆପଲର ହାର୍ଡୱେର୍ ଇଞ୍ଜିନିୟରିଂ ଟିମର ନେତୃତ୍ୱ ନେଉଥିଲେ। ଅନ୍ୟପଟେ, ଟିମ୍ କୁକ୍ ସମ୍ପୂର୍ଣ୍ଣ ଭାବରେ କମ୍ପାନୀ ଛାଡ଼ୁନାହାନ୍ତି, ସେ ଆପଲ୍‌ର 'ଏକ୍ଜିକ୍ୟୁଟିଭ୍ ଚେୟାରମ୍ୟାନ୍' (Executive Chairman) ଭାବରେ ନୂଆ ଭୂମିକା ଗ୍ରହଣ କରିବେ। ଟର୍ନସଙ୍କ ନେତୃତ୍ୱରେ ଆପଲ୍ ନିଜର ଆଗାମୀ ପ୍ରଯୁକ୍ତିବିଦ୍ୟା ଓ ଅଭିବୃଦ୍ଧିର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି।