ନୂଆଦିଲ୍ଲୀ ୦୨।୦୮; ମସ୍କୋର ଏକ ରେଷ୍ଟୁରାଣ୍ଟରେ ବଡ଼ ବିସ୍ଫୋରଣ । ଏହି ଘଟଣାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୧ ଜଣ ଆହତ ହୋଇଛନ୍ତି। କୁଡ୍ରିନସ୍କାୟା ସ୍କୋୟାରରେ ଥିବା ଏକ ଉଚ୍ଚ କୋଠାର ତଳ ମହଲାରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ଘଟିଥିଲା। ରୁଷର ସରକାରୀ ଗଣମାଧ୍ୟମ ଏବଂ ମସ୍କୋ ପୋଲିସ ଘଟଣା ବିଷୟରେ ସ୍ପଷ୍ଟ କରିଛନ୍ତି।

ରୁଷର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ କୁହାଯାଉଥିଲା କି ବିସ୍ଫୋରଣ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ହୋଇଥାଇପାରେ। କିନ୍ତୁ, ଏବେ ପ୍ରକାଶ ପାଇଛି ଯେ ଜଣେ ମହିଳା ଜଣଙ୍କ ଘରେ ତିଆରି ହୋଇଥିବା ବୋମା ଧରି ଘଟଣାସ୍ଥଳକୁ ଆସିଥିଲେ ଏବଂ ଯାହା ଦ୍ଵାରା ବିସ୍ଫୋରଣ ଘଟିଥିଲା। ମସ୍କୋ ପୋଲିସ କହିଛି ଯେ ବିସ୍ଫୋରଣ ସ୍ଥାନୀୟ ସମୟ ରାତି ୮ଟା ପୂର୍ବରୁ 'ବାଲଜି ରୋସି' ନାମକ ଏକ ଇଟାଲୀୟ ରେଷ୍ଟୁରାଣ୍ଟ ନିକଟରେ ଘଟିଥିଲା। ବୋମା ଧରିଥିବା ମହିଳା, ରେଷ୍ଟୁରାଣ୍ଟର ଜଣେ ସୁରକ୍ଷା କର୍ମୀ ଏବଂ ଘଟଣାସ୍ଥଳରେ ଉପସ୍ଥିତ ଜଣେ ଗ୍ରାହକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ସମୟରେ, ଆହତ ୨୧ ଜଣ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ରିପୋର୍ଟ ହୋଇଛି।

ମସ୍କୋ ତଦନ୍ତକାରୀ କମିଟି ଅନୁଯାୟୀ, ତଦନ୍ତକାରୀ, ଫୋରେନସିକ୍ ବିଶେଷଜ୍ଞ ଏବଂ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହାସହ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିବା ଏବଂ ପୋଲିସ ସେଠାରେ ତଦନ୍ତ କରୁଛି । ସମଗ୍ର ଅଞ୍ଚଳକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଦିଆଯାଇଛି।