ନୂଆଦିଲ୍ଲୀ:   ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ଚିନି ଦରକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ବଲ୍କ୍ କଞ୍ଜ୍ୟୁମର ବା ବଡ଼ ପରିମାଣରେ ଚିନି ବ୍ୟବହାର କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଷ୍ଟକ୍ ରଖିବା ସୀମାକୁ ୧୫ ଦିନରୁ ବଢ଼ାଇ ୩୦ ଦିନର ବ୍ୟବହାର ପରିମାଣ କରାଯାଇଛି। ତେବେ ଅତିରିକ୍ତ ୧୫ ଦିନର ଷ୍ଟକ୍ ପାଇଁ ଏକ ବଡ଼ ସର୍ତ୍ତ ରଖାଯାଇଛି। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ, ପୂର୍ବରୁ ଅନୁମତି ଥିବା ୧୫ ଦିନରୁ ଅଧିକ ଷ୍ଟକ୍ କେବଳ ଆମଦାନୀ ହୋଇଥିବା ଚିନିରୁ ଆସିବା ଆବଶ୍ୟକ। ଏଥିପାଇଁ Advance Authorisation Scheme (AAS) କିମ୍ବା Tariff Rate Quota (TRQ) ଅଧୀନରେ ଆମଦାନୀ ହୋଇଥିବା ଚିନିକୁ ହିଁ ବ୍ୟବହାର କରାଯିବ।

ALSO READ -ସାଉଦି ତେଲ ପାଇପ୍ ଲାଇନ୍ରେ ଆକ୍ରମଣ ପରେ ୟୁରୋପକୁ ଝଟ୍କା: ଆସନ୍ତା ମାସରେ କ୍ରୁଡ୍ ତେଲ ଦେବନି ଆରାମକୋ

ବଡ଼ ଉପଭୋକ୍ତାଙ୍କ ପାଇଁ କ’ଣ ବଦଳିଲା?ଯେଉଁ ବ୍ୟବସାୟିକ ବା ଶିଳ୍ପ ସଂସ୍ଥା ମାସକୁ ୧୦ ମେଟ୍ରିକ୍ ଟନ୍ରୁ ଅଧିକ ଚିନି ବ୍ୟବହାର କରନ୍ତି, ସେମାନଙ୍କୁ ବଲ୍କ୍ କଞ୍ଜ୍ୟୁମର ଭାବେ ଧରାଯାଏ। ଏମାନେ ଏପର୍ଯ୍ୟନ୍ତ ୧୫ ଦିନର ବ୍ୟବହାର ପରିମାଣ ପର୍ଯ୍ୟନ୍ତ ଚିନି ଷ୍ଟକ୍ ରଖିପାରୁଥିଲେ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଷ୍ଟକ୍ ସୀମା ବଢ଼ାଇବାକୁ ଏହି ବଡ଼ ଉପଭୋକ୍ତାମାନେ ଦାବି କରିଥିଲେ। ଏବେ ସେମାନେ ସର୍ବାଧିକ ୩୦ ଦିନର ବ୍ୟବହାର ପରିମାଣ ପର୍ଯ୍ୟନ୍ତ ଷ୍ଟକ୍ ରଖିପାରିବେ। କିନ୍ତୁ ଖୋଲା ବଜାରରୁ କିଣା ଚିନି ପାଇଁ ଷ୍ଟକ୍ ସୀମା ୧୫ ଦିନରେ ହିଁ ରହିବ।

ଚିନି ଷ୍ଟକ୍ରେ ସ୍ୱଚ୍ଛତା ରଖିବା ପାଇଁ ବଲ୍କ୍ କଞ୍ଜ୍ୟୁମରଙ୍କ ପାଇଁ ଆଉ ଏକ ନିୟମ ଜାରି ହୋଇଛି। ସେମାନଙ୍କୁ ପ୍ରତି ଶୁକ୍ରବାର Department of Food and Public Distributionର ଅନଲାଇନ୍ ପୋର୍ଟାଲରେ ନିଜ ଚିନି ଷ୍ଟକ୍ର ସୂଚନା ଦେବାକୁ ପଡ଼ିବ।

ଚିନି ଦର ବୃଦ୍ଧି ପରେ ଘରୋଇ ବଜାରରେ ଦର ନିୟନ୍ତ୍ରଣ ପାଇଁ ସରକାର ପୂର୍ବରୁ ୧୦ ଲକ୍ଷ ଟନ୍ ଚିନି ଆମଦାନୀକୁ ଅନୁମତି ଦେଇଥିଲେ। ଏହା ସହିତ ୮ ଲକ୍ଷ ଟନ୍ ଚିନି ରପ୍ତାନୀକୁ ମଧ୍ୟ ଅନୁମତି ଦିଆଯାଇଥିଲା। ସରକାରଙ୍କ ମତରେ, ନୂଆ ନିଷ୍ପତ୍ତି ଦ୍ୱାରା ପାର୍ବଣ ସମୟରେ ଶିଳ୍ପ ଓ ବଡ଼ ଚିନି ଉପଭୋକ୍ତାଙ୍କୁ ଅଧିକ ପରିଚାଳନାଗତ ସୁବିଧା ମିଳିବ। ସେହି ସମୟରେ ଅତିରିକ୍ତ ଷ୍ଟକ୍ ଆମଦାନୀ ହୋଇଥିବା ଚିନିରୁ ଆସିବାରୁ ଘରୋଇ ଷ୍ଟକ୍ ଉପରେ ଅତିରିକ୍ତ ଚାପ ପଡ଼ିବ ନାହିଁ। ସେହିପରି, ଚିନି ବ୍ୟବସାୟୀ, ହୋଲସେଲର ଓ ରିଟେଲରମାନେ Ex-mill ଦର କମିବାର ଲାଭ ଶୀଘ୍ର ଗ୍ରାହକଙ୍କ ପାଖକୁ ପହଞ୍ଚାଇବାକୁ ସରକାର ଆହ୍ୱାନ କରିଛନ୍ତି। ଚିନି ଦର, ଘରୋଇ ଷ୍ଟକ୍ ଓ ଆମଦାନୀ ମଧ୍ୟରେ ସନ୍ତୁଳନ ରଖିବା ସହ ପାର୍ବଣ ଋତୁରେ ଯୋଗାଣ ସ୍ଥିର ରଖିବା ହେଉଛି ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ।