ନୂଆଦିଲ୍ଲୀ: ପ୍ରସିଦ୍ଧ ଏଫଏମସିଜି (FMCG) କମ୍ପାନୀ ନେସଲେ ଇଣ୍ଡିଆ (Nestle India)ର ଶିଶୁ ଖାଦ୍ୟର ଗୁଣବତ୍ତାକୁ ନେଇ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କ୍ଷୀର ପାଉଡର କେତେକ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁନଥିବା ଦର୍ଶାଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) କମ୍ପାନୀ ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଖବର ପରେ ଶୁକ୍ରବାର ବଜାରରେ ନେସଲେ ଇଣ୍ଡିଆର ସେୟାର ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, FSSAI ପକ୍ଷରୁ ନେସଲେର ତିନୋଟି ପ୍ରମୁଖ ଉତ୍ପାଦ ବିରୋଧରେ ଅଦାଲତରେ ମାମଲା ଦାୟର କରାଯାଇଛି। ସେହି ଉତ୍ପାଦଗୁଡ଼ିକ ହେଲା— ଇନଫାଣ୍ଟ ନ୍ୟୁଟ୍ରିସନ (Infant Nutrition), ନାନ ଏକ୍ସେଲା (NAN Excella) ଏବଂ ଲାକ୍ଟୋଜେନ (Lactogen)। ଲାବୋରେଟୋରୀ ଯାଞ୍ଚ ସମୟରେ କମ୍ପାନୀର ଫଲୋ-ଅପ୍ ଫର୍ମୁଲାରେ ଆବଶ୍ୟକୀୟ ବାୟୋଟିନ (Biotin) ସ୍ତର ନଥିବା ଜଣାପଡ଼ିଛି, ଯାହା ଶିଶୁ ସ୍ୱାସ୍ଥ୍ୟ ପାଇଁ ନିମ୍ନମାନର ବୋଲି ପ୍ରମାଣିତ ହୋଇଛି। ଦ୍ୱିତୀୟ ଥର ରେଫରାଲ୍ ଲ୍ୟାବ୍‌ରେ ହୋଇଥିବା ପରୀକ୍ଷାରେ ମଧ୍ୟ ଏହା ୨୦୨୦ ର ଶିଶୁ ଖାଦ୍ୟ ନିୟମାବଳୀକୁ ଉଲ୍ଲଂଘନ କରୁଥିବା ସ୍ପଷ୍ଟ ହୋଇଛି

FSSAIର ସୂଚନା ଅନୁସାରେ, ନେସଲେ ଇଣ୍ଡିଆ ସୋସିଆଲ ମିଡିଆ ଓ ଇ-କମର୍ସ ପ୍ଲାଟଫର୍ମରେ ନିଜ ଉତ୍ପାଦ ବିକ୍ରି ବଢ଼ାଇବା ପାଇଁ ବିଭ୍ରାନ୍ତିକର ବିଜ୍ଞାପନର ସାହାରା ନେଉଥିଲା। ଉତ୍ପାଦର ପ୍ୟାକେଟ୍ ଉପରେ 'ହଜମ ପ୍ରକ୍ରିୟାରେ ସହଜ' ଏବଂ 'ୱେ ପ୍ରୋଟିନ' ଭଳି ଦାବି କରାଯାଇଥିଲା, ଯାହାକି ଇନଫାଣ୍ଟ ମିଲ୍କ ସବଷ୍ଟିଚ୍ୟୁଟସ (IMS) ଆକ୍ଟ, ୧୯୯୨ ର ସିଧାସଳଖ ଉଲ୍ଲଂଘନ ଅଟେ।

Also Read: iPhone 18 Pro ପାଇଁ ରାତିରୁ ଲାଇନ୍, ଷ୍ଟୋର୍ ବାହାରେ ଟେକ୍ ପ୍ରେମୀଙ୍କ ଭିଡ଼

ଏହି ଘଟଣା ସାମ୍ନାକୁ ଆସିବା ପରେ ଶୁକ୍ରବାର ନେସଲେ ଇଣ୍ଡିଆର ସେୟାର ୦.୪ ପ୍ରତିଶତ ହ୍ରାସ ପାଇ ୧,୩୬୪.୯ ଟଙ୍କାରେ ବନ୍ଦ ହୋଇଛି, ଯାହା ଦିନସାରା ସର୍ବନିମ୍ନ ୧,୩୩୨.୮ ଟଙ୍କା ପର୍ଯ୍ୟନ୍ତ ଖସି ଯାଇଥିଲା। ଅନ୍ୟପଟେ ନେସଲେ ଇଣ୍ଡିଆର ପ୍ରବକ୍ତା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେମାନଙ୍କର ଉତ୍ପାଦ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପୂର୍ବରୁ FSSAI ର ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା। ଏହି ନୋଟିସର ଉପଯୁକ୍ତ ଜବାବ ବୈଜ୍ଞାନିକ ତଥ୍ୟ ଆଧାରରେ ପ୍ରାଧିକରଣଙ୍କୁ ଦିଆଯାଇଛି ବୋଲି କମ୍ପାନୀ ସ୍ପଷ୍ଟୀକରଣ ରଖିଛି।