ୱାଶିଂଟନ୍: ରୁଷିଆରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦% ଶୁଳ୍କ ଲଗାଇବାକୁ ଥିବା ନୂଆ ବିଲ୍ ଉପରେ ସାଇନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଫଳରେ ଟ୍ରମ୍ପ ପ୍ରଶାସନକୁ ନୂଆ ଋଷ ଇନ୍ଧନ କିଣୁଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଲଗାଇବାକୁ ନୂଆ କ୍ଷମତା ମିଳିଛି।

ଏହି ଆଇନରେ ରୁଷିଆର ଅଶୋଧିତ ତେଲ କିମ୍ବା ଗ୍ୟାସ୍ର ସବୁଠାରୁ ବଡ଼ ୫ ଆମଦାନୀକାରୀ ଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ୩୦ ଦିନ ମଧ୍ୟରେ ସର୍ବାଧିକ ୧୦୦% ପର୍ଯ୍ୟନ୍ତ ଟାରିଫ୍ ଲଗାଇବାର ବ୍ୟବସ୍ଥା ରହିଛି। ଏହାଛଡ଼ା, ଆଇନ ଲାଗୁ ହେବା ପରେ ଜାଣିଶୁଣି ରୁଷିଆରୁ ନୂଆ କରି ତେଲ କିମ୍ବା ଗ୍ୟାସ୍ କିଣୁଥିବା ଦେଶ ଏବଂ ରୁଷିଆକୁ ପ୍ରତିବନ୍ଧକ ଏଡ଼ାଇବାରେ ସହାୟତା କରୁଥିବା ଶୀର୍ଷ ୫ ଦେଶ ମଧ୍ୟ ଏହି ବ୍ୟବସ୍ଥାର ଅଧୀନକୁ ଆସିପାରନ୍ତି।

ଏହି ଆଇନରେ ଭାରତ କିମ୍ବା ଚୀନ୍ର ନାଁ ଯଦିଓ ସିଧାସଳଖ ଭାବେ ଉଲ୍ଲେଖ କରାଯାଇ ନାହିଁ। ତେବେ ଏହି ଦୁଇ ଦେଶ ସମେତ ତୁର୍କୀ, ବ୍ରାଜିଲ ଭଳି ଦେଶଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇପାରନ୍ତି। ୟୁରୋପରେ ବି ଏଥିରେ ଆସିପାରେ। କେଉଁ ଦେଶଗୁଡ଼ିକୁ ଶୀର୍ଷ ୫ ଆମଦାନୀକାରୀ ଭାବେ ଗଣନା କରାଯିବ, ସେନେଇ ଆଇନରେ ସ୍ପଷ୍ଟତା ନଥିବାରୁ ଟ୍ରମ୍ପ ପ୍ରଶାସନକୁ ଏ ଦିଗରେ ବ୍ୟାପକ ବିଚାର କରିବାର ଅଧିକାର ରହିଛି।

ଏହାର ଅର୍ଥ ହେଉଛି, ଆଗାମୀ ଦିନରେ ଭାରତରୁ ଆମେରିକାକୁ ଯାଉଥିବା ସାମଗ୍ରୀ ଉପରେ ମଧ୍ୟ ଭାରି ଟାରିଫ୍ ଲାଗିବାର ରାସ୍ତା ଖୋଲିପାରେ। ତେବେ ତୁରନ୍ତ ଏହାର ପ୍ରଭାବ କ’ଣ ହେବ, ତାହା ଏବେ ସ୍ପଷ୍ଟ ନୁହେଁ। ବିଶ୍ଳେଷକମାନଙ୍କ ମତରେ, ଅତ୍ୟଧିକ ଟାରିଫ୍ ଲଗାଇଲେ ଆମେରିକାରେ ଉପଭୋକ୍ତା ସାମଗ୍ରୀର ଦାମ ଓ ଇନ୍ଧନ ମୂଲ୍ୟ ବଢ଼ିପାରେ।

ସେପଟେ ନଭେମ୍ବର ମାସରେ ଆମେରିକାରେ ମଧ୍ୟଭାଗୀୟ ନିର୍ବାଚନ ହୋଇପାରେ। ତେଣୁ ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନ ଏପରି ପଦକ୍ଷେପ ନେଇ ନପାରନ୍ତି ବୋଲି କୁହାଯାଉଛି। ଏହି ବିଲ୍ ରୁଷିଆର ଶକ୍ତି ଓ ପ୍ରତିରକ୍ଷା କ୍ଷେତ୍ରକୁ ଟାର୍ଗେଟ୍ କରିଛି। ରୁଷିଆର ପ୍ରତିବନ୍ଧକ ଏଡ଼ାଇବାରେ ସହାୟତା କରୁଥିବା ବୋଲି ଅଭିଯୋଗ ଥିବା ‘ଶାଡୋ ଫ୍ଲିଟ୍’ ଟ୍ୟାଙ୍କରଗୁଡ଼ିକ ମଧ୍ୟ ଏହାର ନଜରରେ ରହିଛି। ଜାତୀୟ ସୁରକ୍ଷା କାରଣ ଦର୍ଶାଇ ଟାରିଫ୍ କିମ୍ବା ପ୍ରତିବନ୍ଧକରୁ କିଛି ଦେଶକୁ ଛାଡ଼ ଦେବାର କ୍ଷମତା ମଧ୍ୟ ଟ୍ରମ୍ପଙ୍କୁ ଦିଆଯାଇଛି।

ଗତ ଜୁଲାଇରେ ଟ୍ରମ୍ପ ଏହି ବିଲ୍ ଉପରେ ଆଗକୁ ବଢ଼ିବାକୁ ସହମତି ଦେଇଥିଲେ। ଏହା ପରେ ବୁଧବାର ଆମେରିକୀୟ କଂଗ୍ରେସରେ ବିଲ୍ ପାସ୍ ହୋଇଥିଲା ଏବଂ ଶୁକ୍ରବାର ଟ୍ରମ୍ପ ଏଥିରେ ସ୍ୱାକ୍ଷର କରି ଏହାକୁ ଆଇନରେ ପରିଣତ କରିଛନ୍ତି। ହ୍ୱାଇଟ୍ ହାଉସ୍ର ଲେଜିସ୍ଲେଟିଭ୍ ଡାଇରେକ୍ଟର ଜେମ୍ସ ବ୍ରେଡ୍ କହିଛନ୍ତି, ପ୍ରାୟ ୪୦ ବର୍ଷ ପରେ ପ୍ରଥମ ଥର ପାଇଁ କଂଗ୍ରେସ ରାଷ୍ଟ୍ରପତିଙ୍କୁ ନୂଆ ଟାରିଫ୍ କ୍ଷମତା ପ୍ରଦାନ କରିଛି।

ଭାରତ ପାଇଁ ଏହି ଆଇନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ନୂଆ ଆମେରିକୀୟ ଟାରିଫ୍ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି ଭାରତ ପୂର୍ବରୁ ସତର୍କ କରିଛି। ଅନ୍ୟପଟେ ଚୀନ୍ ଏପରି ପଦକ୍ଷେପକୁ ‘ଲଙ୍ଗ୍-ଆର୍ମ ଜୁରିସ୍ଡିକ୍ସନ୍’ ବୋଲି କହି ଅନ୍ତର୍ଜାତୀୟ ଆଇନର ଆଧାର ନଥିବା ଅଭିଯୋଗ ଆଣିଛି।

ଆଇନର ଭାଷା ବ୍ୟାପକ ଓ କିଛି ପରିଭାଷା ଅସ୍ପଷ୍ଟ ଥିବାରୁ ରାଷ୍ଟ୍ରପତିଙ୍କ ହାତରେ ଅତ୍ୟଧିକ କ୍ଷମତା ଯାଇଥିବା ନେଇ ଆପତ୍ତି ଉଠିଛି। ତେବେ ଫାଉଣ୍ଡେସନ୍ ଫର୍ ଡିଫେନ୍ସ ଅଫ୍ ଡେମୋକ୍ରାସିଜ୍ର ମତରେ, କେଉଁ ଦେଶ ଉପରେ ଟାରିଫ୍ ଲାଗିପାରିବ, ସେଥିପାଇଁ ଆଇନରେ ଯଥେଷ୍ଟ ମାନଦଣ୍ଡ ରହିଛି।

ଏବେ ଟ୍ରମ୍ପ ପ୍ରଶାସନ ଏହି ନୂଆ କ୍ଷମତାକୁ କେତେ ଆକ୍ରମଣାତ୍ମକ ଭାବେ ବ୍ୟବହାର କରିବ, ତାହା ଉପରେ ଭାରତ ସମେତ ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକର ନଜର ରହିଛି। ଆଗାମୀ ୩୦ ଦିନ ମଧ୍ୟରେ ଆମେରିକାର ନିଷ୍ପତ୍ତି ଏହି ମାମଲାରେ ଦିଗ ନିର୍ଦ୍ଧାରଣ କରିପାରେ।