ମୋରଡା: ନ୍ୟାୟ ମାଗିବାକୁ ଯାଇ ଥାନା ଅଧିକାରୀଙ୍କ ଧମକର ଶିକାର ନାବାଳିକା। ଅସଦାଚରଣ ଅଭିଯୋଗ କରୁଥିବା ନାବାଳିକାକୁ ସାତ ବର୍ଷ ଜେଲର ଧମକ ଦେଲେ ଥାନା ଅଧିକାରୀ। ନ୍ୟାୟ ପାଇଁ ଜଣେ ନାବାଳିକା(୧୦ମ ଉତ୍ତୀର୍ଣ୍ଣ ଛାତ୍ରୀ) ଥାନାରେ ଥାନାଅଧିକାରୀଙ୍କ ଧମକ ସହ୍ୟ କରି ନ ପାରି ୪ ଘଣ୍ଟା ଧରି  ଚେତାଶୂନ୍ୟ ହୋଇ ପଡିଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନାରେ ।

ସଜ୍ଞାହୀନ ଭାବେ ପୀଡିତାଙ୍କୁ ପ୍ରଥମେ ବାରମାଇଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନ ହେବାରୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଝିଅର ଏପରି ଅବସ୍ଥା ପାଇଁ ମା' ଥାନାଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିବା ସହିତ ନ୍ୟାୟ ଚାହିଁଛନ୍ତି ।

ରାସ୍ତା ଘାଟରେ ପ୍ରେମ ନିବେଦନ

ସୂଚନା ଅନୁଯାୟୀ, ମୋରଡା ଥାନା ଅଞ୍ଚଳର ଜନୈକ ଯୁବକ ଅଭିଯୋଗକାରିଣୀ ନାବାଳିକା ଛାତ୍ରୀଙ୍କୁ କିଛିଦିନ ହେବ ଏକ ରାସ୍ତା ଘାଟରେ ପ୍ରେମ ନିବେଦନ କରିବା ସହିତ ଅଭଦ୍ରୋଚିତ ଅସଦାଚରଣ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ନ୍ୟାୟ ପାଇଁ ନାବାଳିକା ତାଙ୍କ ବାପା ଓ ମା'ଙ୍କ ସହିତ ମୋରଡା ଥାନାକୁ ଯାଇ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।

Also Read: ଲୋଭ ଏତେ ଭୟଙ୍କର ! ମୁଣ୍ଡକୁ ଚଢ଼ିଗଲା ବିଷ, ହୋମିଓପାଥି ଡାକ୍ତରଙ୍କୁ ପିଟିପିଟି ମାରିଦେଲେ

ତେବେ ଥାନାଅଧିକାରୀ ଅଭିଯୋଗ ନରଖି ସେମାନଙ୍କୁ ଏଆଡୁ ସିଆଡୁ କହି ଫେରାଇ ଦେଇଥିଲେ । ଫଳରେ ବାପା, ମା' ଓ ଝିଅ ବେତନଟୀ ଏସଡିପିଓଙ୍କୁ ମୋବାଇଲ ଫୋନ ଯୋଗେ ସମସ୍ତ ଘଟଣା ଜଣାଇଥିଲେ । ଏହାପରେ ଏସଡିପିଓ ପୁନର୍ବାର ଥାନାଧିକାରୀଙ୍କୁ ଭେଟି ଏତଲା ଦେବାକୁ କହିଥିଲେ । ଯାହାର ଅଡିଓ ଏବେ ସାମ୍ନାକୁ ଆସିଛି।

ବଞ୍ଚାଅ କହି ଚେତାଶୂନ୍ୟ ହୋଇଗଲେ 

ଏହି ଘଟଣାରେ ଥାନା ଅଧିକାରୀ ପୂର୍ବାପେକ୍ଷା ଅଧିକ ପ୍ରତିକ୍ରିୟାଶୀଳ ହୋଇ ବୟାନ ସଂଗ୍ରହ ପାଇଁ ନାବାଳିକାଙ୍କୁ ଧମକ ଦେଇଥିଲେ । ନାବାଳିକାଙ୍କ ୭ବର୍ଷ କାରାଦଣ୍ଡ ହେବ ବୋଲି କୁଆଡେ କହିଥିଲେ। ଏହାପରେ ନାବାଳିକା କାନ୍ଦି କାନ୍ଦି ବାହାରକୁ ଆସି ବାପା ମା'ଙ୍କ ପାଖରେ ପହଞ୍ଚି ମୋତେ ବଞ୍ଚାଅ କହି ଚେତାଶୂନ୍ୟ ହୋଇ ପଡିଯାଇଥିଲେ ।

Also Read: ଲୋଭ ଏତେ ଭୟଙ୍କର ! ମୁଣ୍ଡକୁ ଚଢ଼ିଗଲା ବିଷ, ହୋମିଓପାଥି ଡାକ୍ତରଙ୍କୁ ପିଟିପିଟି ମାରିଦେଲେ

ସଙ୍ଗେ ସଙ୍ଗେ ଥାନା ଗାଡିରେ ଜଣେ ପୁଲିସ ସବ ଇନ୍ସପେକ୍ଟରଙ୍କ ଜରିଆରେ ତାଙ୍କୁ କିଶାନତାଣ୍ଡି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ମଧ୍ୟ ଚେତା ଫେରିନଥିଲା । ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ନେଇ ଥିଲେ । ଦୀର୍ଘ ଚାରି ଘଣ୍ଟା ଅଧିକ ସମୟ ଅତିବାହିତ ହୋଇ ଥିଲେ ସୁଦ୍ଧା ନାବାଳିକାର ଚେତା ଫେରିନଥିଲା । ଏନେଇ ଥାନାଧିକାରୀ ସୁମିତ ସୋରେନଙ୍କ ମତାମତ ମିଳିପାରିନି।

ଉକ୍ତ ଘଟଣା କୁ ଜେ ଏମ୍ ଏମ୍ ର ସଭାପତି କୃଷ୍ଣଚନ୍ଦ୍ର ଦାସ କହିଛନ୍ତି ଯେ ଏହି ଘଟଣା ଏକ ସାଂଘାତିକ ଅଭିଯୋଗ । ଯଦି ସରକାର ସାଧାରଣ ଲୋକଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଉକ୍ତ ଥାନା ଅଧିକାରୀଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇ ତଦନ୍ତ କଲେ ସବୁ ଘଟଣା ସାମ୍ନାକୁ ଆସିବ।