ନୂଆଦିଲ୍ଲୀ,|୦୭ସାରା ଦେଶରେ ସକ୍ରିୟ ରହିଛି ମୌସୁମୀ । ଦେଶର ସବୁ ଜାଗାକୁ ଛୁଇଁଛି । ଅନେକ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଜୁନରେ ନିରବ ରହିବା ପରେ ଜୁଲାଇ ଆରମ୍ଭରୁ ମୌସୁମୀ ନିଜର ପ୍ରକୃତ ରୂପ ଦେଖାଇଛି । ପୂର୍ବରୁ ଯେଉଁ ଅଭାବି ବର୍ଷା ହୋଇଥିଲା ତାହା ଏବେ ଭରଣ ହେବାରେ ଲାଗିଲାଣି ।

ସାଟେଲାଇଟ୍ ଚିତ୍ର ଅନୁସାରେ ଆଇଏମଡି କହିଛି ଯେ, ଦେଶର ପଶ୍ଚିମ, ମଧ୍ୟ ଏବଂ ପୂର୍ବ ପ୍ରାନ୍ତରେ ଆକାଶରେ ଘନ ବାଦଲ ରହିଛି । ଯାହା ବର୍ଷା କରାଇଥାଏ । ଫଳରେ ଦେଶରେ ମୌସୁମୀ ସକ୍ରିୟ ଥିବାର ପ୍ରମାଣ ମିଳିଛି । ଆଇଏମଡି ତଥ୍ୟ ଅନୁସାରେ, ଜୁନ ୪ରୁ ଜୁଲାଇ ୫ ମଧ୍ୟରେ ୨୮ ପ୍ରତିଶତ କମ୍ ତଥା ଅଭାବି ବର୍ଷା ରେକର୍ଡ ହୋଇଛି । ଜୁଲାଇ ପ୍ରଥମ ସପ୍ତାହରେ ଏହି ସଂଖ୍ୟା ୪୫ ପ୍ରତିଶତ ରହିଥିଲା । ଯାହାର ବ୍ୟବଧାନ ଖୁବ୍ କମ୍ ଦିନ ମଧ୍ୟରେ କମିଯାଇଛି । ପ୍ରବଳ ବର୍ଷା ହେବା କାରଣରୁ ବ୍ୟବଧାନ ହ୍ରାସ ପାଇଛି ।

ଏବେସୁଦ୍ଧା ଦେଶରେ ହାରାହାରି ୧୪୦.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସାଧାରଣ ହାରାହାରି ବର୍ଷାଠୁ କମ୍ । ଏହି ସମୟ ମଧ୍ୟରେ ସାଧାରଣ ଭାବେ ୧୯୬.୫ ମିମି ବର୍ଷା ହେବା କଥା । ବର୍ତ୍ତମାନ ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟ ପ୍ରଦେଶ, ଛତିଶଗଡ, ଓଡିଶା, ତେଲେଙ୍ଗାନା ଏବଂ କର୍ଣ୍ଣାଟକର କିଛି ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ରହିଛି । ସାଟେଲାଇଟ୍ ଫଟୋରୁ ଆହୁରି ମଧ୍ୟ ଆରବ ସାଗରରୁ ଆରମ୍ଭ କରି ପୂର୍ବ ଏବଂ ମଧ୍ୟ ଭାରତର ଆକାଶରେ ଘନ ବାଦଲ ଦେଖାଦେଇଛି । ଏହା ଉଭୟ ଆରବ ଏବଂ ବଙ୍ଗୋପସାଗରରୁ ଜଳୀୟବାଷ୍ପ ଆଣୁଛି । ଯାହା ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଇନ୍ଧନ ଭଳି କାମ କରୁଛି ।

ଆକାଶରେ ଏତେ ମାତ୍ରାରେ ମେଘମାଳା ଥିବା ସତ୍ତ୍ୱେ ଦେଶର ସବୁ ସ୍ଥାନରେ ବର୍ଷା ସମାନ ନାହିଁ । କେଉଁଠି ଅତି ପ୍ରବଳ ବର୍ଷା ହୋଇଛି । ଆଉ କେଉଁଠି ମାଟି ଶୁଖିଲା ପଡିଛି । ଅନେକ ଉତ୍ତର ଏବଂ ପଶ୍ଚିମ ରାଜ୍ୟରେ କମ୍ ବର୍ଷା ହୋଇଛି । ମହାରାଷ୍ଟ୍ରରେ ସାଧାରଣ ସ୍ତରରୁ ୨୫ ପ୍ରତିଶତ କମ୍, ଗୁଜୁରାଟରେ ୪୫ ପ୍ରତିଶତ କମ୍, ଉତ୍ତର ପ୍ରଦେଶରେ ୪୮ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ସେହିପରି ବିହାରରେ ୫୫ ପ୍ରତିଶତ କମ୍ ବର୍ଷା, ଦିଲ୍ଲୀରେ ୫୦ ପ୍ରତିଶତ କମ୍ ଏବଂ ପଞ୍ଜାବରେ ୨୭ ପ୍ରତିଶତ କମ୍ ବର୍ଷା ହୋଇଛି । ସବୁଠୁ ଆଶ୍ଚର୍ଯ୍ୟ କରିଛି ଉତ୍ତର ପୂର୍ବ ରାଜ୍ୟର ସ୍ଥିତି । ଏଠାରେ ସାଧାରଣତଃ ଅଧିକରୁ ଅଧିକ ବର୍ଷା ହେବା କଥା । ହେଲେ ମେଘାଳୟରେ ୬୬ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଆସାମ୍ ଏବଂ ଅରୁଣାଚଳରେ ବି ସାମନ ସ୍ଥିତି ।

ଅନ୍ୟ ଦିଗରେ ଗତ ସପ୍ତାହରେ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗରେ ସାଧାରଣ ବର୍ଷା ହୋଇଛି । ଲଦ୍ଦାଖ, ଜମ୍ମୁ କାଶ୍ମୀର, ଆଣ୍ଡାମାନ, ତାମିଲନାଡୁରେ ଆଗାମୀ ଦିନରେ ଅତି ପ୍ରବଳ ବର୍ଷା ଜାରି ରହିବ । ସେହିପରି କୋଙ୍କଣ ଉପକୂଳ, ମଧ୍ୟ ଭାରତ ଏବଂ ହିମାଳୟରେ ପାଦ ଦେଶରେ ବର୍ଷା ବଢିବ ବୋଲି ପାଣିପାଗ ବିଭାଗ କହିଛି ।