ନୂଆଦିଲ୍ଲୀ ୨୭।୦୯; ଝାଡ଼ଖଣ୍ଡରୁ ଏବେ ଏମିତି ଏକ ଅଜବ ଖବର ସାମ୍ନାକୁ ଆସିଛି। ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମଦ ଦୋକାନରେ ପଶି ଜଣେ ଅତିଥି ମଦ ପିଇ ଶୋଇପଡ଼ିଲେ, ହେଲେ ସେ କୌଣସି ମଣିଷ ନୁହଁନ୍ତି, ବରଂ ଏକ ମାଙ୍କଡ଼!"ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ଓରମାଞ୍ଝି ବ୍ଲକ୍ ଛକରେ ଥିବା ଏକ ମଦ ଦୋକାନରେ ଏହି ଅଭୂତପୂର୍ବ ଦୃଶ୍ୟ ଦଖିବାକୁ ମିଳିଛି।

ରିପୋର୍ଟ ଅନୁସାରେ, ହଠାତ୍ ମାଙ୍କଡ଼ ଦୋକାନ ଭିତରକୁ ପଶିଆସିଥିଲା। ପ୍ରଥମେ ସେ ଦୋକାନ ଭିତରେ କିଛି ସମୟ ଏଣେତେଣେ ବୁଲିଥିଲା ଏବଂ ପରେ ଏକ ମଦ ବୋତଲରୁ ମଦ ପିଇଯାଇଥିଲା। ମଦ ପିଇବା ପରେ ନିଶା ଏମିତି ଚଡ଼ିଗଲା ଯେ ମାଙ୍କଡ଼ଟି ଅନ୍ୟ କୌଣସିଆଡ଼େ ନ ଯାଇ ସେହି ଦୋକାନ ଭିତରେ ହିଁ ଗଭୀର ନିଦରେ ଶୋଇପଡ଼ିଥିଲା। ଦୋକାନ ଭିତରେ ମାଙ୍କଡ଼ଟି ଶୋଇଥିବା ଦେଖି ଦୋକାନୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚହଳ ପଡ଼ିଯାଇଥିଲା।

ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଟିମ୍କୁ ଖବର ଦିଆଯାଇଥିଲା। ଟିମ୍ ଆସି ମାଙ୍କଡ଼ଟିକୁ କୌଣସି କ୍ଷତି ନ ପହଞ୍ଚାଇ ଅତ୍ୟନ୍ତ ସୁରକ୍ଷିତ ଭାବେ ଦୋକାନ ଭିତରୁ ବାହାରକୁ ଆଣିଥିଲେ। ବର୍ତ୍ତମାନ ଏହି ମଜାଦାର ଘଟଣାଟି ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି।ମଣିଷଙ୍କୁ ତ ମଦ ନିଶାରେ ଅନେକ ପ୍ରକାର ଅବସ୍ଥାରେ ଦେଖାଯାଏ। କିନ୍ତୁ ମାଙ୍କଡ଼ ମଦ ପିଇ ଦୋକାନରେ ଘୁଙ୍ଗୁଡି ମାରି ଶୋଇବା ଏକ ହସାଉଥିବା ଘଟଣା!