ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ମାଟିରେ ଓଡ଼ିଶାର ଶିଳ୍ପ ସମ୍ଭାବନାର ଗ୍ରାଣ୍ଡ ପ୍ରଦର୍ଶନ। ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗ୍ରାଣ୍ଡ ରୋଡ୍ ସୋ’। ନିବେଶକଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଦେଇ ବଡ଼ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତିନି ଦିନର ‘ମିଶନ ୟୁଏଇ’ ଅଭିଯାନରେ ୪୬ଟି ୱାନ୍-ଟୁ-ୱାନ୍ ଆଲୋଚନା ଏବଂ ୬ଟି ରାଉଣ୍ଡ ଟେବୁଲ ବୈଠକ ହୋଇଛି। ପରିଣାମ ସ୍ୱରୂପ ଓଡ଼ିଶା ପାଇଁ ଆସିଛି ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ। ଏହି ନିବେଶ ବାସ୍ତବ ରୂପ ନେଲେ ପ୍ରାୟ ୮ ଲକ୍ଷ ୯୫ ହଜାର ନିଯୁକ୍ତି ଓ ରୋଜଗାର ସୁଯୋଗ ସୃଷ୍ଟି ହେବାର ଆଶା ରହିଛି।

ଦୁବାଇରେ ଓଡ଼ିଶାର ଶିଳ୍ପ ସମ୍ଭାବନାର ଭବ୍ୟ ପ୍ରଦର୍ଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ‘ମିଶନ ୟୁଏଇ’ ଅଭିଯାନକୁ ମିଳିଛି ବଡ଼ ସଫଳତା। ତିନି ଦିନର ମାରାଥନ ବୈଠକରେ ୧୬୦ ନିବେଶକଙ୍କ ସହ ଆଲୋଚନା କରିଛି ଓଡ଼ିଶା ସରକାରଙ୍କ ଟିମ୍। ୪୬ଟି ୱାନ୍-ଟୁ-ୱାନ୍ ବୈଠକ ଏବଂ ୬ଟି ରାଉଣ୍ଡ ଟେବୁଲ ଆଲୋଚନା ହୋଇଛି। ଏଥିରୁ ରାଜ୍ୟକୁ ମିଳିଛି ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ। ନିବେଶ ଆସିଲେ ୮ ଲକ୍ଷ ୯୫ ହଜାର ନିଯୁକ୍ତି ଓ ରୋଜଗାର ସୁଯୋଗ ସୃଷ୍ଟି ହେବ।

ଶୁକ୍ରବାର ଦୁବାଇରେ ହୋଇଥିଲା ଗ୍ରାଣ୍ଡ ରୋଡ୍ ସୋ’। ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରର ପ୍ରାୟ ୪ଶହ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ମଞ୍ଚରୁ ବିଶ୍ୱର ନିବେଶକଙ୍କୁ ଓଡ଼ିଶାକୁ ଆସିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଏବେ ଶିଳ୍ପ ବିକାଶର ନୂଆ ପର୍ଯ୍ୟାୟକୁ ଯିବା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ମୋହନ ମାଝୀ। ପ୍ରାକୃତିକ ସମ୍ବଳ, ନିୟମିତ ବିଜୁଳି ଯୋଗାଣ, ଅତ୍ୟାଧୁନିକ ବନ୍ଦର, ଶିଳ୍ପ ଭିତ୍ତିଭୂମି ଏବଂ ଦକ୍ଷ ମାନବ ସମ୍ବଳ ଏସବୁ ଓଡ଼ିଶାକୁ ନିବେଶ ପାଇଁ ଅନୁକୂଳ ସ୍ଥାନରେ ପରିଣତ କରିଛି ବୋଲି ସେ କହିଥିଲେ।

ୟୁଏଇ ସହ ଓଡ଼ିଶାର ସମ୍ପର୍କ କେବଳ ବ୍ୟକ୍ତିଗତ ନିବେଶରେ ସୀମିତ ରହିବ ନାହିଁ। ଉତ୍ପାଦନ, ବାଣିଜ୍ୟ, ଟେକ୍ନୋଲୋଜି, ରପ୍ତାନୀ, ନବସୃଜନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା କ୍ଷେତ୍ରରେ ଦୀର୍ଘମିଆଦି ସହଭାଗିତା ଗଢ଼ିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଟ୍ରାଭେଲ୍ ଓ ପର୍ଯ୍ୟଟନ, ଲଜିଷ୍ଟିକ୍ସ, ଫାଇନାନ୍ସ, ପ୍ରୋସେସ୍ଡ ଫୁଡ୍ସ ସହ ଦୁର୍ଲଭ ଖଣିଜ, ଧାତୁ ଓ ଖନନ, ଆଲୁମିନିୟମ, ଇସ୍ପାତ ଆନୁସଙ୍ଗିକ ଶିଳ୍ପ, ରାସାୟନିକ ଓ ପେଟ୍ରୋକେମିକାଲ୍, ସବୁଜ ଶକ୍ତି, ଏଲ୍ଏନ୍ଜି, ଆଇଟି, ଇଏସ୍ଡିଏମ୍, ଏଆଇ, ଡାଟା ସେଣ୍ଟର, ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ନିବେଶକଙ୍କ ଆଗ୍ରହ ଦେଖାଯାଇଛି।

Also Read- ବିଶ୍ୱ ବାଣିଜ୍ୟରେ ଭାରତ ଗଢୁଛି ଆର୍ଥିକ ସେତୁ, ବ୍ରିକ୍ସ ଦେଶକୁ ପିଏମ ମୋଦୀଙ୍କ ବଡ଼ ବାର୍ତ୍ତା

ଏଥିସହ ରିୟଲ ଇଷ୍ଟେଟ, ସର୍କୁଲାର ଇକୋନୋମି, ଜାହାଜ ମରାମତି, ସାର, ପ୍ରୋପେଲାଣ୍ଟ ନିର୍ମାଣ ଭଳି କ୍ଷେତ୍ର ମଧ୍ୟ ରହିଛି ନିବେଶକଙ୍କ ନଜରରେ। ୟୁଏଇ ଅଭିଯାନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ୮ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ୧୬ଟି ଶିଳ୍ପ ପ୍ରତିଷ୍ଠାନ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି। କାଜବା ପ୍ରୋଜେକ୍ଟ ଭେଞ୍ଚର ଏଫଜେଡସିଓ ଏଲ୍ଏନ୍ଜି ଭଣ୍ଡାର ପାଇଁ ଏମଓୟୁ କରିଛି। ରାଣା ହୋଲଡିଙ୍ଗ୍ସ ସବୁଜ ଶକ୍ତି, ଏଆଇ ଡାଟା ସେଣ୍ଟର ଏବଂ ଦୁର୍ଲଭ ଖଣିଜ କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ଦେଖାଇଛି। ସରାଫ ଗ୍ରୁପ୍ ହାଉସିଂ କ୍ଷେତ୍ରରେ ଏବଂ ପିଟିସିଏଏଲ୍ ଇନଫ୍ରାଷ୍ଟ୍ରକଚର ଇସ୍ପାତ ଓ ଇସ୍ପାତ ଆନୁସଙ୍ଗିକ କ୍ଷେତ୍ରରେ ଏମଓୟୁ କରିଛନ୍ତି।

ସେହିଭଳି ଡାଲୱିନ ମେରାଇନ୍ ଆଣ୍ଡ ଟର୍ବୋ ପାୱାର ଇଞ୍ଜିନିୟରିଂ ଜାହାଜ ମରାମତି ଶିଳ୍ପ ପାଇଁ, ଆଓନ ଟେକ୍ନୋଲୋଜି ପ୍ରୋପେଲାଣ୍ଟ ନିର୍ମାଣ ପାଇଁ ଏବଂ ଏଗ୍ରିଫିଲ୍ମସ FJDCO ସାର ଓ ରାସାୟନିକ ପଦାର୍ଥ କ୍ଷେତ୍ରରେ ନିବେଶ ଆଗ୍ରହ ଇଚ୍ଛା ଜାହିର କରିଛି।

ୟୁଏଇ ଅଭିଯାନର ପ୍ରଥମ ଦିନରେ ଆଇଏଚସି ଏବଂ ଆଦାନୀ ଗ୍ରୁପ ସହ ଓଡ଼ିଶା ସରକାରଙ୍କ ଚୁକ୍ତି ହୋଇଥିଲା। ୧୪ଟି ପ୍ରକଳ୍ପ ପାଇଁ ଏହି ଏମଓୟୁ ମାଧ୍ୟମରେ ପ୍ରାୟ ୨ ଲକ୍ଷ ୧୦ ହଜାର ୫ଶହ କୋଟି ଟଙ୍କାର ନିବେଶ ସମ୍ଭାବନା ସୃଷ୍ଟି ହୋଇଥିଲା। ଗୁରୁବାର ମଧ୍ୟ ଓଡ଼ିଶା ପାଇଁ ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା।

ରୋଡ୍ ସୋ’ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ନିବେଶକଙ୍କୁ ଦ୍ରୁତ ଏବଂ ନିଶ୍ଚିତ କାର୍ଯ୍ୟକାରିତା ସହ ସରକାର ସକ୍ରିୟ ସହଯୋଗ ଯୋଗାଇବ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ମଧ୍ୟ ନିବେଶକଙ୍କ ଆଗରେ ଓଡ଼ିଶାର ଶିଳ୍ପ ସମ୍ଭାବନା ଓ ନିବେଶ ସୁଯୋଗ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ୟୁଏଇସ୍ଥିତ ଭାରତର ରାଷ୍ଟ୍ରଦୂତ ଡକ୍ଟର ଦୀପକ ମିତ୍ତଲ, ଦୁବାଇସ୍ଥିତ ଭାରତ ସରକାରଙ୍କ ବାଣିଜ୍ୟ ଦୂତ ଡକ୍ଟର ଇ. ବିଷ୍ଣୁ ବଦ୍ଧନ ରେଡ୍ଡିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଦୁବାଇରେ ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟ ସହ ମଧ୍ୟ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ବିକାଶ ଯାତ୍ରାରେ ପ୍ରବାସୀ ଓଡ଼ିଆଙ୍କୁ ସହଭାଗୀ ହେବାକୁ ଆହ୍ୱାନ ଦେଇଥିଲେ। ଦୁବାଇରୁ ଉଠିଥିବା ଏହି ନିବେଶର ଆହ୍ୱାନ ଏବେ ଓଡ଼ିଶାରେ କେତେ ଶୀଘ୍ର ଶିଳ୍ପ ଓ ନିଯୁକ୍ତିରେ ପରିଣତ ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଦୁବାଇରେ ବାଣିଜ୍ୟଠାରୁ ଆରମ୍ଭ କରି ସର୍କୁଲାର ଇକୋନୋମି ଓ ମେଟାଲ ରିସାଇକ୍ଲିଂ ବିଭିନ୍ନ କ୍ଷେତ୍ରର ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ୟୁଏଇରେ ଥିବା ଭାରତୀୟ ବ୍ୟବସାୟୀ, ପେଶାଦାର ଓ ଉଦ୍ୟୋଗୀଙ୍କ ସହ ଓଡ଼ିଶାର ବ୍ୟବସାୟିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଉପରେ ଦିଆଯାଇଛି ଗୁରୁତ୍ୱ। ଏଥିସହ ଦୁବାଇରେ ଆରମ୍ଭ ହୋଇଛି ‘ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ’ ଗ୍ୟାଲେରୀ। ଅନ୍ୟପଟେ ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କରି ରାଜ୍ୟର ବିକାଶରେ ସହଭାଗୀ ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ୟୁଏଇରେ ଥିବା ଭାରତୀୟ ବ୍ୟବସାୟୀ, ପେଶାଦାର ଓ ଉଦ୍ୟୋଗୀଙ୍କ ସହ ଓଡ଼ିଶାର ବ୍ୟବସାୟିକ ସମ୍ପର୍କକୁ ମଜଭୁତ କରିବାକୁ ବଡ଼ ପଦକ୍ଷେପ। ଇଣ୍ଡିଆନ୍ ବିଜନେସ୍ ପ୍ରଫେସନାଲ୍ କାଉନସିଲ୍ ବା ଆଇବିପିସି ସହ ଓଡ଼ିଶା ସରକାର ବ୍ୟବସାୟିକ ସହଯୋଗିତା ପାଇଁ ଏମଓସି ସ୍ୱାକ୍ଷର କରିଛନ୍ତି। ଦୁବାଇରେ ଆୟୋଜିତ ବ୍ୟବସାୟିକ ଆଲୋଚନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଓଡ଼ିଶାର ନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୁମିନିୟମ, ଇସ୍ପାତ, ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଖଣିଜ, ଖଣି, ରିସାଇକ୍ଲିଂ ସମେତ ଅନେକ ଉଦୀୟମାନ କ୍ଷେତ୍ରରେ ଓଡ଼ିଶାରେ ବିପୁଳ ନିବେଶ ସୁଯୋଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଜଣାଇଥିଲେ। ଆଇବିପିସି ସହ ସହଯୋଗ ମାଧ୍ୟମରେ ଦୁବାଇ ଓ ଓଡ଼ିଶା ମଧ୍ୟରେ ଦୀର୍ଘସ୍ଥାୟୀ ବ୍ୟବସାୟିକ ସେତୁ ଗଢ଼ିବା, ନିବେଶ ଓ ପ୍ରଯୁକ୍ତି ସହଯୋଗ ବଢ଼ାଇବା ସହ ବଜାର ସଂଯୋଗକୁ ମଜଭୁତ କରିବା ଲକ୍ଷ୍ୟ ରହିଛି।

ସର୍କୁଲାର ଇକୋନୋମି ଓ ଧାତବ ପୁନଃଚକ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ଓଡ଼ିଶା। ନିବେଶକ ସମ୍ମିଳନୀର ଅଂଶ ଭାବେ ସର୍କୁଲାର ଇକୋନୋମି ଓ ଧାତବ ରିସାଇକ୍ଲିଂ ସମ୍ପର୍କିତ ରାଉଣ୍ଡ ଟେବୁଲ୍ ବୈଠକରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ।

Also Read-ବ୍ରିକ୍ସ ବ୍ୟବସାୟ ମଞ୍ଚରୁ ପିୟୂଷ ଗୋୟଲଙ୍କ ବଡ଼ ଆହ୍ୱାନ: ସ୍ଥାନୀୟ ମୁଦ୍ରାରେ କାରବାର ଓ ତତ୍କାଳ ପେମେଣ୍ଟ ସିଷ୍ଟମ୍କୁ ଯୋଡ଼ିବାକୁ ଦେଲେ ପ୍ରସ୍ତାବ 

ବ୍ୟୁରୋ ଅଫ୍ ମିଡିଲ୍ ଇଷ୍ଟ ରିସାଇକ୍ଲିଂ ଏବଂ ଜେଏସଡବ୍ଲ୍ୟୁ ଭଳି ସଂସ୍ଥା ଏଥିରେ ସାମିଲ ହୋଇଥିଲେ। ଧାତବ ରିସାଇକ୍ଲିଂ, ସର୍କୁଲାର ଇକୋନୋମି, ରିସୋର୍ସ ଏଫିସିଏନ୍ସି ଓ ଭାଲ୍ୟୁ ଆଡେଡ୍ ମାନୁଫାକ୍ଚରିଂ ଉପରେ ଆଲୋଚନା ହୋଇଥିଲା। ଓଡ଼ିଶାର ବିକଶିତ ମେଟାଲ୍ ଓ ମାନୁଫାକ୍ଚରିଂ ଇକୋସିଷ୍ଟମକୁ ଆଧାର କରି ରିସାଇକ୍ଲିଂ, ସେକେଣ୍ଡାରୀ ମେଟାଲ୍ ଓ ସର୍କୁଲାର ଇଣ୍ଡଷ୍ଟ୍ରିରେ ନିବେଶ ଏବଂ ଟେକ୍ନୋଲୋଜୀ ସହଯୋଗ ପାଇଁ ଶିଳ୍ପପତିଙ୍କୁ ଓଡ଼ିଶା ଆସିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ଆଲୁମିନିୟମ ଶିଳ୍ପର ଆଧୁନିକୀକରଣ ଉପରେ ମଧ୍ୟ ଓଡ଼ିଶାର ନଜର। ମୁଖ୍ୟମନ୍ତ୍ରୀ ଜେବେଲ ଅଲ୍ଲୀସ୍ଥିତ ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍ ବା ଇଜିଏର ଉତ୍ପାଦନ କାରଖାନା ପରିଦର୍ଶନ କରି ଅତ୍ୟାଧୁନିକ ଆଲୁମିନିୟମ୍ ଉତ୍ପାଦନ ପ୍ରକ୍ରିୟା ଓ ବିଶ୍ୱସ୍ତରୀୟ ଶିଳ୍ପ ପ୍ରଚଳନ ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଅବସରରେ ଓଡ଼ିଶାର ନାଲକୋ ଏବଂ ଦୁବାଇର ଇଜିଏ ମଧ୍ୟରେ ଟେକ୍ନିକାଲ ଲାଇସେନ୍ସିଂ ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଇଜିଏର ବୈଷୟିକ ଦକ୍ଷତା ଏବଂ ଓଡ଼ିଶାରେ ନାଲକୋର ଦୃଢ଼ ଆଲୁମିନିୟମ୍ ଭିତ୍ତିକୁ ଏକାଠି କରି ଆଲୁମିନିୟମ୍ ଶିଳ୍ପର ଆଧୁନିକୀକରଣ, ଉତ୍ପାଦନ କ୍ଷମତା ବୃଦ୍ଧି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଏବଂ ଅଧିକ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦନରେ ସହାୟତା ମିଳିବାର ଆଶା ରହିଛି। ଶିଳ୍ପ ସହିତ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱ। ଦୁବାଇରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ‘ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ’ ଗ୍ୟାଲେରୀ। ଏଠାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଛି।

ସମ୍ବଲପୁରୀ ଶାଢ଼ି, କଟକର ମାଣିଆବନ୍ଧ ହସ୍ତତନ୍ତ, ରୁପା ତାରକସୀ, ରାୟଗଡ଼ାର ଡଙ୍ଗରିଆ ଶାଲ୍, କେନ୍ଦୁଝରର ଟେରାକୋଟା ମୂର୍ତ୍ତି, ବାଲେଶ୍ୱରର କଳା ମୁଗୁନିପଥର ମୂର୍ତ୍ତି, ପୁରୀର ପଟ୍ଟଚିତ୍ର ଏବଂ ତାଳପତ୍ର ଖୋଦେଇ କଳା ଏଠାରେ ପ୍ରଦର୍ଶିତ ହୋଇଛି। ଏହି ଗ୍ୟାଲେରୀ ମାଧ୍ୟମରେ ଓଡ଼ିଶାର କାରିଗରଙ୍କ ପାରମ୍ପରିକ ଦକ୍ଷତା, ସୃଜନଶୀଳତା ଓ ସାଂସ୍କୃତିକ ପରିଚୟ ବିଶ୍ୱ ଦରବାରରେ ପହଞ୍ଚିବାର ସୁଯୋଗ ପାଇବ।

ବିଶେଷକରି ମହିଳା ଉଦ୍ୟୋଗୀ ଓ ସ୍ଥାନୀୟ କାରିଗରଙ୍କ ପାଇଁ ନୂଆ ବଜାର, ଅଧିକ ରୋଜଗାର ଓ ଉଦ୍ୟମିତାର ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ଓଡ଼ିଶାର ପାରମ୍ପରିକ ଉତ୍ପାଦର ରପ୍ତାନୀ ସମ୍ଭାବନା ବଢ଼ାଇବା ସହ ‘ଲୋକାଲ୍ ଟୁ ଗ୍ଲୋବାଲ୍’ ଯାତ୍ରାକୁ ଆହୁରି ମଜଭୁତ କରିବ ଏହି ପଦକ୍ଷେପ।

ଏପଟେ ୟୁଏଇ ନିବେଶକ ସମ୍ମିଳନୀର ଅଂଶ ଭାବେ ଦୁବାଇରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ଭାବ ବିନିମୟ କରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରାୟ ୮୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା।

ଦୁବାଇରେ ବସବାସ କରୁଥିବା ଓଡ଼ିଆମାନେ ରାଜ୍ୟରେ ନିବେଶ, ଉଦ୍ୟୋଗିତା, ବାଣିଜ୍ୟ ଓ ବିକାଶ ଧାରାକୁ ଆଗେଇ ନେବାରେ ନିଜର ଯୋଗଦାନ ଜାରି ରଖନ୍ତୁ ବୋଲି ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଦୁବାଇ ମାଟିରେ ଓଡ଼ିଶା ଦେଖାଇଛି ଶିଳ୍ପ ସମ୍ଭାବନା ସହ ସଂସ୍କୃତିର ଶକ୍ତି। ନିବେଶ, ଟେକ୍ନୋଲୋଜୀ, ବ୍ୟବସାୟ ଓ ରପ୍ତାନୀଠାରୁ ଆରମ୍ଭ କରି ହସ୍ତଶିଳ୍ପର ବିଶ୍ୱ ବଜାର ପର୍ଯ୍ୟନ୍ତ, ୟୁଏଇ ଅଭିଯାନ ଓଡ଼ିଶା ପାଇଁ ନୂଆ ସୁଯୋଗର ଦ୍ୱାର ଖୋଲିଛି।