Mohan Bhagwat on Reservations: ଦେଶରେ ଜାତିଭିତ୍ତିକ ସଂରକ୍ଷଣକୁ ନେଇ ପୁଣି ଥରେ ଚର୍ଚ୍ଚା ଓ ପ୍ରତିବାଦ ଜୋର ଧରିଥିବା ବେଳେ ଆରଏସଏସ (RSS) ସରସଂଘଚାଳକ ମୋହନ ଭାଗବତ ଗୁରୁବାର ସଂରକ୍ଷଣ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ସମାଜରେ ଅସମାନତା ଓ ଭେଦଭାବ ରହିବ, ସେପର୍ଯ୍ୟନ୍ତ ସଂରକ୍ଷଣର ଆବଶ୍ୟକତା ରହିବ। ତେବେ ସଂରକ୍ଷଣକୁ(ରିଜର୍ଭେସନ) ବାବା ସାହେବ ଆମ୍ବେଦକରଙ୍କ ଦୃଷ୍ଟିରେ ଦେଖିବା ଉଚିତ ବୋଲି ସେ କହିଛନ୍ତି।

ମୁମ୍ବାଇର ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC)ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ IIMUN ପ୍ରତିଷ୍ଠାତା ଋଷଭ ଶାହଙ୍କ ସହ ଆଲୋଚନା ବେଳେ ମୋହନ ଭାଗବତ ଏହି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨,୦୦୦ ଜଣ ଜେନ୍-ଜେଡ୍ (Gen Z) ଓ ଜେନ୍-ଆଲଫା (Gen Alpha) ପିଢ଼ିର ଯୁବକ-ଯୁବତୀ ଉପସ୍ଥିତ ଥିଲେ।

'ବାବାସାହେବ ଆମ୍ବେଦକରଙ୍କ ଦୃଷ୍ଟିକୋଣରୁ ସଂରକ୍ଷଣକୁ ଦେଖନ୍ତୁ'

ଶିକ୍ଷା ଓ ଚାକିରିରେ ସଂରକ୍ଷଣକୁ ସୀମିତ କରାଯିବା ଉଚିତ କି ନାହିଁ ବୋଲି ପଚରାଯିବାରେ ଭାଗବତ ସିଧାସଳଖ ଉତ୍ତର ଦେଇନଥିଲେ। ସେ କହିଥିଲେ, ଡ. ବାବାସାହେବ ଆମ୍ବେଦକରଙ୍କ ଚିନ୍ତାଧାରା ଅନୁସାରେ ସଂରକ୍ଷଣକୁ ବୁଝିବା ଉଚିତ। ତାଙ୍କ କହିବା ଅନୁସାରେ, ସଂରକ୍ଷଣ କୌଣସି ରାଜନୈତିକ ବ୍ୟବସ୍ଥା ନୁହେଁ, ବରଂ ଏହା ସାମାଜିକ ଅସମାନତା ଦୂର କରିବା ପାଇଁ ଆଣାଯାଇଥିବା ଏକ ବ୍ୟବସ୍ଥା। ତେଣୁ ସାମାଜିକ ଭେଦଭାବ ଯେପର୍ଯ୍ୟନ୍ତ ରହିବ, ସେପର୍ଯ୍ୟନ୍ତ ସଂରକ୍ଷଣ ମଧ୍ୟ ଜାରି ରହିବ ବୋଲି ସେ କହିଥିଲେ।

'ଉପକୃତ ହୋଇଥିବା ଲୋକେ ସଂରକ୍ଷଣ ଛାଡ଼ିବା ଉଚିତ'

ମୋହନ ଭାଗବତ କହିଛନ୍ତି, ସଂରକ୍ଷଣର ଲାଭ ପାଇ ସାମାଜିକ ଓ ଆର୍ଥିକ ଭାବେ ସକ୍ଷମ ହୋଇଥିବା ଲୋକମାନେ ଉଦାରତା ଦେଖାଇ ସଂରକ୍ଷଣର ସୁବିଧା ଛାଡ଼ିଦେବା ଉଚିତ। ଏହାଦ୍ୱାରା ସେହି ସମ୍ପ୍ରଦାୟର ଅନ୍ୟ ବଞ୍ଚିତ ଲୋକମାନେ ଏହାର ଲାଭ ପାଇପାରିବେ। ସେ କହିଛନ୍ତି, ଏଭଳି ଚିନ୍ତାଧାରା କେତେକ ସଂରକ୍ଷଣଭୋଗୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଏବଂ ଏହାକୁ ପ୍ରୋତ୍ସାହନ ଦିଆଯିବା ଦରକାର।

ସବ କ୍ୟାଟେଗୋରାଇଜେସନକୁ ସମର୍ଥନ

ଭାଗବତ କହିଛନ୍ତି, ସଂରକ୍ଷିତ ବର୍ଗ ମଧ୍ୟରେ ସବ କ୍ୟାଟେଗୋରାଇଜେସନ ଦାବିର ମୂଳ କାରଣ ହେଉଛି ସଂରକ୍ଷଣର ପ୍ରକୃତ ଲାଭ ସମସ୍ତ ଯୋଗ୍ୟ ଲୋକଙ୍କ ପାଖରେ ପହଞ୍ଚୁ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଧ୍ୟ ମତ ଦେଇସାରିଛନ୍ତି। ସେ କହିଛନ୍ତି, ସଂରକ୍ଷଣର ଉଦ୍ଦେଶ୍ୟ ସ୍ଥାୟୀ ନୁହେଁ। ଏହାର ସୁବିଧା ପାଇ ନିଜର ଉନ୍ନତି କରିବା ସହ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ।

ତେବେ ସଂରକ୍ଷଣର କାର୍ଯ୍ୟକାରିତା ରାଜନୈତିକ ସ୍ୱାର୍ଥରୁ ମୁକ୍ତ ରହିବା ଉଚିତ ବୋଲି ଆରଏସଏସ ମୁଖ୍ୟ କହିଛନ୍ତି। ଯଦି କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସଚ୍ଚୋଟ ଭାବେ କାର୍ଯ୍ୟକାରୀ କରାଯାଏ, ତେବେ ସଂରକ୍ଷଣର ଆବଶ୍ୟକତା ଶୀଘ୍ର କମିଯିବ। ସେତେବେଳେ ଏହାର ଭବିଷ୍ୟତକୁ ନେଇ ଆଲୋଚନା କରାଯାଇପାରିବ ବୋଲି ସେ କହିଛନ୍ତି।

Also Read-ADR Reports: ସର୍ବାଧିକ ରାଜନୈତିକ ଚାନ୍ଦା ପାଇବାରେ ଦ୍ୱିତୀୟରେ ଟିଏମ୍ସି: ନମ୍ୱର-୧ କିଏ ?

ସଂରକ୍ଷଣର ଆବଶ୍ୟକତା ନେଇ ସେ କହିଥିଲେ ଯେ ଏହି ବ୍ୟବସ୍ଥା ସମାଜରେ ଏକତା ଓ ସମାନତା ଆଣିବା ପାଇଁ ପ୍ରଚଳନ କରାଯାଇଥିଲା। କିନ୍ତୁ ଏହାକୁ ରାଜନୈତିକ ଅସ୍ତ୍ରରେ ପରିଣତ ହୋଇଥିବାରୁ ସମାଜରେ ବିଭାଜନ ବଢ଼ିଛି। ତେଣୁ ସଂରକ୍ଷଣକୁ ରାଜନୀତିରୁ ଦୂରେ ରଖି ଏହାର ପ୍ରକୃତ ଉଦ୍ଦେଶ୍ୟ ଅନୁସାରେ କାର୍ଯ୍ୟକାରୀ କରିବା ଉଚିତ ବୋଲି ସେ କହିଛନ୍ତି।