ନୂଆଦିଲ୍ଲୀ: ଭାରତୀୟ ଟିମର ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଆହତ ସମସ୍ୟା ଯୋଗୁ ଟି-୨୦ ବିଶ୍ୱକପ ଖେଳିବା ସନ୍ଦେଶ । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ସାମ୍ୱାଦିକ ସମ୍ମିଳନରେ କହିଥିଲେ ଯେ ହର୍ଷିତ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି । ହର୍ଷିତଙ୍କ ରିପ୍ଲେସମେଣ୍ଟକୁ ନେଇ ଏବେ ଟିମ୍ ଭଲ ବିକଳ୍ପ ସନ୍ଧାନରେ ରହିଛି । ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଦ.ଆଫ୍ରିକା ବିପକ୍ଷ ୱାର୍ମ ଅପ୍ ମ୍ୟାଚ୍ ସମୟରେ ଆଣ୍ଠୁରେ ଆଘାତ ଲାଗିଥିଲା । ହର୍ଷିତ ରାଣା ଅନେକ ଦିନରୁ ଭାରତୀୟ ଟି-୨୦ ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି ଓ ତାଙ୍କର ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ଭାରତ ପାଇଁ ବଡ଼ ଝଟକା ଅଟେ ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଭାରତୀୟ ଦ୍ରୁତ ବୋଲର ହର୍ଷିତ ରାଣା ବୁଧବାର ନଭି ମୁମ୍ୱାଇରେ ସାଉଥ୍ ଆଫ୍ରିକା ବିରୁଦ୍ଧ ୱାର୍ମ ଅପ୍ ମ୍ୟାଚ୍ ସମୟରେ ଆହତ ହୋଇ ଟି-୨୦ ବିଶ୍ୱକପରୁ ବାହାର ହୋଇଛନ୍ତି । ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ଯେ ହର୍ଷିତ ରାଣାଙ୍କ ଫିଟ୍‌ନେସ୍‌ଙ୍କ ଉପରେ ନଜର ରଖାଯାଇଛି ଓ ସଂଧ୍ୟା ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । କିନ୍ତୁ ଏବେ ତାଙ୍କର ଟୁର୍ଣ୍ଣାମେଣ୍ଟ ଖେଳିବା ମୁସ୍କିଲ୍ ବୋଲି ରିପୋର୍ଟରେ ଦାବି କରାଯାଇଛି । ତାଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଟିମରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି ।

ରିପୋର୍ଟ ଅନୁସାରେ ହର୍ଷିତଙ୍କ ମଡିକାଲ୍ ଡକ୍ୟୁମେଣ୍ଟରୁ ଜଣାପଡ଼ିଛି ଯେ ତାଙ୍କର ଡାହାଣ ଆଣ୍ଠୁ ଫୁଲି ଯାଇଛି, ଚଲା ବୁଲା କରିବାରେ ବି ଅସୁବିଧା ହେଉଛି ଓ ସାଇଡ୍ ଜଏଣ୍ଟ ଲାଇନରେ ବି ଯନ୍ତ୍ରଣା ରହିଛି । ସ୍କାନରେ ଲେଟରଲ୍ ମେନିସ୍କିସ ଟିୟର ହୋଇଥିବା ସ୍ପଷ୍ଟ ହୋଇଛି । ଡାକ୍ତରଙ୍କ ପରାମର୍ଶରେ ରାଣାଙ୍କୁ ସର୍ଜରୀ କରିବାକୁ କୁହାଯାଇଛି, ଯେଉଁଥି ପାଇଁ ଆଗାମୀ ଟି-୨୦ ବିଶ୍ୱକପରୁ ସେ ବାହାର ହୋଇଛନ୍ତି ।